ପୁଣି ତେଜିବ ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନ, ବଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି ସିଏସି

‘ସରକାରୀ ନୀତି ରାଜ୍ୟର ଭୌଗୋଳିକ ବିଭାଜନର କାରଣ ହେବାକୁ ଯାଉଛି ’

ସମ୍ବଲପୁର : ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବା ପାଇଁ ରାଜ୍ୟ ସରକାର ପଛଘୁଞ୍ଚା ଦେଉଛନ୍ତି। ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏ୍‌ସି) ଦେଇଥିବା ଅବଧି ସରିଛି। ଚେତାବନୀ ଦିବସ ପାଳନ ପରେ ବି ସରକାର ନିରବ। ଏଭଳି ସ୍ଥିତିରେ ସିଏସି ପୁଣି ନାଗରିକ ସଂଗଠନଗୁଡ଼ିକର ସହାୟତାରେ ପୁଣି ଏକ ଆନ୍ଦୋଳନ ତୀବ୍ର କରିବାକୁ ଯୋଜନା କରୁଛି।

ଗତ ୨୦ ଏପ୍ରିଲରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆବଶ୍ୟକ ପରାମର୍ଶ ନେଇ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ନେଇ ଭିତ୍ତିଭୂମି, ଜଜ୍ ଓ କର୍ମଚାରୀମାନଙ୍କ ରହଣି ବ୍ୟବସ୍ଥା ଆଦି ସଂକ୍ରାନ୍ତରେ ବିସ୍ତୃତ ଭାବେ ଜଣାଇବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାପରେ ଗତ ୨୮ ମେ ରେ ସମ୍ବଲପୁରରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) ବୈଠକରେ ରାଜ୍ୟ ସରକାରଙ୍କୁ ଏ ନେଇ ୩୦ ଜୁନ୍ ପର୍ଯ୍ୟନ୍ତ ମହଲତ ଦେଇଥିଲେ। ରାଜ୍ୟ ସରକାରଙ୍କ ଉତ୍ତରକୁ ସମଗ୍ର ପଶ୍ଚିମ ଓଡ଼ିଶାବାସୀ ବେଶ୍‌ ଉତ୍କଣ୍ଠାର ସହିତ ଚାହିଁ ରହିଥିଲେ। ମାତ୍ର, ଏହି ଅବଧି ମଧ୍ୟରେ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଏହାର ପ୍ରତିବାଦରେ ଗତ ୮ ତାରିଖ ଦିନ ଚେତାବନୀ ଦିବସ ପାଳନ ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘର ସଭ୍ୟମାନେ ରାଲିରେ ବାହାରି ନିଜ ନିଜ ଅଂଚଳର ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ ଓ ଆର୍‌ଡିସିଙ୍କ ଜରିଆରେ ରାଜ୍ୟପାଳ ଦାବିପତ୍ର ଦେଇଥିଲେ।

ଇତିମଧ୍ୟରେ ପୁଣି ଅନେକ ଦିନ ବିତିଯାଇଛି। ରାଜ୍ୟ ସରକାର କିମ୍ବା ହାଇକୋର୍ଟଙ୍କଠାରୁ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନଥିବା କେନ୍ଦ୍ର ଆଇନ ମନ୍ତ୍ରୀ ସଂସଦରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟ ପଶ୍ଚିମ ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି। ସିଏସିର ସଂପାଦକ ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ହାଇକୋର୍ଟର କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଉନାହାନ୍ତି କି ଆଲୋଚନା ପାଇଁ ସମୟ ମାଗିଲେ ବି ସମୟ ଦେଉନାହାନ୍ତି। ଏଭଳି ସ୍ଥିତିରେ ସିଏସି ଆଗାମୀଦିନରେ ପୂର୍ବଭଳି ଏକ ବଡ଼ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି। ପୂର୍ବଭଳି ସରକାରୀ ଦପ୍ତର ବନ୍ଦ, ପଶ୍ଚିମ ଓଡ଼ିଶା ବନ୍ଦ, ଅର୍ଥନୈତିକ ଅବରୋଧ ଭଳି ଅନ୍ୟ କେତେକ ବିକଳ୍ପ ଉପାୟ ସଂପର୍କରେ ଚିନ୍ତା କରାଯାଉଛି। ଶୀଘ୍ର ସିଏସି ବୈଠକ ଡାକି ସମସ୍ତ ସଦସ୍ୟ ଓକିଲ ସଂଘଗୁଡ଼ିକର ସହମତି‌ରେ ଆନ୍ଦୋଳନର ରୂପରେଖ ଚୂଡ଼ାନ୍ତ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ତେବେ, ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ନପଠେଇବା ଘଟଣାରୁ ଉପକୂଳିଆଙ୍କ ଚାପରେ କାର୍ଯ୍ୟ କରୁଥିବା ସ୍ପଷ୍ଟ ହୋଇଯାଇଛି। ଅନ୍ୟ ବିକଳ୍ପ ସ୍ବରୂପ ସ୍ବତନ୍ତ୍ର ରାଜ୍ୟ ଗଠନ ଲାଗି ଚାଲିଥିବା ଆନ୍ଦୋଳନରେ ସମର୍ଥନ ଦେବାରେ ବିଚାର କରାଯାଇପାରେ। ରାଜ୍ୟ ସରକାରଙ୍କର ପାତରଅନ୍ତର ନୀତି ସମଗ୍ର ପଶ୍ଚିମ ଓଡ଼ିଶାକୁ ମାନସିକ ସ୍ତରରେ ବିଭାଜନ ସୃ‌ଷ୍ଟି କରିସାରିଛି। ଆଉ ଏବେ ଏହା ରାଜ୍ୟର ଭୌଗୋଳିକ ବିଭାଜନର କାରଣ ‌ହେବାକୁ ଯାଉଛି ବୋଲି ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୯୫୯ ମସିହାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ମୂଳଦୂଆ ପଡ଼ିଥିଲା। ହେଲେ, ହାଇକୋର୍ଟ ବେଞ୍ଚ୍‌ ସ୍ଥାପନକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରାଜନୈତିକ ଖେଳ ଚାଲିଛି। ୨୦୦୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ସଂପର୍କରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପତ୍ର ଦେଇଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି କିନ୍ତୁ ଏନେଇ ମନା କରିବାପରେ ୧୧ ମାର୍ଚ ୨୦୦୮ରେ ସରକାରଙ୍କ ପାଲ୍‌ କମିସନ ଗଠନ କରିଥିଲେ। ଗତ ୨୮ ସେପ୍ଟେମ୍ବର ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ସ୍ଥାପନ ସକାଶେ ତତ୍କାଳୀନ କେନ୍ଦ୍ରର ୟୁପିଏ ସରକାରଙ୍କୁ ଚିଠି ଲେଖିଥିଲେ। ୟୁପିଏ ସରକାର ସମୟରେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ ପୁଣି ଓଡ଼ିଶା ସରକାରଙ୍କୁ ପତ୍ର ଲେଖି ହାଇକୋର୍ଟର ସ୍ଥାପନ ପାଇଁ ଭିତ୍ତିଭୂମି ସଂପର୍କରେ ବିସ୍ତୃତ ତଥ୍ୟ ମାଗିଥିଲେ। ଇତିମଧ୍ୟରେ ଏଭଳି ଅନେକ ଥର କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚିଠି ଦିଆନିଆ ହେଲାଣି।

ସମ୍ବନ୍ଧିତ ଖବର