କଟକ:  ଜମିଜମା ରେକର୍ଡ, ମାଲିକାନା ସତ୍ତ୍ବ, ପଟ୍ଟାରେ ତଥ୍ୟ ସଂଶୋଧନ ଇତ୍ୟାଦି ସଂପର୍କିତ ମାମଲାର ବିଚାର କରୁଥିବା ରାଜ୍ୟ ସରକାରଙ୍କ ଅଧୀନ ରିଭିଜନାଲ କୋର୍ଟଗୁଡ଼ିକରେ ଶୁଣାଣିରେ ବିଳମ୍ବ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜସ୍ବ ପର୍ଷଦ ସଭ୍ୟ ସି.ଜେ.ବେଣୁଗୋପାଳଙ୍କ ତରଫରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶା ସର୍ଭେ ଆଣ୍ଡ ସେଟଲ୍‌ମେଣ୍ଟ ଆକ୍ଟ, ୧୯୫୮(ଓଏସ୍‌ ଆଣ୍ଡ ଏସ୍‌ ଆଇନ) ଓ ଓଡ଼ିଶା କନସୋଲିଡେସନ୍ ଅଫ୍ ହୋଲ୍ଡିଂସ୍ ଆଣ୍ଡ ପ୍ରିଭେନସନ୍ ଅଫ୍ ଫ୍ରାଗମେଣ୍ଟସନ୍ ଅଫ୍ ଲ୍ୟାଣ୍ଡ ଆକ୍ଟ, ୧୯୭୨(ଓସିଏଚ୍‌ ଆଣ୍ଡ ପିଏଫ୍‌ଏଲ୍‌ ଆଇନ) ଆଇନ ଅନ୍ତର୍ଗତ ରିଭିଜିନାଲ ମାମଲାଗୁଡ଼ିକର ବିଚାର ପାଇଁ ଏବେ ରାଜ୍ୟରେ ୪୦ଟି ରିଭିଜନାଲ କୋର୍ଟ ରହିଛି। ରାଜସ୍ବ ପର୍ଷଦ ସଭ୍ୟଙ୍କ କଟକ ଓ ଭୁବନେଶ୍ବର କ୍ୟାମ୍ପ କୋର୍ଟ, କଟକସ୍ଥିତ ଲ୍ୟାଣ୍ଡ ରେକର୍ଡସ୍ ଓ ସେଟଲ୍‌ମେଣ୍ଟ କମିସନର, ଭୁବନେଶ୍ବରସ୍ଥିତ କନସୋଲିଡେସନ୍ କମିସନର, କମିସନର (ସି ଆଣ୍ଡ ଏସ୍‌), କଟକସ୍ଥିତ ଲ୍ୟାଣ୍ଡ ରିଫର୍ମସ୍ କମିସନର, କନ‌ସୋଲିଡେସନ୍ କମିସନର କୋର୍ଟ ସମେତ ୪୦ଟି ଏପରି କୋର୍ଟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହିଛି। ଏହି ସବୁ କୋର୍ଟରେ ଓଏସ୍‌ ଆଣ୍ଡ ଏସ୍‌ ଆଇନ ଅଧୀନ ୯୧୯୪୬ ମାମଲା ଓ ଓଏସ୍‌ ଆଣ୍ଡ ଏସ୍‌ ଆଇନ ଅଧୀନ ୩୯୫୮୦ ମାମଲା ବିଚାରାଧୀନ ରହିଛି। ବିଭିନ୍ନ ରିଭିଜନାଲ କୋର୍ଟରେ ଇତିମଧ୍ୟରେ ୩୦ଜଣ କନିଷ୍ଠ ସହକାରୀଙ୍କୁ ଅବସ୍ଥାପିତ କରାଯାଇଛି। ସେହିଭଳି ଭାବେ ୪୧ ଜଣ ମଲ୍ଟି ଟାସ୍କିଂ ଅଦାଲତ ସହକାରୀଙ୍କୁ ମଧ୍ୟ କାର୍ଯ୍ୟ ସଂପାଦନ ପାଇଁ ଏହି ସବୁ କୋର୍ଟରେ ନିୟୋଜିତ କରାଯାଇଛି। ଠିକ୍‌ ସମୟରେ ମାମଲା ଫଏସଲା ସୁନିଶ୍ଚିତ କରିବା ପାଇଁ କୋର୍ଟର ପ୍ରିଜାଇଡିଂ ଅଫିସର ଓ କୋର୍ଟ ଅଫିସରଙ୍କ ସହିତ ସମୀକ୍ଷା ବୈଠକ କରାଯାଉଛି। ଏହି ପ୍ରସଙ୍ଗ ନିୟମିତ ତଦାରଖ କରାଯାଉଛି। ଆବେଦନକାରୀଙ୍କ ତରଫରୁ ଆବଶ୍ୟକ ନଥିପତ୍ର ଦାଖଲ କରାନଯିବା  ଓ ଅନ୍ୟ କେତେକ ବୈଷୟିକ କାରଣରୁ ମାମଲାଗୁଡ଼ିକର ପ୍ରାରମ୍ଭିକ ଶୁଣାଣିରେ ବିଳମ୍ବ ହେଉଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି।

Advertisment

ଅନ୍ୟପକ୍ଷରେ ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରିଭିଜନାଲ କୋର୍ଟଗୁଡ଼ିକ ଏତେ ପରିମାଣର ବିଚାରାଧୀନ ମାମଲାର କେମିତି ଶୁଣାଣି କରି ଫଏସଲା କରିବେ ସେ ନେଇ ନିର୍ଦ୍ଦିଷ୍ଟ ନିୟମାବଳୀ ସଂପର୍କରେ ସତ୍ୟପାଠରେ କିଛି ତଥ୍ୟ ପ୍ରଦାନ କରାଯାଇ ନାହିଁ। ଏଥି ସହିତ ରିଭିଜନାଲ କୋର୍ଟଗୁଡ଼ିକ ନିୟମିତ କାର୍ଯ୍ୟ କରୁନାହାନ୍ତି ବୋଲି ହାଇକୋର୍ଟ କହିଛନ୍ତି। ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ପ୍ରସଙ୍ଗରେ ନିୟମାବଳୀ ଅନୁପାଳନ କରାଯାଉ ନାହିଁ। ରିଭିଜନାଲ କୋର୍ଟଗୁଡ଼ିକର କାର୍ଯ୍ୟକ୍ଷମ ପ୍ରସଙ୍ଗ ସୁବ୍ୟବସ୍ଥିତ କରିବା ଓ ବିଚାରାଧୀନ ବହୁ ସଂଖ୍ୟକ ମାମଲାର ତ୍ବରିତ ଫଏସଲା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏହି ପ୍ରସଙ୍ଗରେ ରାଜସ୍ବ ପର୍ଷଦ ସଭ୍ୟ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବଙ୍କୁ ସାନି ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରିଭିଜନାଲ କୋର୍ଟଗୁଡ଼ିକ ଉପରେ ରହିଥିବା ନିୟନ୍ତ୍ରଣ କର୍ତ୍ତୃପକ୍ଷ ଓ ସେମାନଙ୍କ ଦାୟିତ୍ବ ପ୍ରସଂଗରେ ସତ୍ୟପାଠରେ ଉଲ୍ଲେଖ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁପ୍ରସାଦ ମହାପାତ୍ର ଓ ଅନ୍ୟମାନଙ୍କ ତରଫରୁ ଦାୟର ମାମଲା ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଅକ୍ଟୋବର ୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। 

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୨ ମସିହାରେ ଦାୟର କରାଯାଇଥିବା ମାମଲାର ରିଭିଜନାଲ କୋର୍ଟରେ ଏ ପର୍ଯ୍ୟନ୍ତ ପ୍ରାରମ୍ଭିକ ଶୁଣାଣି ହୋଇ ନଥିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଥିଲେ। କେତେ ସଂଖ୍ୟକ ‌ଏପରି ରିଭିଜନାଲ କୋର୍ଟ ରହିଛି ଓ କେତେ ମାମଲା ବିଚାରାଧୀନ ରହିଛି ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ରାଜସ୍ବ ପର୍ଷଦ ସଭ୍ୟଙ୍କୁ ଗତ ୧୧ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ମହାପାତ୍ରଙ୍କ ତରଫରୁ ଆଇନଜୀବୀ ମନ୍ମୟ କୁମାର ଦାଶ ଓ ସରକାରଙ୍କ ପକ୍ଷରୁ ଏଜିଏ ବିପ୍ଳବ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।