କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌ (ଏଏସ୍‌ଓ) ନିଯୁକ୍ତି ପରୀକ୍ଷା ମାମଲାରେ ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ଦାୟର ତିନୋଟି ପୃଥକ ରିଟ୍ ଅପିଲର ହାଇକୋର୍ଟରେ ଆଜି ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ହୋଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲା ଗୁଡିକର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଆଜି ସମସ୍ତ ପକ୍ଷ ଯୁକ୍ତି ଉପସ୍ଥାପନ କରିଥିଲେ। ଏଥି ସହିତ ସୁପ୍ରିମକୋର୍ଟଙ୍କ ରାୟର ନଜିର ଉପସ୍ଥାପନ କରିଥିଲେ। ଅଢେଇ ଘଣ୍ଟାରୁ ଅଧିକ ସମୟ ଧରି ମାମଲାର ଶୁଣାଣି ହୋଇଥିଲା। କବିତା ଜେନା, ସତ୍ୟବ୍ରତ ନାୟକ ଓ ଅନ୍ୟମାନଙ୍କ ସହିତ ଓପିଏସସି ପକ୍ଷରୁ ଦାୟର ରିଟ୍ ଅପିଲ ଗୁଡିକର ଏକତ୍ର ଶୁଣାଣି ହୋଇଥିଲା।

Advertisment

ଏଠାରେ ସୂଚନା ଯୋଗ୍ୟ ଯେ ଏଏସଓ ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଂଘନ ଓ ବିଷୟଭିତ୍ତିକ ସର୍ବନିମ୍ନ ନମ୍ବର ବ୍ୟବସ୍ଥା‌ ଲାଗୁ ବେଆଇନ ଦର୍ଶାଇ ରଜତ କୁମାର ମିଶ୍ର ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନର ୨୦୨୩, ମେ ୧୯ରେ ହାଇକୋର୍ଟ ଶୁଣାଣି କରି ଓପିଏସସି ପକ୍ଷରୁ ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରିଥିଲେ। ଏଥି ସହିତ ୨୦୧୬ର ନିୟମ ପାଳନ କରି ସାନି ମେଧା ତାଲିକା ୨ ମାସ ଭିତରେ ପ୍ରକାଶ କରିବାକୁ ଓପିଏସସିକୁ ହାଇ‌େକାର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୂର୍ବର ମେଧା ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀମାନେ ରାୟର ପୁନର୍ବିଚାର ପାଇଁ ଏକ ରିଭ୍ୟୁ ପିଟିସନ ଓ ଏକ ରିଟ ପିଟିସନ ଦାଖଲ କରିଥିଲେ। ମେଧା ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇ ନଥିବାରୁ ମେ ୧୯ର ରାୟ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଯାଇଥିଲା। ଦୁଇ ମାମଲାକୁ ହାଇକୋର୍ଟ ଜୁଲାଇ ୩୧ରେ ଖାରଜ କରିଥିଲେ। ମେ ୧୯ ରାୟକୁ ହାଇକୋର୍ଟ କାଏମ ରଖିଥିଲେ।

ଏହାପରେ ଜଣିକିଆ ବିଚାରପତିଙ୍କ ରାୟକୁ ଚାଲେଞ୍ଜ କରି କେତେକ ପ୍ରାର୍ଥୀ ଦୁଇଟି ରିଟ୍ ଅପିଲ ହାଇକୋର୍ଟରେ ଦାୟର କରିଥିଲେ। ଅଗଷ୍ଟ ୯ରେ ଦୁଇ ଜଣିଆ ଖଣ୍ଡପୀଠ ଦୁଇ ରିଟ୍ ଅପିଲକୁ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଏଥି ସହିତ ଜଣିକିଆ ବିଚାରପତିଙ୍କ ୨୦୨୩, ମେ ୧୯ ଓ ଜୁଲାଇ ୩୧ର ରାୟକୁ ରିଟ୍ ଅପିଲର ଚୂଡାନ୍ତ ରାୟ ପ୍ରକାଶ ପର୍ଯନ୍ତ ସ୍ଥଗିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କେତେକ ପ୍ରାର୍ଥୀଙ୍କ ତରଫରୁ ଦାୟର ଦୁଇଟି ଓ ଓପିଏସସି ତରଫରୁ ରୁଜୁ ରିଟ୍ ଅପିଲ ଗୁଡିକର ଏକତ୍ର ଶୁଣାଣି ଚାଲିଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଭବାନୀ ଶଙ୍କର ତ୍ରିପାଠୀ, ଓପିଏସସି ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ ମହାନ୍ତି ଓ ପ୍ରତିପକ୍ଷ ରଜତ କୁମାର ମିଶ୍ରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।