ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ପୂରିଲା ୬୩ ବର୍ଷ, ଚିଠି ଆସିଲେ ସେପଟେ ବିରୋଧ  କାହିଁକି ?

ସମ୍ବଲପୁର: ଯେତେବେଳେ ବି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ସରକାରୀଙ୍କ ପକ୍ଷରୁ କିଛି ସକରାତ୍ମକ ପ୍ରକ୍ରିୟା ଆରମ୍ଭ ହୁଏ, ସେତେବେଳେ କଟକ ହାଇକୋର୍ଟ ଓକିଲ ସଂଘ ବିରୋଧ ଆରମ୍ଭ କରି ଦେଇଥାଏ। ଏବେ ପୁଣି ସେଭଳି କିଛି ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଜଣାପଡ଼ିବା ପରେ ବିରୋଧ ପାଇଁ ହାଇକୋର୍ଟ ଓକିଲ ସଂଘ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହାକୁ ନେଇ ପଶ୍ଚିମ ଓଡ଼ିଶାରେ  ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପଟେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାବାସୀଙ୍କ ଦୀର୍ଘ ଦିନରେ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ କି’ ପଦକ୍ଷେପ ନେଉଛନ୍ତି, ତାହା ଅଂଚଳବାସୀ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୯୫୯ ମସିହାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ମୂଳଦୂଆ ପଡ଼ିଥିଲା। ସମ୍ବଲପୁର ଓକିଲ ସଂଘ ହାଇକୋର୍ଟର ସର୍କିଟ ବେଞ୍ଚ ସ୍ଥାପନ ଦାବିରେ ସେତେବେଳେ ଆନ୍ଦୋଳନ ଆରମ୍ଭ କରିଥିଲା।  ୧୩.୫.୧୯୮୯ରେ ଜନତା ଦଳ କ୍ଷମତାକୁ ଆସିଲେ ଓଡ଼ିଶା ହାଇକୋର୍ଟର ଦୁଇଟି ସର୍କିଟ କୋର୍ଟ କରିବ ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ତତ୍କାଳୀନ ସଭାପତିଙ୍କୁ ବିଜୁ ପଟ୍ଟନାୟକଙ୍କ ପତ୍ର ଦେଇଥିଲେ। ତେବେ, ୧୯୯୧-୯୨ ମସିହାରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ଆରମ୍ଭ କରିଥିଲା। କ୍ରମାଗତ ଭାବେ ୧୦୩ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିଲା। ଏପଟେ ବଲାଂଗୀର ଓକିଲ ସଂଘ ସ୍ଥାୟୀ ବେଞ୍ଚ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲା।

ଗତ ୩୦ ଏପ୍ରିଲ ୨୦୦୬ରେ ବରଗଡ଼ ଜିଲ୍ଲା ଓକିଲ ସଂଘର ଆହ୍ବାନରେ ପଶ୍ଚିମ ଓଡ଼ିଶାର ସବୁ ଓକିଲ ସଂଘ ବରଗଡ଼ରେ ଏକଜୁଟ୍‌ ହୋଇଥିଲେ। ୨୦୦୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ସଂପର୍କରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପତ୍ର ଦେଇଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି କିନ୍ତୁ ଏନେଇ ମନା କରିବା ପରେ ୧୧ ମାର୍ଚ ୨୦୦୮ରେ ସରକାରଙ୍କ ପାଲ୍‌ କମିସନ ଗଠନ କରିଥିଲେ। ଗତ ୨୮ ସେପ୍‌ଟେମ୍ବର ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓ ଦକ୍ଷିଣ  ଓଡ଼ିଶାରେ ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ସ୍ଥାପନ ସକାଶେ ତତ୍କାଳୀନ କେନ୍ଦ୍ରର ୟୁପିଏ ସରକାରଙ୍କୁ ଚିଠି ଲେଖିଥିଲେ। ୟୁପିଏ ସରକାର ସମୟରେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ ପୁଣି ଓଡ଼ିଶା ସରକାରଙ୍କୁ ପତ୍ର ଲେଖି ହାଇକୋର୍ଟର ସ୍ଥାପନ ପାଇଁ ଭିତ୍ତିଭୂମି ସଂପର୍କରେ ବିସ୍ତୃତ ତଥ୍ୟ ମାଗିଥିଲେ।

ଇତିମଧ୍ୟରେ ଏଭଳି ଅନେକ ଥର କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚିଠି ଦିଆନିଆ ହେଲାଣି। ଏପଟେ ହାଇକୋର୍ଟ ବେଞ୍ଚ ଦାବିରେ ଦିଲ୍ଲୀ ଯନ୍ତରମନ୍ତରରେ ବି ଧାରଣା ଦେଇଛି। ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି  କଟକ ଯାଇ ସେଠାରେ ମଧ୍ୟ ଧାରଣା ଦେଇଛି। ମୁଖ୍ୟମନ୍ତ୍ରୀ ୨୦୧୮ ଓ ୨୦୧୯ ମସିହାରେ ବି କେନ୍ଦ୍ରକୁ ଚିଠି ଲେଖିଛନ୍ତି। ଏହି ପ୍ରସଂଗ ଅନେକ ଥର ସଂସଦରେ ବି ଉଠିଛି। ଏପଟେ ଗତ ଏପ୍ରିଲ ୨୦ ତାରିଖ ଦିନ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ଲେଖି ହାଇକୋର୍ଟ  ମୁଖ୍ୟ ବିଚାରପତିଙ୍କ ସହିତ ଆବଶ୍ୟକ ପରାମର୍ଶ ନେଇ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଭିତ୍ତିଭୂମି, ଜଜ୍ ଓ କର୍ମଚାରୀମାନଙ୍କ ରହଣି ବ୍ୟବସ୍ଥା ଆଦି ସଂକ୍ରାନ୍ତରେ ଜଣାଇବାକୁ  କରିଛନ୍ତି। ଅପରପକ୍ଷରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ କେନ୍ଦ୍ର ମନ୍ତ୍ରୀଙ୍କ ଏହି ଚିଠି ରାଜ୍ୟ ଗୃହ ବିଭାଗ ଏବଂ ଓଡ଼ିଶା ହାଇକୋର୍ଟକୁ ପ୍ରେରଣ କରିଥିବା ଜଣାପଡ଼ିଛି। ଏପଟେ ଏହା ଜଣାପଡ଼ିବା ପରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ସବୁବେଳେ ବିରୋଧ କରିଆସୁଥିବା କଟକ ହାଇକୋର୍ଟ ବାର୍‌ ଏସୋସିଏସନ୍ ପକ୍ଷରୁ ଆସନ୍ତା ୧୬ ତାରିଖ ଦିନ ସାଧାରଣ ପରିଷଦ ବୈଠକ ଡକାଯାଇଥିବା ଜଣାପଡ଼ିଛି। ଏପଟେ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଚିଠିକୁ ପଶ୍ଚିମ ଓଡ଼ିଶାବାସୀ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର