ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ରାଜଧାନୀରେ ଗର୍ଜିବ ଓକିଲ ସଂଘ। ୨୦୧୯ ମସିହାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ କରି ପଶ୍ଚିମାଞ୍ଚଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ମାତ୍ର ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହେଲାନି। ୨୦୧୯ ମସିହାର ଅନ୍ତରୀଣ ବଜେଟ୍‌ରେ ୫କୋଟି ଟଙ୍କାର ବ୍ୟୟବରାଦ ଘୋଷଣା ସତ୍ତ୍ବେ ମଧ୍ୟ ପ୍ରତ୍ୟାହାର ହୋଇସାରିଛି। ତେଣୁ ଏହାକୁ ନେଇ ପଶ୍ଚିମ ଓଡ଼ିଶାର ଆଇନଜୀବୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରତିବାଦ ଦିବସ, ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରତିବାଦ ସଭା କରାଯିବ ବୋଲି ରାଜଧାନୀରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। କଟକରୁ ରାଜଧାନୀକୁ ହାଇକୋର୍ଟ ସ୍ଥାନାନ୍ତର ଦାବିକୁ ସିଏସି ପକ୍ଷରୁ ଏହି ଅବସରରେ ସମର୍ଥନ କରାଯାଇଛି।

Advertisment

ହାଇକୋର୍ଟ ବେଞ୍ଚ ଦାବି ନେଇ ସିଏସି କହିଛି, ୭୦ବର୍ଷ ହେଲା ପଶ୍ଚିମ ଓଡ଼ିଶାରେ ଉଚ୍ଚନ୍ୟାୟାଳୟର ସ୍ଥାୟୀ ଖଣ୍ଡପୀଠ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଛି। ପୂର୍ବରୁ ଏହା ସର୍କିଟ୍‌ ବେଞ୍ଚର ଦାବି ଥିଲା, ବର୍ତ୍ତମାନ ସ୍ଥାୟୀ ବେଞ୍ଚର ଦାବିରେ ପରିଣତ ହୋଇସାରିଛି। ୧୯୯୦ ମସିହାରେ ସମ୍ବଲପୁରରେ ସର୍କିଟ ବେଞ୍ଚ ପାଇଁ ବିଜୁ ପଟ୍ଟନାୟକ ସରକାର ସୁପାରିସ ମଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୩ ମସିହାରେ ନବୀନ ପଟ୍ଟନାୟକ ସରକାର ମଧ୍ୟ ଯଶବନ୍ତ ସିଂ କମିଟିର ରିପୋର୍ଟ ଆଧାରରେ ସ୍ଥାୟୀ ବେଞ୍ଚ ପାଇଁ ସୁପାରିସ କରିଥିଲେ। ଏହାର ଉତ୍ତରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ପ୍ରସ୍ତାବ ପଠାଇବା ପାଇଁ ବାରମ୍ବାର ଚିଠି କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ପ୍ରସ୍ତାବ ଦିଆଯାଇନାହିଁ, ବରଂ ଏହାକୁ ନେଇ ରାଜ୍ୟ ସରକାର ଏବଂ ହାଇକୋର୍ଟ ନିରବ ରହିଛନ୍ତି।
ରାଜ୍ୟ ସରକାର କେନ୍ଦ୍ରକୁ ପଶ୍ଚିମାଞ୍ଚଳର ସମ୍ବଲପୁରରେ ୭ଜଣ ବିଚାରପତିଙ୍କୁ ନେଇ ସ୍ଥାୟୀ ଖଣ୍ଡପୀଠ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମି, କୋଠା ଏବଂ ଆନୁଷଙ୍ଗିକ ଖର୍ଚ ବହନ ପାଇଁ ସ୍ପଷ୍ଟ ଉଲ୍ଲେଖ କରି, ନ୍ୟାୟାଳୟର ମତାମତ ଏବଂ ରାଜ୍ୟପାଳଙ୍କ ପରାମର୍ଶ ନେଇ କେନ୍ଦ୍ରକୁ ପ୍ରସ୍ତାବ ପଠାଇବାର ଆବଶ୍ୟକତା ରହିଛି। ମାତ୍ର ଏହାକୁ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଅନ୍ୟ ଦିଗରେ ସିଏସି ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି, ମୁଖ୍ୟ ଶାସନ ସଚିବ ଏବଂ ଗୃହସଚିବଙ୍କ ସହିତ ଆଲୋଚନା ପାଇଁ ସମୟ ଲାଗିଥିଲେ ମଧ୍ୟ ଏହାକୁ ଉପେକ୍ଷା କରାଯାଇଥିଲା।

ଏଥିଯୋଗୁଁ ଏହି ଆନ୍ଦୋଳନ କରାଯାଇଥିବା ସିଏସି କହିଛି। ଏହା ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା ବୋଲି ଅଭିଯୋଗ ହୋଇଛି। ଅନ୍ୟଦିଗରେ ବର୍ତ୍ତମାନ ପଶ୍ଚିମାଞ୍ଚଳର ଅନେକ ମାମଲା ହାଇକୋର୍ଟରେ ବର୍ଷାଧିକ ସମୟ ହେଲା ପଡ଼ି ରହିଛି। ଅର୍ଥାଭାବ ଏବଂ ଦୂରତା ଯୋଗୁଁ ଅନେକ ଆସି ପାରୁନାହାନ୍ତି। ସାମ୍ବାଦିକ ସମ୍ମିଳନୀରେ ସିଏସି ଆବାହକ ଅଶୋକ ଦାସ, ବରିଷ୍ଠ କର୍ମକର୍ତ୍ତା ବିଜିତେନ୍ଦ୍ରୀୟ ପ୍ରଧାନ, ସୁରେଶ୍ବର ମିଶ୍ର, ସତ୍ୟନାରାୟଣ ପଣ୍ଡା, ପ୍ରମୋଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।