ଉତ୍ତରାଧିକାରୀ ଚାକିରି ପାଇଁ ହକ୍‌ଦାର୍‌: ହାଇକୋର୍ଟ

ମୃତ ଶିକ୍ଷକ, କର୍ମଚାରୀଙ୍କ ପରିବାରକୁ ଆଶ୍ବସ୍ତି

ସଦସ୍ୟଙ୍କ ଅଧିକାର କ୍ଷୁଣ୍ଣ ହେଲେ ସଂଗଠନ ଅଦାଲତ ଯାଇପାରିବ

କଟକ : ୨୦୨୦, ମାର୍ଚ୍ଚ ୧୭ ତାରିଖ ପୂର୍ବରୁ ଚାକିରିରେ ଥାଇ ପ୍ରାଣ ହରାଇଥିବା ଶିକ୍ଷକ, କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ଚାକିରିରେ ଥଇଥାନ କରାଯାଉ। ଶିକ୍ଷକ, କର୍ମଚାରୀଙ୍କ ମୃତ୍ୟୁରେ ତାଙ୍କ ଉତ୍ତରାଧିକାରୀଙ୍କୁ ଥଇଥାନ ଯୋଜନାରେ ଚାକିରି ସଂପର୍କିତ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଆଜି ଏଭଳି ରାୟ ଦେଇଛନ୍ତି। ଏଥିସହିତ, କୌଣସି ପଞ୍ଜିକୃତ ସଂଗଠନର ସଭ୍ୟସଭ୍ୟାମାନଙ୍କର ଆଇନଗତ ଅଧିକାର କ୍ଷୁଣ୍ଣ ହେଲେ ସଂପୃକ୍ତ ସଂଗଠନ ତାହାର ସଭ୍ୟସଭ୍ୟାମାନଙ୍କର ଅଧିକାରର ସୁରକ୍ଷା ପାଇଁ ଅଦାଲତରେ ଆଶ୍ରୟ ନେଇପାରିବ ବୋଲି କହିଛନ୍ତି।

ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀ ବା ଶିକ୍ଷା କର୍ମଚାରୀ ଚାକିରିରେ ଥାଇ ମୃତ୍ୟୁବରଣ କଲେ ସେମାନଙ୍କୁ ମୃତ୍ୟୁକାଳୀନ ଥଇଥାନ ପାଇଁ ସରକାରୀ ବିଧିବ୍ୟବସ୍ଥା ନଥିଲା। କିନ୍ତୁ ରୀତାଞ୍ଜଳି ଗିରି ନାମକ ଜଣେ ଶିକ୍ଷକଙ୍କ ପତ୍ନୀ ଏଥିନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସ୍ବାମୀଙ୍କ ମୃତ୍ୟୁପରେ ପିଲାଛୁଆଙ୍କ ଭରଣପୋଷଣା ପାଇଁ ସ୍ବାମୀଙ୍କ ମୃତ୍ୟୁକାଳୀନ ଥଇଥାନ କରିବାକୁ ଅନୁରୋଧ ଜଣାଇଥିଲେ। ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହା ଲାଗୁ ହେଉଥିବା ବେଳେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନଙ୍କ କ୍ଷେତ୍ରରେ ତାହାକୁ ସମାନ ଭାବରେ ଲାଗୁ କରିବା ପାଇଁ ମଧ୍ୟ ସେ ଆବେଦନ କରିଥିଲେ। ରୀତାଞ୍ଜଳିଙ୍କ ଏହି ଆବଦେନକୁ ହାଇକୋର୍ଟ ଗ୍ରହଣ କରିବା ସହିତ ନୂତନ ଅନୁଦାନପ୍ରାପ୍ତ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମଧ୍ୟରେ କୌଣସି ଆଇନଗତ ପ୍ରାର୍ଥକ୍ୟ ନାହିଁ ବୋଲି ରାୟରେ ଦର୍ଶାଇ ଥିଲେ।

ହାଇକୋର୍ଟଙ୍କର ଉକ୍ତ ରାୟ ଓ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଦାବିକୁ ଆଧାର କରି ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ଚାକିରିରେ ଥାଇ ମୃତ୍ୟୁବରଣ କରିଥିବା ଶିକ୍ଷକ କର୍ମଚାରୀମାନଙ୍କୁ ପ୍ରଚଳିତ ନିୟମରେ ନିଯୁକ୍ତି ଦେବାପାଇଁ ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (ପତ୍ରସଂଖ୍ୟା ୧୬୦୨୯, ତା ୦୧.୦୮.୨୦୧୯) ନିେର୍ଦ୍ଦଶନାମା ଜାରି କରିଥିଲେ। ନୂତନ ଅନୁଦାନ ପାଉଥିବା ସ୍କୁଲ କଲେଜର ଶିକ୍ଷକ କର୍ମଚାରୀମାନଙ୍କୁ ଦରମା ବ୍ୟତୀତ ଚାକିରି ସର୍ତ୍ତାବଳୀ କିମ୍ବା ଅବସରକାଳୀନ ସୁବିଧା ସରକାର ପ୍ରଦାନ କରୁ ନଥିବାରୁ ରୀତାଞ୍ଜଳିଙ୍କ ମାମଲାରେ ହାଇକୋର୍ଟଙ୍କ ରାୟକୁ ଆଧାର କରି ଆହୁରି ଅନେକ ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା। ଫଳରେ ରାଜ୍ୟ ସରକାର ଚାକିରି ସର୍ତ୍ତାବଳୀ ଆଦି ନଦେବା ଲକ୍ଷ୍ୟରେ ପ୍ରଥମେ ସାଧାରଣ ପ୍ରଶାସନ ବିଭାଗ (୧୭.୦୩.୨୦୨୦) ଓ ପରବର୍ତ୍ତୀ ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (୯.୦୯.୨୦୨୦) ଉଭୟ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ଦିଆଯାଉଥିବା ମୃତ୍ୟୁକାଳୀନ ଥଇଥାନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିଥିଲେ । ଏହା ବିରୁଦ୍ଧରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସାଧାରଣ ସଂପାଦକଙ୍କ ତରଫରୁ ହାଇକୋର୍ଟରେ (ନଂ ୨୬୭୩୭/୨୦୨୦ ) ମାମଲା ଦାୟର ହୋଇଥିଲା।

ହାଇକୋର୍ଟ ମାମଲାର ବିଚାର କରି ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ଦ୍ବାରା ପ୍ରତ୍ୟାହାର କରାଯାଇଥିବା ଅଦେଶନାମା ଉପରେ ପୂର୍ବରୁ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିଥିଲେ। ଗଲା ଅଗଷ୍ଟ ୯ ଓ ୧୧ ତାରିଖରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିବା ବେଳେ ଆଜି ତାହାର ରାୟ ପ୍ରକାଶ ପାଇଛି। ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ୨୦୨୦, ମାର୍ଚ୍ଚ ୧୭ ତାରିଖରେ ନୂଆ ନିର୍ଦ୍ଦେଶନାମା ଜାରି କରିବା ପୂର୍ବରୁ ପ୍ରାଣ ହରାଇଥିବା ଶିକ୍ଷକ କର୍ମଚାରୀ ମାନଙ୍କ ଉତ୍ତରାଧିକାରୀଙ୍କୁ ଥଇଥାନ ଯୋଜନାରେ ଚାକିରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଓଷ୍ଟା ଭଳି ରାଜ୍ୟର ଅନ୍ୟ ପଞ୍ଜିକୃତ ସଂଗଠନ ସେମାନଙ୍କର ସଭ୍ୟସଭ୍ୟା ମାନଙ୍କର ନ୍ୟାୟିକ ଅଧିକାରର ସୁରକ୍ଷା ପାଇଁ ଅଦାଲତର ଆଶ୍ରୟ ନେଇପାରିବେ ବୋଲି ସ୍ପଷ୍ଟ କରିଛନ୍ତି।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଦିଲ୍ଲୀପ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର