ପଡ଼ିଆରେ ଖେଳୁଥିଲେ ପିଲା, ଛିଣ୍ଡିଲା ଉଚ୍ଚଶକ୍ତିସଂପନ୍ନ ବିଦ୍ୟୁତ୍‌ ତାର

ବ୍ରହ୍ମବରଦା : ଗାଁ ପଡ଼ିଆରେ ଖେଳୁଥିଲେ ପିଲା। ହଠାତ ଛିଣ୍ଡିଲା ଉଚ୍ଚଶକ୍ତିସଂପନ୍ନ ୧୧ କେଭି ବିଦ୍ୟୁତ୍‌ ତାର। ସୌଭାଗ୍ୟବଶତଃ କାହାର କିଛି କ୍ଷତି ‌ହୋଇନି। ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତ ସାନବାଗସାହି ଗ୍ରାମରେ ଘଟିଛି ଏହି ଅଘଟଣ। ସୁଜନପୁର ବିଦ୍ୟୁତ୍‌ ଷ୍ଟ୍ରକଚରରୁ ସାନବାଗସାହି ଗ୍ରାମ ମୁଖ୍ୟ ରାସ୍ତା ପାର ହୋଇ ବ୍ରହ୍ମବରଦାକୁ ଯାଇଥିବା ଏହି ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାର ଗଛ ସହିତ ପିଟି ହୋଇ ଗୁରୁବାର ଅପରାହ୍‌ଣରେ ଛିଣ୍ଡି ଯାଇଥିଲା। ତାରଟି ସିଧା ତଳେ ପଡ଼ିଥିଲା। ଏହା ଦେଖି ପଡ଼ିଆରେ ଖେଳୁଥିବା ପିଲାମାନେ ଭୟରେ ଦୌଡ଼ି ପଳାଇ ଯାଇଥିଲେ। କାହାର କୌଣସି କ୍ଷତି ହୋଇନଥିଲା। କିଛି ସମୟ ପରେ ବିଦ୍ୟୁତ୍‌ ବିଭାଗକୁ ସୂଚନା ଦେବା ପରେ ବିଜୁଳି ସ˚ଯୋଗ କଟାଯାଇଥିଲା। ପରେ ବିଭାଗ ତରଫରୁ ଏହାକୁ ମରାମତି କରାଯାଇଛି।

ସୂଚନାଥାଉକି ସାନବାଗସାହି ଗ୍ରାମରୁ ବ୍ରହ୍ମବରଦାକୁ ଯାଇଥିବା ଏହି ବିଦ୍ୟୁତ୍‌ ତାରଟି ସାନବାଗସାହି ମୁଖ୍ୟ ରାସ୍ତାକୁ ପାର ହୋଇ ଯାଇଥାଏ। ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏହାର ପ୍ରତିକାର କରାଯାଉନାହିଁ। ଥରେ କି ଦୁଇ ଥର ନୁହେଁ ବାରମ୍ବାର ଏହି ତାର ଏଠାରେ ଛିଡୁଛି। ତଥାପି ବିଦ୍ୟୁତ୍‌ ବିଭାଗ ବେପରବାୟ ରହିଛି। ବନ୍ଧ ନିକଟରେ ବସବାସ କରୁଥିବା ୭ ରୁ ୮ ପରିବାର ଏହାକୁ ନେଇ ଆଶଙ୍କାରେ ରହୁଛନ୍ତି। ରାସ୍ତା ଉପରେ ଯାଉଥିବା ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାରଗୁଡ଼ିକୁ ପାଇପ ମଧ୍ୟରେ ରଖାଯାଇ କିମ୍ବା ତଳେ ସୁରକ୍ଷା ଜାଲି ଲଗାଇ ନେବା ନିୟମ ରହିଥିଲେ ମଧ୍ୟ ଏଠାରେ ତାହା ପାଳନ କରାଯାଇନାହିଁ। ଫଳରେ ଏହି ମୁଖ୍ୟ ରାସ୍ତା ଦେଇ ଯାତାୟାତ କରୁଥିବା ୫ ପଞ୍ଚାୟତର ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ପଞ୍ଚାୟତ କାର୍ଯ୍ୟାଳୟ ଓ ଅନ୍ୟ ସ୍ଥାନକୁ ଯିବାଆସିବା କରୁଥିବା ଲୋକମାନଙ୍କ ପ୍ରତି ବିପଦ ଆଶଙ୍କା ରହୁଛି। ବ୍ରାହ୍ମଣୀ ନଦୀ ମଧ୍ୟ ଦେଇ ଯାଇଥିବା ଏହି ତାର ଖୁଣ୍ଟ ବାରମ୍ବାର ବନ୍ୟାରେ ଦୁର୍ବଳ ହୋଇ ପଡ଼ିଛି। ଖୁଣ୍ଟର ଷ୍ଟେ ତାର ଗୁଡ଼ିକ ଛିଡି ଯାଇଥିଲା। ତାହାକୁ ମରାମତି କରା ନ ଯାଇ ଏଠିସେଠି ବାନ୍ଧି ଦିଆଯାଇଛି। ସେହିପରି ସାମାନ୍ୟ ପବନ ହେଲେ ତାରକୁ ତାର ଲାଗି ନିକଟରେ ଥିବା ଗଛଗୁଡ଼ିକରେ ନିଆଁ ଲାଗିଯାଉଥିବା ଦେଖିବାକୁ ମିଳୁଛି। ଏହାଛଡ଼ା ଅନେକ ଜାଗାରେ ଫୁଙ୍ଗୁଳା ଟ୍ରାନ୍ସଫର୍ମର ରହିଛି।

ସମ୍ବନ୍ଧିତ ଖବର