ବରଗଡ଼: ପ୍ରଧାନଶିକ୍ଷୟିତ୍ରୀ ଛୁଟିରେ। ତାଙ୍କ ସ୍ଥାନରେ ପୁଅ ଆସି ସ୍କୁଲ୍‌ରେ ପାଠ ପଢ଼ାଉଥିଲେ। କେବଳ ସେତିକି ନୁହଁ, ଜଣେ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଭଳି ଏକ ସଂଗିନ ଅଭିଯୋଗ ହୋଇଛି ବରଗଡ଼ ଖଜୁରଟିକ୍ରା ନଲିଆଖଣ୍ଡିସ୍ଥିତ ରାଧାମାଧବ ପ୍ରାଇମେରି ସ୍କୁଲ୍‌ରୁ। ପୀଡ଼ିତା ଛାତ୍ରୀ ପଞ୍ଚମ ଶ୍ରେଣୀରେ ପାଠ ପଢ଼ନ୍ତି। ପୀଡ଼ିତାଙ୍କ ପିତାଙ୍କ ଅଭିଯୋଗ ହେଲା, ଝିଅ ଗତ ୨୪ ତାରିଖ ସ୍ବାଭାବିକ ଭାବେ ସ୍କୁଲ୍‌କୁ ପାଠ ପଢ଼ିବାକୁ ଯାଇଥିଲା। ସେହିଦିନ ପ୍ରଧାନଶିକ୍ଷୟିତ୍ରୀ ନନ୍ଦିନୀ ରଥ ଅନୁପସ୍ଥିତ ଥିଲେ। ତାଙ୍କ ସ୍ଥାନରେ ପୁଅ ସ୍କୁଲ୍‌ରେ ପାଠ ପଢ଼ାଉଥିଲେ।

Advertisment

କିଛି ସମୟ ପରେ ସେ ନାବାଳିକା ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର କରିଥିଲେ। ଏଥିରେ ଛାତ୍ରୀଜଣକ କାନ୍ଦିବାରୁ ତାକୁ ଲୁହା ରଡ୍‌ରେ ମାଡ଼ ମାରିଥିଲେ। ଘଟଣା ସଂପର୍କରେ ପରିବାରଲୋକେ ଜାଣିବା ପରେ ଟାଉନ୍‌ ଥାନା ଦ୍ବାରସ୍ଥ ହୋଇଥିଲେ। ଦୋଷୀ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଦାବି କରିଥିଲେ। ଏନେଇ ଟାଉନ୍‌ ପୁଲିସ୍‌ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତକୁ ଥାନାରେ ରଖି ପଚରାଉଚରା ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ରଥ କମ୍ପ୍ୟୁଟର କାମ ପାଇଁ ପୁଅ ବିଦ୍ୟାଳୟକୁ ଆସିଥିଲା ଏବଂ ପରେ କ’ଣ ଘଟିଲା, ସେ ଜାଣି ନାହାନ୍ତି ବୋଲି କହିଛନ୍ତି। ରାଜ୍ୟ ଅଭିଭାବକ ସଂଘର ଜିଲ୍ଲା ଆବାହକ ବିମଳ ଦାଶ ଘଟଣାକୁ ତୀବ୍ର ନିନ୍ଦା କରି ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଇଓଙ୍କ ନିକଟରେ ଦାବି କରିଛନ୍ତି।