ଲାଞ୍ଚ ମାମଲାରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ୪ ବର୍ଷ ଜେଲ୍‌

କେନ୍ଦୁଝର: ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଅରବିନ୍ଦ ପଟ୍ଟନାୟକ ଆଜି ଏକ ଲାଞ୍ଚ କାରବାର ମାମଲାର ବିଚାର କରି ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗୌରୀପ୍ରସାଦ ନାୟକଙ୍କୁ ୪ବର୍ଷ ଜେଲ୍‌ ଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅତିରିକ୍ତ ମାସେ ଜେଲ୍‌। ସୂଚନାଯୋଗ୍ୟ, ୨୦୧୫ ମସିହା ଏପ୍ରିଲ ୧୩ ତାରିଖରେ ମଧ୍ୟାହ୍ନଭୋଜନ ବାବଦକୁ ୭୯ ହଜାର ୫୯୦ ଟଙ୍କା ଆସିଥିଲା। ସାହାରପଡ଼ା ୟୁପିଏମ୍‌ଇ ସ୍କୁଲ୍‌ର ମଧ୍ୟାହ୍ନଭୋଜନ ଦାୟିତ୍ବ ବୁଝୁଥିବା ରାଷ୍ଟ୍ର ସେବିକା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ପାନମତି ମହାନ୍ତଙ୍କଠାରୁ ଉକ୍ତ ଟଙ୍କା ପ୍ରଦାନ ପାଇଁ ପ୍ରଧାନଶିକ୍ଷୟିତ୍ରୀ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପାନମତି ଅନିଚ୍ଛା ସତ୍ତ୍ବେ ୩ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ।

ଏନେଇ ସେ ୧୫ ତାରିଖରେ କେନ୍ଦୁଝର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।  ୧୬ ତାରିଖରେ ଲାଞ୍ଚ ଟଙ୍କା ସ୍କୁଲ୍‌ ପରିସରରେ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଗିରଫ କରିଥିଲେ। ଆଜି ଏହି ମାମଲାର ଶୁଣାଣି କରି କୋର୍ଟ ତାଙ୍କୁ ଉକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ପ୍ରଧାନଶିକ୍ଷୟିତ୍ରୀ ଜଣଙ୍କ ବର୍ଷେ ତଳୁ କାର୍ଯ୍ୟରୁ ଅବସର ନେଇସାରିଛନ୍ତି। କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ପୁଲିସ ତାଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର