ପ୍ରବାସୀଙ୍କୁ ଫେରାଇ ଆଣିବା ନିଷ୍ପତ୍ତିକୁ ବିରୋଧ, ହାଇକୋର୍ଟରେ ଶୁଣାଣି ଘୁଞ୍ଚିଲା
କଟକ: ପ୍ରବାସୀ ଓଡ଼ିଆଙ୍କ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗକୁ ନେଇ ବିଚାରାଧୀନ ମାମଲାର ହାଇକୋର୍ଟରେ ଶୁଣାଣି ଘୁଞ୍ଚିଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୁନ୍ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସମାଜସେବୀ ନାରାୟଣ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଦାୟର ଏହି ମାମଲାର ଶୁଣାଣି କରି ମେ ୭ରେ ହାଇକୋର୍ଟ ପ୍ରବାସୀଙ୍କ ପ୍ରସଂଗରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ପୂର୍ବରୁ ସେମାନଙ୍କ କୋଭିଡ-୧୯ ଟେଷ୍ଟ ରିପୋର୍ଟ ନେଗେଟିଭ୍ ରହିବା ନେଇ ସରକାର ସୁନିଶ୍ଚିତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଫଳରେ କୋଭିଡ ଟେଷ୍ଟ ନେଗେଟିଭ୍ ଥିବା ପ୍ରବାସୀଙ୍କୁ ରାଜ୍ୟକୁ ଆସିବାକୁ ଅନୁମତି ଦିଆଯିବ ବୋଲି ସ୍ପଷ୍ଟ ହୋଇଥିଲା। କିନ୍ତୁ ମେ ୮ରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ମେ୭ର ଅନ୍ତରୀଣ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଥିଲେ। ଆଜି ଏ ସଂପର୍କିତ ମାମଲା ଶୁଣାଣି ପାଇଁ ହାଇକୋର୍ଟରେ ତାଲିକାଭୁକ୍ତ ହୋଇଥିଲା। ବାହାର ରାଜ୍ୟରେ ରହୁଥିବା ଶ୍ରମିକ ଓ ଛାତ୍ରଛାତ୍ରୀଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଶ୍ରୀ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଦର୍ଶାଇଥିଲେ ଯେ, ବାହାର ରାଜ୍ୟରେ ରହୁଥିବା ବ୍ୟକ୍ତିଙ୍କୁ ରାଜ୍ୟ ଭିତରକୁ ନ ଆଣିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ। ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କୁ ସରକାର ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରି ସୁରକ୍ଷିତ ଭାବେ ସେଠାରେ ରହିବାକୁ କୁହନ୍ତୁ। ଏହାଦ୍ବାରା ସମଗ୍ର ରାଜ୍ୟବାସୀଙ୍କ ମଙ୍ଗଳ ହେବ ବୋଲି ଆବେଦନକାରୀ ଦର୍ଶାଇଥିଲେ।