ପୁରୀ : ଆଜି ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂପର୍କିତ ମାମଲାର ଶୁଣାଣି ହେବ। ଏହା ପୂର୍ବରୁ ବୁଧବାର ଦିନ ଶ୍ରୀଜଗନ୍ନାଥ ସେନାର ରତ୍ନଭଣ୍ଡାର ସୁରକ୍ଷା, ଆବଶ୍ୟକ ମରାମତି ସହ ଅଳଙ୍କାର ଗଣତି ଦାବିରେ ସିଂହଦ୍ବାରରେ ବିକ୍ଷୋଭ ପ୍ରଦର୍ଶନ କରିଛି। ସଂଗଠନର କର୍ମକର୍ତ୍ତାମାନେ ରତ୍ନଭଣ୍ଡାର ମରାମତି ଓ ଗଣତି ସପକ୍ଷରେ ରାୟ ଯିବା ନେଇ ଶ୍ରୀଜଗନ୍ନାଥଙ୍କ ନିକଟରେ ଗୁହାରି କରିବା ସହ ଦୀପଦାନ କରିଛନ୍ତି।

Advertisment

ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଆଜି ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା(୯୦୯୮/୨୦୧୬)ର ଶୁଣାଣି ହେବାକୁ ଯାଉଥିବାବେଳେ ଏହି ମାମଲାରେ ହାଇକୋର୍ଟଙ୍କ ଆଦେଶକ୍ରମେ ଗତ ୨୦୧୮ ମସିହାରେ ୧୭ଜଣିଆ ଦଳ ରତ୍ନଭଣ୍ଡାରକୁ ପ୍ରବେଶ କରିଥିଲେ। କିନ୍ତୁ ଚାବି ନାହିଁ କହି ସମସ୍ତଙ୍କୁ ଭୁଆଁ ବୁଲାଇଥିଲେ। କାରଣ ପୂର୍ବରୁ ରତ୍ନଭଣ୍ଡାରରୁ ଅଳଙ୍କାର ଚୋରି ହୋଇଯାଇଛି। କାଳେ ସରକାର ଅଡ଼ୁଆରେ ପଡ଼ିବେ, ସେଥିପାଇଁ ଚାବି ହଜିବାର ନାଟକ ରଚିଲେ। ହାଇକୋର୍ଟଙ୍କ ଆଦେଶ ବି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସେ ସମୟରେ ଅନୁଧ୍ୟାନ ବେଳେ ୧୭ ଜଣିଆ ଦଳ ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବା, ଏହାର ସଂରକ୍ଷଣ ଓ ତ୍ବରିତ ମରାମତି ଆବଶ୍ୟକ ରହିଛି ବୋଲି ଏକ ବିସ୍ତୃତ ରିପୋର୍ଟ ଦେଇଥିଲେ। ଏଏସ୍‌ଆଇ ବି ଏ ଭିତରେ ଅନେକ ଥର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ ପାଇଁ ଅନେକ ବାର ଚିଠି ଲେଖି ସାରିଲାଣି। ଗତ ଅଗଷ୍ଟ ୮ ତାରିଖରେ ଚିଠି ନଂ-୩/୧୩୩/୧୮-ଏମ-୩୨୧୨ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଓ ଏଏସଆଇ ଏ ବାବଦରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରାଇଛି। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କ ସହ ଭଣ୍ଡାର ମେକାପ ବି ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ଥିବା କଥା ଜଣାଇ ସାରିଛନ୍ତି। ତଥାପି ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ନିରବ।

ଏଣୁ ସଂଗଠନ ଦାବି କରୁଛି, ଯଦି ସରକାର ନିର୍ମଳ ତେବେ ରତ୍ନଭଣ୍ଡାର ସୁରକ୍ଷିତ ଥିବା ନେଇ ଆଜି ସତ୍ୟପାଠରେ ଉଲ୍ଲେଖ କରନ୍ତୁ। କେବେ ରତ୍ନଭଣ୍ଡାର ମରାମତି ହେବ, ତାହା ସ୍ପଷ୍ଟ କରନ୍ତୁ। ଆସନ୍ତା ବଜେଟ୍‌ରେ ରତ୍ନଭଣ୍ଡାର ମରାମତି ପାଇଁ ବଜେଟ୍‌ ବ୍ୟବସ୍ଥା କରନ୍ତୁ। ଆଇନ ଅନୁଯାୟୀ ପ୍ରତି ତିନିବର୍ଷରେ ଥରେ ରତ୍ନଭଣ୍ଡାର ଇନ୍‌ଭେଣ୍ଟୋରି ହେଉ। ୪୦ ବର୍ଷ ହେବ ରତ୍ନଭଣ୍ଡାର ନ ଖୋଲିବା ପାଇଁ ଯେଉଁ ଅଧିକାରୀମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ। ରଘୁବୀର ଦାଶ କମିସନଙ୍କ ରିପୋର୍ଟ ସାର୍ବଜନିନ ହେଉ। ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଚାକିରିରୁ ବହିଷ୍କାର କରାଯାଉ। ଚାରିଦ୍ବାରରୁ ଭକ୍ତଙ୍କୁ ଦର୍ଶନ ଅନୁମତି, ଦଶାବତାର ମୂର୍ତ୍ତି ପୁନଃସ୍ଥାପନ, ୫୨୨ ଖଣ୍ଡ ରୁପା ଇଟା ଶ୍ରୀମନ୍ଦିର ଆଣିବାକୁ ବି ସଂଗଠନ ଦାବି କରିଛି।