ଯାଜପୁର/ରତ୍ନଗିରି/ ଉଦୟଗିରି: ପର୍ଯ୍ୟଟନକୁ ସରକାର ଶିଳ୍ପ ମାନ୍ୟତା ଦେଇଛନ୍ତି। ବିନା ପ୍ରଦୂଷଣ ଓ ପ୍ରାକୃତିକ ସମ୍ପଦ ଅପବ୍ୟୟ ନକରି ଆଞ୍ଚଳିକ ବିକାଶ ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଅର୍ଥନୀତି ବିକାଶକୁ ପର୍ଯ୍ୟଟନ ଶିଳ୍ପ ଜରିଆରେ ଆଗେଇ ନେଇନେବ ବୋଲି ବୁଦ୍ଧିଜୀବୀ ମତ ରଖିଆସୁଛନ୍ତି। ବୈଦେଶିକ ମୁଦ୍ରା ବୃଦ୍ଧି କରିବାରେ ବିଦେଶୀ ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷଣ କରିବା ଉପରେ ସରକାର ସର୍ବଦା ଜୋର ଦେଇଆସିଛନ୍ତି। ରାଜ୍ୟ ସରକାର ଏବେ ମଠମନ୍ଦିରର ବିକାଶ ପାଇଁ ସବୁଠାରୁ ଅଧିକ ଗୁରୁତ୍ବ ଦେଇ ରାଜକୋଷରୁ ଶହଶହ କୋଟି ଟଙ୍କା ବ୍ୟୟ କରିଚାଲିଛନ୍ତି। ଅଥଚ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳ ହୀରକ ତ୍ରିଭୁଜ ବୌଦ୍ଧବିହାର ରତ୍ନଗିରି-ଉଦୟଗିରି-ଲଳିତଗିରି ଏବେ ଧ୍ବଂସମୁଖରେ।
ପ୍ରକାଶ ଥାଉକି ହଜାରହଜାର ବର୍ଷର ଗୌରବମୟ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ମୂକସାକ୍ଷୀ ହୀରକ ତ୍ରିଭୁଜ ୩ ବୌଦ୍ଧ ବିହାର ମଧ୍ୟରୁ ଗୋଟିଏ ଲଳିତଗିରି ପଡ଼ୋଶୀ କଟକ ଜିଲ୍ଲାର ମାହାଙ୍ଗା ଅଞ୍ଚଳରେ ରହିଛି। ଅବଶିଷ୍ଟ ୨ଟି ବୌଦ୍ଧବିହାର ରତ୍ନଗିରି ଓ ଉଦୟଗିରି ଯାଜପୁର ଜିଲ୍ଲାରେ। ଏହି ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳ ଏବେ ବଣବୁଦାରେ ଭର୍ତ୍ତି ହୋଇ ଧ୍ବଂସମୁଖରେ ପଡ଼ିଛି। ଅଥଚ ଏହାର ବିକାଶ ପାଇଁ ଜିଲ୍ଲା ପ୍ରଶାସନର ଚରମ ଅବହେଳାକୁ ନେଇ ବୁଦ୍ଧିଜୀବୀ, ଐତିହାସିକ ଓ ଗବେଷକମାନେ ଉଦ୍ବେଗ ପ୍ରକାଶ କରିଆସୁଛନ୍ତି। ବଡ଼ଚଣା ବ୍ଲକ୍ରେ ଥିବା ଉଦୟଗିରି ବୌଦ୍ଧ ବିହାରରେ ଆଜି ପର୍ଯ୍ୟନ୍ତ ସଂଗ୍ରହାଳୟଟିଏ ହୋଇପାରିଲା ନାହିଁ। ହଜାରହଜାର ବର୍ଷର ମୂର୍ତ୍ତିଗୁଡ଼ିକ ଖରା, ବର୍ଷା କାକରରେ କ୍ଷୟ ହେବାରେ ଲାଗିଛି। ଏପରିକି ବହୁ ଦିନରୁ ଏହି ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ସନ୍ଧାନ ମିଳିଥିବାବେଳେ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ବ ବିଭାଗର ଦ୍ବାରା କେତେକ ଗାର୍ଡ କେବଳ ଜଗିଛନ୍ତି। ଅନେକ ମୂର୍ତ୍ତି ଏଥି ମଧ୍ୟରେ ଚୋରି ହୋଇଯାଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବ ମୁଖ୍ୟ ସମସ୍ୟା ହୋଇଛି। ଦୀର୍ଘ ଦିନରୁ ସ୍ବଳ୍ପ ଖନନ କରି ବିଭାଗ ଚୁପ୍ ହୋଇବସିଛି। ବହୁ ଅଜଣା ଇତିହାସ ଏବେ ବି ମାଟି ତଳେ ରହିଯାଇଛି। ସେହିପରି ବରୀ ବ୍ଲକ୍ରେ ଥିବା ରତ୍ନଗିରିରେ କିଛି ମୂର୍ତ୍ତି ସଂଗ୍ରହାଳୟରେ ରହିଛି। ଅବଶିଷ୍ଟ ସେହିପରି ବାହାରେ ବିକ୍ଷିପ୍ତ ଭାବେ ପଡ଼ିଛି। ଏହି ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳ ଗୋରୁଗାଈ ଓ ଛେଳିଙ୍କ ଚାରଣ ଭୂଇଁ ପାଲିଟିଛି। ଏହା ଦ୍ବାରା କୀର୍ତ୍ତିରାଜି ନଷ୍ଟ ହେଉଛି। ପାହାଡ଼ ଉପରେ ଥିବା ଏହି ୨ଟି ବୌଦ୍ଧ ବିହାରର ହଜାରହଜାର ବର୍ଷ ତଳର ଇତିହାସର ମୂକସାକ୍ଷୀ ହୋଇଥିବାରୁ ଅନୁସନ୍ଧାନ କରିବାକୁ ବିଶ୍ବସ୍ତରରୁ ବିଦେଶୀ ଗବେଷକ, ଐତିହାସିକଙ୍କ ସହିତ ବୌଦ୍ଧାବଲମ୍ବୀମାନେ ଏଠାକୁ ଆସୁଥିବା ବେଳେ ସେମାନଙ୍କର ରହଣି ପାଇଁ କୌଣସି ସୁବିଧା ନାହିଁ। ପର୍ଯ୍ୟଟନର ବିକାଶର କୌଣସି ପଦକ୍ଷେପ ଏଠାରେ ନିଆଯାଇ ନାହିଁ। ଅଥଚ ଓମ୍ବାଡ୍ସି, ଡିଏମ୍ଏଫ୍ ଓ ଜିଲ୍ଲାରେ ପ୍ରତିଷ୍ଠିତ ଏକାଧିକ ବୃହତ ଶିଳ୍ପାନୁଷ୍ଠାନ ର ସିଏସ୍ଆର୍ ଅନୁଦାନ କୋଟି କୋଟି ଟଙ୍କା ଚାକଚକ୍ୟ ଓ କ୍ଷଣସ୍ଥାୟୀ ଯୋଜନାରେ ବିନିଯୋଗ କରାଯାଉଛି। ଯାହାକୁ ନେଇ ବାରମ୍ବାର ଜିଲ୍ଲାର ବୁଦ୍ଧିଜୀବୀ ଚିନ୍ତା ପ୍ରକାଟ କରିଆସିଛନ୍ତି।
ଐତିହାସିକ ତଥା ବୌଦ୍ଧ ଗବେଷକ ଡକ୍ଟର ହରିଶ ପୃଷ୍ଟି ଏଥିନେଇ ବାରମ୍ବାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପରିକି କିଛି ଦିନ ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ)ର ମହାନିର୍ଦେଶକ ଡ. କିଶୋର କୁମାର ବାସା ଉଦୟଗିରି ଗସ୍ତରେ ଆସିଥିବା ବେଳେ ଡକ୍ଟର ପୃଷ୍ଟି ତାଙ୍କ ସହିତ ଆଲୋଚନା କରିଥିଲେ। ଉଦୟଗିରିରେ ସଂଗ୍ରହାଳୟ ହେବ ବୋଲି ଡ. ବାସା ଘୋଷଣା କରିଥିଲେ। ଭାରତ ସହିତ ଜାପାନ, ଚୀନ, ଶ୍ରୀଲଙ୍କା ସମେତ ବିଶ୍ବର ଅନେକ ଦେଶରେ ହଜାରହଜାର ବୌଦ୍ଧ ଧର୍ମାବଲମ୍ବୀ ଅଛନ୍ତି। ଯଦି ହୀରକ ତ୍ରିଭୁଜ ପର୍ଯ୍ୟଟନସ୍ଥଳୀର ଉପଯୁକ୍ତ ବିକାଶ ହୋଇପାରନ୍ତା ତେବେ ଯାଜପୁର କେବଳ ଖଣି ଓ ଶିଳ୍ପ ନୁହେଁ, ପର୍ଯ୍ୟଟନର ବି ରାଜଧାନୀ ହୋଇପାରନ୍ତା ବୋଲି ଗବେଷକ ଡ. ପୃଷ୍ଟି ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ ୫ଶହ ବିରଳ ବୌଦ୍ଧ ମୂର୍ତ୍ତି ଚିହ୍ନଟ କରିବା ସହିତ ଯାଜପୁର ଜିଲ୍ଲାରେ ୧୫୦ ମୂର୍ତ୍ତି ସେ ଚିହ୍ନଟ ହୋଇଛି। ଉଦୟଗିରି, ରତ୍ନଗିରି ସହିତ ଲାଙ୍ଗୁଡ଼ି ପାହାଡ଼, ବଜ୍ରଗିରି, କାଏମା, ଦେଉଳି ପାହାଡ଼ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୌଦ୍ଧ ମୂର୍ତ୍ତି ରହିଛି। ଏପରିକି ପଡ଼ୋଶୀ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ବହୁ ଐତିହ୍ୟର ସ୍ମାରକୀ ରହିଛି। ଏହାର ବିଶେଷ ଗବେଷଣା ସହିତ ରକ୍ଷଣାବେକ୍ଷଣ ଆବଶ୍ୟକ। ଯାହାକି ଓଡ଼ିଶାର ଗୌରବମୟ ପ୍ରାଚୀନ ଇତିହାସ ଉନ୍ମୋଚନ ହେବା ସହିତ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇ ପାରିବ ବୋଲି ଡକ୍ଟର ପୃଷ୍ଟି ମତ ରଖିଛନ୍ତି।