ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ଛାଡିବା ମାମଲା: ବର୍ଷାଙ୍କ ମାମଲାରେ ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ
କଟକ : ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ଭିଡିଓ ଛାଡି ବିଭିନ୍ନ ଅରୁଚିକର ମନ୍ତବ୍ୟ ଦେଉଥିବା ପ୍ରସଂଗକୁ ବିରୋଧ କରି ବର୍ଷା ପ୍ରିୟଦର୍ଶିନୀ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଏହି ପ୍ରସଂଗରେ ଆବେଦନକାରୀଙ୍କ ପାଇଁ ବିକଳ୍ପ ଆଇନଗତ ବ୍ୟବସ୍ଥା ରହିଛି ବୋଲି ହାଇକୋର୍ଟ କହିବା ସହିତ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ଅନ୍ୟପକ୍ଷରେ ଏହା ଏକ ପାରିବାରିକ ବିବାଦ ହୋଇଥିବାରୁ ଉଭୟ ପକ୍ଷ ସଂଯମ ଆଚରଣ ଓ ପରସ୍ପରକୁ ସମ୍ମାନ କରିବେ ବୋଲି ହାଇକୋର୍ଟ ଆଶାବ୍ୟକ୍ତ କରିବା ସହିତ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବର୍ଷାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମାମଲାରେ ୨୦୨୨ ମେ ୨୭ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୨୦୨୨ ମେ ୨୭ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ପ୍ରାରମ୍ଭିକ ଶୁଣାଣି କରି ବର୍ଷାଙ୍କ ବ୍ୟକ୍ତିଗତ ପ୍ରସଂଗକୁ ନେଇ ଅନୁଭବ ଆଉ କୌଣସି ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇପାରିବେ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ପରସ୍ପରକୁ ଆକ୍ଷେପ କରି ଆବେଦନକାରୀ ବର୍ଷା ଓ ପ୍ରତିପକ୍ଷ ଅନୁଭବ ସର୍ବସାଧାରଣରେ କୌଣସି ମନ୍ତବ୍ୟ ଦେଇ ପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ତାରିଖରେ ହାଇକୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ଏହି ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରହିଥିଲା। ୨୦୨୩ ଜାନୁଆରି ୬ରେ ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।
ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ଭିଡିଓ ଛାଡି ବିଭିନ୍ନ ଅରୁଚିକର କଥା କହୁଥିବା ଦର୍ଶାଇ ବର୍ଷା ୨୦୨୨ ମେ ମାସରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନରେ ଦର୍ଶାଯାଇଥିଲା ଯେ ଜଣେ ନାରୀ ଭାବେ ମର୍ଯାଦାପୂର୍ଣ୍ଣ ଜୀବନ ବଞ୍ଚିବା ତାଙ୍କର ଅଧିକାର ହୋଇଥିବା ବେଳେ ଅନୁଭବ ତାଙ୍କ ବୈବାହିକ ସଂପର୍କ ଓ ଅନ୍ୟ ବ୍ୟକ୍ତିଗତ ପ୍ରସଂଗକୁ ନେଇ ନାନା କଥା ସୋସିଅାଲ ମିଡିଆରେ କହୁଛନ୍ତି। ମାମଲା ଅଦାଲତରେ ବିଚାରାଧୀନ ଥିଲେ ମଧ୍ୟ ସୋସିଆଲ ମିଡିଆରେ ନାନା କଥା ଚର୍ଚ୍ଚା କରାଯାଉଛି। ଏସବୁ କଥା ଭିତ୍ତିହୀନ ଓ ଅମୂଳକ। କିନ୍ତୁ ସୋସିଆଲ ମିଡିଅାରେ ଅପ୍ରଚାର ଫଳରେ ତାଙ୍କର ବହୁତ କ୍ଷତି ହୋଇଛି। ଏପରି ଚର୍ଚ୍ଚା ଦ୍ବାରା ତାଙ୍କ ମାନ ସମ୍ମାନ ହାନି ହେଉଛି। ସୋସିଆଲ ମିଡିଆ ତଥା ଅନ୍ୟ ଗଣମାଧ୍ୟମରେ ଏଭଳି ଅପପ୍ରଚାର ଉପରେ ରୋକ ଲାଗାଯିବା ଉଚିତ। ଏପରି ଅପପ୍ରଚାର ଦ୍ବାରା ତାଙ୍କର ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି ବୋଲି ବର୍ଷାଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିଲା। ବର୍ଷାଙ୍କ ତରଫରୁ ଆଇନଜୀବୀ ସୁଜାତା ଜେନା ଓ ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ମାମଲା ପରିଚାଳନା କରୁଥିଲେ।