ବାରିପଦା: ଶିମିଳିପାଳର ଗଛଲତା ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଆୟୋଜିତ ସଚେତନତା ଅଭିଯାନରେ ପ୍ରାୟ ସମୟରେ ଶିକ୍ଷକମାନଙ୍କୁ ସାମିଲ କରାଯାଉଛି। ହେଲେ ଜଣେ ପ୍ରଧାନଶିକ୍ଷକ ନିଜେ ଜନ୍ତୁ ଶିକାର କରି ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗିରଫ ପ୍ରଧାନଶିକ୍ଷକ ହେଲେ ବାଇଧର ସୋରେନ (୫୪)। ସେ ଶାମାଖୁଣ୍ଟା ବ୍ଲକ୍ ହଳଦୀବଣି ପ୍ରାଥମିକ ସ୍କୁଲରେ କାର୍ଯ୍ୟ କରନ୍ତି। ତାଙ୍କ ସହଯୋଗୀ ଚମଟ୍ ହେମ୍ବ୍ରମ (୪୦)ଙ୍କୁ ମଧ୍ୟ ଗିରଫ କରିଛି ବନ ବିଭାଗ। ଉଭୟଙ୍କ ଘର କୁଳିଅଣା ଥାନା ଅଧୀନ ଆଳୁବଣି ଗାଁରେ।
ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତିରେ ଦୁହେଁ ଦେଶୀ ବନ୍ଧୁକ ଓ ଧନୁତୀର ଧରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ପିଟାବଟା ରେଞ୍ଜକୁ ଶିକାର ପାଇଁ ଯାଇଥିଲେ। ଘଞ୍ଚ ଜଙ୍ଗଲରୁ ଏକ ଝିଙ୍କ ଶିକାର କରି ଫେରିବା ବାଟରେ ବନ ବିଭାଗର ପାଟ୍ରୋଲିଂ ଟିମ୍ ହାତରେ ଧରାପଡ଼ିଥିଲେ। ସେମାନଙ୍କ ନିକଟରୁ ଦେଢ଼ କେଜି ଝିଙ୍କ ମାଂସ, ୮୮ଟି ଝିଙ୍କ କଣ୍ଟା, ଗୋଟିଏ ଦେଶୀ ବନ୍ଧୁକ ଓ ୩ଟି ଧନୁତୀର ଜବତ ହୋଇଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଶିମିଳିପାଳ କ୍ଷେତ୍ର ଉପନିର୍ଦ୍ଦେଶକ ସମ୍ରାଟ୍ ଗୌଡ଼ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/hfsfhfhsfh.jpg)