କଟକ: ବିବାହ ପ୍ରତିଶ୍ରୁତି ଦେଇ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖିବା ଓ ପରବର୍ତ୍ତୀ ସମୟରେ ଜୋର୍ ଜବରଦସ୍ତ ଗର୍ଭପାତ କରାଇବା ଘଟଣାରେ ନିମ୍ନ ଅଦାଲତ ପ୍ରଦାନ କରିଥିବା ଦଣ୍ଡାଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି। ମାମଲା ବିଚାରାଧୀନ ଥିବା ବେଳେ ଆବେଦନକାରୀ ଜାମିନରେ ଥିବା ତଥା ଘଟଣାକୁ ଇତିମଧ୍ୟରେ ଦୀର୍ଘ ୩୩ବର୍ଷ ଅତିକ୍ରାନ୍ତ ହୋଇଯାଇଥିବା ପ୍ରସଂଗକୁ ବିଚାରକୁ ନେଇ ହାଇକାର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କୁ ପ୍ରୋବେସନ୍ ଅଫ୍ ଅଫେଣ୍ଡର୍ସ (ପିଓ) ଆଇନ, ୧୯୫୮ରେ ଥିବା ବ୍ୟବସ୍ଥା ଅଧୀନରେ ମୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ନିମ୍ନ ଅଦାଲତରେ ହାଜର ହେବେ। ଏହାପରେ ପିଓ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଆବେଦନକାରୀଙ୍କୁ ଛାଡ଼ିବାକୁ ନିମ୍ନ ଅଦାଲତ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ନିମ୍ନ ଅଦାଲତଙ୍କ ୧୯୯୩, ଫେବ୍ରୁଆରି ୧୨ର ରାୟ ବିରୋଧରେ ୧୯୯୩ରେ ଦାୟର ଅପିଲର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୋଳଗୋବିନ୍ଦ ଜେନାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ବିବାହ କରିବେ କହି ଆବେଦନକାରୀ ଜଣେ ୧୩ ବର୍ଷୀୟା ନାବାଳିକା ସହିତ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ନାବାଳିକା ଗର୍ଭବତୀ ହେବାରୁ ତାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିଲେ। ଏ ନେଇ ପୀଡ଼ିତାଙ୍କ ପିତା ଆନନ୍ଦପୁର ଏସ୍ଡିଜେଏମ୍ ଅଦାଲତରେ ୧୯୯୧ରେ ଅଭିଯୋଗ ଦାୟର କରିଥିଲେ। ପରେ ମାମଲାର ଶୁଣାଣି ଆନନ୍ଦପୁର ସହକାରୀ ଦୌରା ଜଜ୍ ଅଦାଲତରେ ହୋଇଥିଲା। ୧୯୯୨ ଫେବ୍ରୁଆରି ୧୨ରେ ଅଦାଲତ ରାୟ ପ୍ରକାଶ କରି ଆଇପିସିର ଦଫା ୩୧୩ ଓ ୪୯୩ରେ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଓ ୧ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଥିଲେ।
ସହକାରୀ ଦୌରା ଜଜ୍ ଅଦାଲତଙ୍କ ରାୟ ବିରୋଧରେ ଆବେଦନକାରୀ ୧୯୯୩ ଫେବ୍ରୁଆରି ୨୨ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲା ବିଚାରାଧୀନ ଥିବା ବେଳେ ୧୯୯୩ ଅଗଷ୍ଟ ୩ରେ ଆବେଦନକାରୀଙ୍କୁ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଇତିମଧ୍ୟରେ ୩୧ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି ଓ ଆବେଦନକାରୀ ଜାମିନର କୌଣସି ସର୍ତ୍ତ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ନାହିଁ। ତେବେ ତଥ୍ୟ ପ୍ରମାଣ ଦୃଷ୍ଟିରୁ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶରେ ହାଇକୋର୍ଟ ହସ୍ତକ୍ଷେପ କରି ନଥିଲେ ମଧ୍ୟ ଆବେଦନକାରୀଙ୍କୁ ଏବେ ୬୩ବର୍ଷ ବୟସ ପ୍ରସଙ୍ଗକୁ ବିଚାରକୁ ନେଇ ପିଓ ଆଇନରେ ଥିବା ବ୍ୟବସ୍ଥାରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।