ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପୁଣି ଆନ୍ଦୋଳନ ତୀବ୍ର କରିଛି। ଆଜି ସମ୍ବଲପୁରରେ ଅଫିସ୍-ଅଦାଲତ ଅଚଳ ହୋଇଯାଇଛି।
ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ ଅନେକ ଥର ଦାବିପତ୍ର ଦେଇଛି। ଏହି ପ୍ରସଂଗରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ପାଇଁ ସମୟ ବି ମଗାଯାଇଥିଲା। ମାତ୍ର, ମୁଖ୍ୟମନ୍ତ୍ରୀ ସମୟ ନଦେବାରୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଗତ ୨୮ ସେପ୍ଟେମ୍ବର ଦିନ ରାଜଧାନୀ ଭୁବନେଶ୍ବରକୁ ଯାଇ ଆନ୍ଦୋଳନ କରିଥିଲା। ତେବେ, ଓକିଲଙ୍କ ଆନ୍ଦୋଳନ ସମୟରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳକୁ ଡାକି ରାଜ୍ୟ ସରକାରଙ୍କ ୩ ଜଣ ମନ୍ତ୍ରୀ ଓ ଉଚ୍ଚସ୍ତରୀୟ ଅଧିକାରୀମାନେ ଲମ୍ବା ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ମଧୁର ପ୍ରତିଶ୍ରୁତି ବି ଦେଇଥିଲେ। ଏହା ସତ୍ତ୍ବେ ସରକାର ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ମତାମତ ନେଇ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପୂର୍ଣ୍ଣାଂଗ ପ୍ରସ୍ତାବ ପଠାଇ ନାହାନ୍ତି।
ତେଣୁ, ଦାବି ହାସଲ ନହେବା ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପ୍ରତ୍ୟେକ ମାସ ବୁଧବାର ଦିନ ବିଚାର ବିଭାଗୀୟ ଅଦାଲତ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଅଚଳ କରିବାକୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ଆଜି ଓକିଲ ସଂଘର ସଭ୍ୟମାନେ ସବୁ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରି ବନ୍ଦ କରିଦେଇଥିଲେ। ଆର୍ଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ ଠାରୁ ଆରମ୍ଭ କରି ସବୁ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ତେବେ, ଏଥିରୁ ବ୍ୟାଙ୍କ, ଏଲ୍ଆଇସି, ମହାନଗର ନିଗମ, ସ୍କୁଲ ଓ କଲେଜ, ଫ୍ୟୁଜ୍ କଲ୍ ସେଣ୍ଟର ଆଦି ବାଦ୍ ଦିଆଯାଇଥିଲା। ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର, ସଂପାଦକ ସରୋଜ ସାହୁ ପ୍ରମୁଖଙ୍କ ନେତୃତ୍ବରେ ଆଇନଜୀବୀମାନେ ପିକେଟିଂ କରି ବନ୍ଦ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପାଇଲଟ୍ ପ୍ରୋଜେକ୍ଟ ଭାବେ ସମ୍ବଲପୁରରେ ଆରମ୍ଭ ହୋଇଥିବା ବିଦ୍ୟୁତ୍ ପ୍ରିପେଡ୍ ମିଟର ଓ ପାଣି ମିଟର ସଂଯୋଗକୁ ବି ଜିଲ୍ଲା ଓକିଲ ସଂଘ ବିରୋଧ କରୁଛି।
ପାଇଲଟ୍ ପ୍ରୋଜେକ୍ଟ ନାମରେ ସମ୍ବଲପୁରର ନିରୀହ ଜନସାଧାରଣଙ୍କୁ ଦିଆଯାଉଥିବା ନିର୍ଯାତନା ଓ ମନମୁଖି ପ୍ରଶାସନିକ କାର୍ଯ୍ୟର ବି ପ୍ରତିବାଦ କରାଯିବା ସହିତ ଜନସଚେତନତା ସୃଷ୍ଟି କରାଯାଉଛି। ସମ୍ବଲପୁର ତଥା ବିଶେଷକରି ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର ପାତର ଅନ୍ତର କରୁଥିବାରୁ ସ୍ବତନ୍ତ୍ର ରାଜ୍ୟ ଦାବି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ କରାଯିବାକୁ କେତେକ ଜାଗାରେ ବ୍ୟାନର ବି ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଆନ୍ଦୋଳନକୁ ପୂର୍ବ ଭଳି ଜନ ସମର୍ଥନ ବି ମିଳିଥିଲା। ତେବେ, ଆନ୍ଦୋଳନ ସମୟରେ ଏସ୍ଡିଏ କାର୍ଯ୍ୟାଳୟ ଖୋଲା ରହିଥିବା ବେଳେ କେତେକ ବ୍ୟକ୍ତି ସେଠାରେ ପହଂଚି ଚୌକି, ଟେବୁଲ ଆଦି ଫିଙ୍ଗା ଫୋଫଡ଼ା କରିଥିବା ଜଣାପଡ଼ିଛି।