ସମ୍ବଲପୁର : ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଆନ୍ଦୋଳନ ନେଇ ମାନ୍ୟବର ସୁପ୍ରିମ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କାର୍ଯ୍ୟରେ ଯୋଗ ନଦେଲେ ଲାଇସେନ୍ସ ରଦ୍ଦ କରିବାକୁ ଆଦେଶ ଦେଇଛନ୍ତି। ଏହା ସତ୍ତ୍ବେ ଆଗାମୀ ଦିନରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଅଂଚଳରେ ତୀବ୍ର ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ ସଂପର୍କରେ ପଚାରିବାରୁ ନିଜ ପ୍ରତିକ୍ରିୟାରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର କହିଛନ୍ତି, ସୁପ୍ରିମକୋର୍ଟଙ୍କ ଆଦେଶର କପି ହସ୍ତଗତ ହେବା ପରେ ସାଧାରଣ ପରିଷଦ ବୈଠକରେ ଉପସ୍ଥାପନ ସହିତ ବିସ୍ତୃତ ଆଲୋଚନା କରାଯିବ। ମିଳିତ କ୍ରିୟାନୁଷ୍ଠାନ କମିଟି ସହିତ ବି ବିଚାର ବିମର୍ଶ ହେବ। ହାଇକୋର୍ଟ ବେଞ୍ଚ ଆନ୍ଦୋଳନରେ ଓକିଲ ସଂଘ ସହିତ ସମ୍ବଲପୁରର କେବଳ ୧୦୮ଟି ସଂଗଠନ ସଂପୃକ୍ତ ରହିଛନ୍ତି। ସେହି ସବୁ ସଂଗଠନର ମତାମତ ଅନୁସାରେ ଆଗକୁ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ତେବେ, ଓକିଲ ସଂଘର ପୂର୍ବ ବୈଠକ ନିଷ୍ପତ୍ତି ଅନୁସାରେ କୌଣସି ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଗଲେ ସଂଘର ସମସ୍ତ ସଦସ୍ୟ ଲାଇସେନ୍ସ ସରଣ୍ଡର କରିବାକୁ ଚେତାବନୀ ଦିଆଯାଇଥିଲା। ଏପଟେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଗତ ବୈଠକରେ ମଧ୍ୟ ଭାରତର ଆଇନଜୀବୀ ପରିଷଦ ଓ ରାଜ୍ୟ ଆଇନଜୀବୀ ପରିଷଦର ନିଷ୍ପତ୍ତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା। ଯଦି, ପଶ୍ଚିମ ଓଡ଼ିଶାର ଜନଦାବିକୁ ଦମନ କରିବା ପାଇଁ ଓକିଲ ସଂଘର କୌଣସି ସଦସ୍ୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଏ, ପଶ୍ଚିମ ଓଡ଼ିଶାର ସବୁ ଓକିଲ ସେମାନଙ୍କ ଓକିଲାତି ଲାଇସେନ୍ସ ସରଣ୍ଡର କରିବାକୁ ନିଷ୍ପତ୍ତି ହୋଇଥିଲା।
ହାଇକୋର୍ଟ ଓକିଲ ସଂଘ ସଂପ୍ରତି ଷଡ଼୍ଯନ୍ତ୍ର କରି ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଜରିଆରେ ରାଜ୍ୟ ସରକାରଙ୍କ ସହ ମିଶି ଆନ୍ଦୋଳନକୁ ଚପାଇଦେବାକୁ ଉଦ୍ୟମ କରୁଥିବା ସିଏସି ଅଭିଯୋଗ ଆଣିଥିଲା। ଏଭଳି ଚକ୍ରାନ୍ତକୁ ମିଳିତ ଭାବେ ପଣ୍ଡ କରିବାକୁ ସିଏସି ପଶ୍ଚିମ ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଥିଲା। ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା ଯୋଗୁ ପଶ୍ଚିମ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଦାବିକୁ ସିଏସି ପୂର୍ଣ୍ଣ ସମର୍ଥନ ଘୋଷଣା କରିବା ସହିତ ଆଗାମୀ ଦିନରେ ସ୍ବତନ୍ତ୍ର ରାଜ୍ୟ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ ସ୍ଥିର କରିଥିଲା। ସିଏସିର ଏଭଳି ଆହ୍ବାନ ପରେ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ଗତ ୨୩ ତାରିଖ ହାଇକୋର୍ଟ ବେଞ୍ଚ, ପଶ୍ଚିମ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ଆଦି ଦାବି ନେଇ ସମ୍ବଲପୁର ବନ୍ଦ ଡାକରା ଦେଇଥିଲା। ସମ୍ବଲପୁର ବନ୍ଦକୁ ଜନସାଧାରଣଙ୍କ ବ୍ୟାପକ ସମର୍ଥନ ମିଳିଥିଲା।
ସମ୍ବଲପୁର ଓକିଲ ସଂଘ ପୁଣି ଏହା ‘ଆର୍ପାର୍ର ଲଢ଼େଇ’ ଭଳି ପ୍ରତ୍ୟେକ ବୁଧବାର ଦିନ କରୁଥିବା ଆନ୍ଦୋଳନ ଦିନକୁ ଦିନ ତୀବ୍ର କରିବାରେ ଲାଗିଛି। ଏପଟେ ପୁଣି ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ସୁପ୍ରିମକୋର୍ଟରେ ଦାୟାର କରିଥିବା ସତ୍ୟପାଠରେ ହାଇକୋର୍ଟ ଓକିଲ ସଂଘର ଆନ୍ଦୋଳନାତ୍ମକ କାର୍ଯ୍ୟକୁ ଜାଣିଶୁଣି ଦର୍ଶାଇ ନଥିବାରୁ ତାଙ୍କ କାର୍ଯ୍ୟରେ ସ୍ବଚ୍ଛତା, ନରିପେକ୍ଷତା ଆଦି ନଥିବା ଦର୍ଶାଇ ସିଏସି ରାଷ୍ଟ୍ରପତିଙ୍କଠାରେ ଫେରାଦ ହୋଇଛି। ଉତ୍ତରାଂଚଳ ଆର୍ଡିସିଙ୍କ ଜରିଆରେ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତିଙ୍କୁ ନିବଦେନ କରାଯାଇଛି।