କଟକ: ଜେଲ୍ ସଂସ୍କାର ମାମଲାରେ ହାଇକୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଜେଲ୍ ଗୁଡିକରେ କଏଦୀଙ୍କ ପାଇଁ ରହିଥିବା ୱାର୍ଡ, ରୋଷଘର, ଶୌଚାଳୟର ମରାମତି ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ କହିଛନ୍ତି। ଆସନ୍ତା ଏପ୍ରିଲ ୩୦ ଓ ମେ ୧ରେ ସବୁ ଜିଲ୍ଲାର ଡିଏଲ୍ଏସ୍ଏ ସଚିବ ପୁଣି ଜେଲ୍ଗୁଡିକୁ ଗସ୍ତ କରି ଶୌଚାଳୟ, ରୋଷଘର, ୱାର୍ଡରେ ଆବଶ୍ୟକ ମରାମତି କରାଯାଇଛି କି ନାହିଁ ଏବଂ ଅନ୍ୟାନ୍ୟ ସମସ୍ୟା ଦୂର ହୋଇଛି କି ନାହିଁ, ତାହା ଯାଞ୍ଚ କରିବେ। ଅର୍ଥାତ୍ ୧୦ଦିନ ମଧ୍ୟରେ ଏସବୁ କାମ ସାରିବାକୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଆଜି ହାଇକୋର୍ଟରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ଏପ୍ରିଲ ୧୧ର ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ଜିଲ୍ଲାରେ ଥିବା ଜେଲ୍ଗୁଡିକର ସ୍ଥିତି ସଂକ୍ରାନ୍ତରେ ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଥିଲା। ରିପୋର୍ଟକୁ ଭିତ୍ତିକରି ହାଇକୋର୍ଟ ଏଭଳି ପ୍ରସଙ୍ଗକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ହାଇକୋର୍ଟ କହିଛନ୍ତି, ସବୁ ଜେଲ୍ର ବୋର୍ଡ ଅଫ୍ ଭିଜିଟର୍ସ ତିନିଦିନ ଭିତରେ ସଂପୃକ୍ତ ଜେଲ୍କୁ ଯାଇ ସ୍ଥିତି ଯାଞ୍ଚ କରିବେ। ଡିଏଲ୍ଏସ୍ଏ ରିପୋର୍ଟରେ ରହିଥିବା ତଥ୍ୟ ଅାଧାରରେ ଜେଲ୍ରେ ରହିଥିବା ଅସୁବିଧା ଦୂର ପ୍ରସଙ୍ଗରେ ଅନୁଧ୍ୟାନ କରିବେ। ଜେଲ୍ ଡିଜି ଏକ ସ୍ପେଶାଲ ଇଂପ୍ଲିମେଣ୍ଟସନ୍ କମିଟି (ସ୍ବତନ୍ତ୍ର କାର୍ଯ୍ୟକାରୀ କମିଟି ) ଗଠନ କରିବେ। ଡିଏଲ୍ଏସ୍ଏ ଓ ଆମିକସ୍ କ୍ୟୁରିଙ୍କ ରିପୋର୍ଟରେ ଦର୍ଶାଯାଇଥିବା ଅଭାବ ଅସୁବିଧା ଦୂର ପ୍ରସଙ୍ଗ ଏହି କମିଟି ସୁନିଶ୍ଚିତ କରିବ। ରିପୋର୍ଟରେ ଯେଉଁସବୁ ସମସ୍ୟା ପ୍ରସଙ୍ଗରେ ଉଲ୍ଲେଖ କରାଯାଇଛି, ତାହା ଦୂର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ। ସଂପୃକ୍ତ ଉପଜିଲ୍ଲାପାଳ ଓ ଜେଲ୍ ଅଧୀକ୍ଷକ ଛୋଟବଡ଼ ମରାମତି କାର୍ଯ୍ୟ ସଂପାଦନ ସୁନିଶ୍ଚିତ କରିବେ। ଆସନ୍ତା ଏପ୍ରିଲ ୩୦ ଓ ମେ ୧ରେ ସବୁ ଜିଲ୍ଲାର ଡିଏଲ୍ଏସ୍ଏ ସଚିବ ପୁଣି ଜେଲ୍ଗୁଡିକୁ ଗସ୍ତ କରି ସମସ୍ୟା ଦୂର ହୋଇଛି କି ନାହିଁ, ତାହା ଯାଞ୍ଚ କରିବେ। ଯାଞ୍ଚ ସମୟରେ ମରାମତି ପରର ସ୍ଥିତି ସଂପର୍କିତ ଭିଡିଓ ଓ ଫଟୋଗ୍ରାଫ୍ ନିଆଯିବ ଓ ରିପୋର୍ଟ ସହିତ ଏ ସବୁ ହାଇକୋର୍ଟରେ ଡିଏଲଏସଏ ସଚିବ ଦାଖଲ କରିବେ। ଏହିସବୁ ନିର୍ଦ୍ଦେଶ କଡ଼ାକଡ଼ି ପାଳନ କରାଯିବ। ଅଦାଲତଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ଜେଲ୍ର ଦାୟୀ ରହିବେ। ଯଦି ନିର୍ଦ୍ଦେଶ ଉଲ୍ଲଂଘନ ହୁଏ, ତେବେ ଅଦାଲତ ଅବମାନନା ପ୍ରକ୍ରିୟା ସଂପୃକ୍ତ ଜେଲରଙ୍କ ବିରୋଧରେ ଆରମ୍ଭ କରାଯିବ ବୋଲି ହାଇକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି।
ଶୁଣାଣି ସମୟରେ ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି, ଜେଲ୍ରେ ବନ୍ଦୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଚିନ୍ତାର ବିଷୟ । ବନ୍ଦୀମାନେ ରୋଷେଇ କରିବାକୁ ମଧ୍ୟ କୋର୍ଟ ନାପସନ୍ଦ କରିଛନ୍ତି। ବନ୍ଦୀଙ୍କୁ ଉପଯୁକ୍ତ ମାନର ଓ ପରିମାରଣର ଖାଦ୍ୟ ପ୍ରଦାନ ପାଇଁ ବ୍ୟବସ୍ଥା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏଥିପାଇଁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଦୀର୍ଘସୂତ୍ରୀ ଯୋଜନା ପ୍ରସ୍ତୁତ ପାଇଁ େଜଲ୍ ଡିଜିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦୀମାନେ କିଭଳି ଭାବେ ପୁଷ୍ଟିକର, ଉପଯୁକ୍ତ କ୍ୟାଲୋରିଯୁକ୍ତ, ଉପଯୁକ୍ତ ମାନର ଓ ପରିମାଣର ଖାଦ୍ୟ ପାଇ ପାରିବେ ତାହା ସୁନିଶ୍ଚିତ କରିବାକୁ କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଟି.ଏନ.ମାଥରୁ ରାୟରେ ଜଣେ କଏଦୀକୁ ଲକ୍ଅପରେ ଅତି କମ୍ରେ ୪୦ ବର୍ଗଫୁଟ ଜାଗା, ପାନୀୟ ଜଳ, ଟଏଲେଟ. ବିଦ୍ୟୁତ ଫ୍ୟାନ୍ ଭଳି ମୌଳିକ ସୁବିଧା ଦେବାଉପରେ ଗୁରୁତ୍ବାରୋପ କରିଥିଲେ। ଏହି ରାୟ ଆଧାରରେ ଜେଲ୍ଗୁଡିକର ୱାର୍ଡରେ ମଧ୍ୟ ବନ୍ଦୀଙ୍କ ପାଇଁ ବ୍ୟବସ୍ଥା ପ୍ରସଙ୍ଗରେ ଜବାବ ରଖିବାକୁ ହାଇକୋର୍ଟ କହିଛନ୍ତି। ଜେଲ୍ ଡିଜି ଗଠନ କରିବାକୁ ଥିବା କମିଟି ଏହି ପ୍ରସଂଗ ଅନୁଧ୍ୟାନ କରିବ। ଏଥିସହିତ ଜେଲ୍ଗୁଡିକରେ ଭିଡ଼ ଏଡାଇବା ପାଇଁ ବନ୍ଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରସଙ୍ଗରେ ଜେଲ୍ କର୍ତ୍ତୃପକ୍ଷଙ୍କ ଅନୁରୋଧ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସବୁ ଏସ୍ଡିଜେଏମ୍ଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ, ଏଭଳି କୌଣସି ଗୋଟିଏ ବି ଜେଲ୍ ନାହିଁ ଯେଉଁଠି କେବଳ ଜଣେ ମହିଳା ବନ୍ଦୀ ରହିଛନ୍ତି। ଏପ୍ରିଲ ୧୧ର ନିର୍ଦ୍ଦେଶ ପରେ ଏହି ପ୍ରସଙ୍ଗରେ ପଦକ୍ଷେପ ନିଆଯାଇ ଜଣେ ମହିଳା ବନ୍ଦୀଥିବା ଜେଲ୍ରୁ ସଂପୃକ୍ତ ବନ୍ଦୀଙ୍କୁ ଅନ୍ୟ ମହିଳା ବନ୍ଦୀ ଥିବା ଜେଲ୍ କୁ ସ୍ଥାନାନ୍ତର କରାଯାଇଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଏଥିସହିତ କୋରାପୁଟ ସବଜେଲ୍ର ଜେଲର୍ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ଏବଂ ଆଉ କେତେକ ଅଧିକାରୀଙ୍କ ବିରୋଧରେ ଶୃଙ୍ଖାଳଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ମେ ୫ ତାରିଖକୁ ଧାର୍ଯ୍ୟ କରାଯାଇଛି। ଆଦେଶ କାର୍ଯ୍ୟକାରୀ ସଂପର୍କିତ ରିପୋର୍ଟ ପରବର୍ତ୍ତୀ ଶୁଣାଣି ସମୟରେ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/high-court.jpg)