ନିମ୍ନମାନର ମଧ୍ୟାହ୍ନଭୋଜନ ଘରେ କହିବାରୁ ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ପିଟିଲେ

ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ: ବିଇଓ

ରସୁଲପୁର: ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ ହେଉଛି। ଏଥିପାଇଁ  ଛାତ୍ରଛାତ୍ରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ନଖାଇ ଘରକୁ ଖାଇବାକୁ ଚାଲିଯାଉଛନ୍ତି। ଏ ବିଷୟରେ ଘରେ କହିବା କାରଣରୁ ଜଣେ ଛାତ୍ରୀକୁ ପ୍ରଧାନଶିକ୍ଷକ ମାଡମାରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ବିଦ୍ୟାଳୟରେ କେଉଁଭଳି ଖାଦ୍ୟ ପ୍ରସ୍ତୁତ ହେଉଛି ତାହା ଦେଖିବା ପାଇଁ ଯାଇଥିବା ଅଭିଭାବକଙ୍କ ନାମରେ ମଧ୍ୟ ଥାନାରେ ଅଭିଯୋଗ ହୋଇଛି।

ଏଭଳି ଏକ ଘଟଣା ଘଟିଛି ରସୁଲପୁର ବ୍ଲକ୍ ଓଡିଶୋ ଗ୍ରାମର ସ୍ବପ୍ନେଶ୍ବର ସରକାରୀ ନୋଡାଇ ଉପ୍ରା ବିଦ୍ୟାଳୟରେ। ଏହି ସ୍କୁଲର ସପ୍ତମ ଶ୍ରେଣୀର ଜଣେ ଛାତ୍ରୀ ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିବା ସଂପର୍କରେ ଘରେ ଜଣାଇଥିଲେ। ପିଲା ମାନଙ୍କ ପାଇଁ କେବଳ ଭାତ ଡାଲମା ହେଉଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଲଗା ବ୍ୟଞ୍ଜନ ପ୍ରସ୍ତୁତ କରି ଖାଉଥିବା ସଂପର୍କରେ ଛାତ୍ରୀଜଣକ କହିଥିଲେ। ଏସଂପର୍କରେ ଜାଣିବା ପାଇଁ ଉକ୍ତ ଛାତ୍ରୀଙ୍କ ଅଭିଭାବକ ବିଦ୍ୟାଳୟ ରୋଷେଇ ଘରକୁ ଯିବାକୁ ଚାହୁଁଥିବା ବେଳେ ତାଙ୍କୁ ଛଡାଯାଇନଥିଲା। ପ୍ରଧାନ ଶିକ୍ଷକ କାହାରିକୁ ରୋଷେଇ ଘରକୁ ନଛାଡିବାକୁ କହିଥିବା ରୋଷେଇ କରୁଥିବା ଲୋକ କହିଥିଲେ।

ପରେ ଉକ୍ତ ଛାତ୍ରୀଙ୍କୁ  ପ୍ରଧାନଶିକ୍ଷକ ଏହି କାରଣରୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ସଂପୃକ୍ତ ଅଭିଭାବକ ଜଣକ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସହିତ କୁଆଖିଆ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି।  ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ପାତ୍ରଙ୍କୁ ପଚରାଯିବାରୁ ସଂପୃକ୍ତ ଅଭିଭାବକ ମଧ୍ୟାହ୍ନଭୋଜନ ଯାଂଚ କରିବାକୁ ଜିଦ୍‌ କରିବା ସହିତ ରୋଷେୟା ଏବଂ ଅନ୍ୟ ଶିକ୍ଷକମାନଙ୍କୁ ଖରାପ ବ୍ୟବହାର କରିଥିଲେ। ତେଣୁ ବିଦ୍ୟାଳୟ କମିଟି ପରାମର୍ଶ କ୍ରମେ ଥାନାରେ ଅଭିଯୋଗ କରିଛୁ ବୋଲି କହିଛନ୍ତି। ଏଥିସହିତ ସ୍କୁଲ୍ ରୋଷେଇ ଘରେ ଶିକ୍ଷ ମାନଙ୍କ ପାଇଁ ଅଲଗା ରୋଷେଇ ହେଉଥିବା କଥା ସେ ସ୍ବୀକାର କରିଛନ୍ତି।

ରୋଷେଇ ଘରକୁ କାହାରିକୁ ବିନା ଅନୁମତିରେ ନଛାଡିବାକୁ ମଧ୍ୟ ସ୍କୁଲ୍ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ତେବେ ଛାତ୍ରୀଙ୍କୁ ମାଡ ମାରିବା କଥାକୁ ସେ ଅସ୍ବୀକାର କରିଛନ୍ତି। ଘଟଣା ସଂପର୍କରେ ରସୁଲପୁର ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଚରଣ ମଲ୍ଲିକ କହିଛନ୍ତି ଯେ ସେ ଅଭିଯୋଗ ପାଇଛନ୍ତି। ବିଦ୍ୟାଳୟରେ ଯାହା ଛାତ୍ରଛାତ୍ରୀମାନଙ୍କ ପାଇଁ ରୋଷେଇ ହେବ ତାକୁ ଶିକ୍ଷକ ଶିକ୍ଷୟିତ୍ରୀ ଖାଇ ପାରିବେ। କିନ୍ତୁ ସେହି ରୋଷେଇ ଘରେ ସେମାନଙ୍କ ପାଇଁ ଅନ୍ୟ ଖାଦ୍ୟ ପ୍ରସ୍ତୁତ ହୋଇ ପାରିବ ନାହିଁ। ଏହାଛଡା ଅଭିଭାବକମାନେ କଣ ଖାଦ୍ୟ ପ୍ରସ୍ତୁତ ହେଉଛି ତାହା ଦେଖିବାରେ କୌଣସି ପ୍ରତିବନ୍ଧକ ନାହିଁ। ତେଣୁ ଘଟଣା ସଂପର୍କରେ ଅନୁସନ୍ଧାନ ହେଲା ପରେ ଆବଶ୍ୟକ ପଦକ୍ଷପେ ଗ୍ରହଣ କରାଯିବ ବୋଲି ବିଇଓ କହିଛନ୍ତି।

ସମ୍ବନ୍ଧିତ ଖବର