ହାଇୱା ନେଇଗଲା ୬ ଜୀବନ: ଶରଣକୁଳରେ ହୃଦୟବିଦାରକ ଦୁର୍ଘଟଣା, ସାମ୍‌ନାରେ ଯିଏ ପଡ଼ିଲା ଚାପିଦେଲା

ପ୍ରତିବାଦରେ ନୟାଗଡ଼-ଭଞ୍ଜନଗର ରାସ୍ତା ଅବରୋଧ

ଶରଣକୁଳ: ନୟାଗଡ଼ର ଶରଣକୁଳରେ ଆଜି ଘଟିଛି ଏକ ହୃଦୟବିଦାରକ ଦୁର୍ଘଟଣା। କେହି କିଛି ବୁଝିବା ଆଗରୁ ଏକା ସାଙ୍ଗରେ ୬ଟି ଜୀବନ ଚାଲିଯାଇଛି। ଗୋଟିଏ ମଦ୍ୟପ ଡ୍ରାଇଭର୍‌ର ବେପରୱା ଗାଡ଼ି ଚାଳନା ଯୋଗୁ ଏହିଭଳି ଘଟଣା ଘଟିଛି। ମାତ୍ର, କିଛି ମୁହୂର୍ତ୍ତ ଭିତରେ ଗୋଟିଏ ପରେ ଗୋଟିଏ ଜୀବନ ଚାଲିଯାଇଛି। ଏହିଭଳି ଏକ ଦୁଃଖଦ ଘଟଣା ପରେ ଲୁହ ଆଉ କୋହ ଭିତରେ ସ୍ତବ୍ଧ ପାଲଟିଯାଇଛି ଶରଣକୁଳ। ପ୍ରକାଶ ଯେ, ଆଜି ଅପରାହ୍ଣ ୩ଟା ସମୟରେ ଏକ ହାଇୱା (ଓଡି ୦୨ ଇ ୬୧୬୫) ନୟାଗଡ଼ ଆଡ଼ୁ କ୍ଷୀପ୍ର ଗତିରେ ଆସିଥିଲା। ନରେନ୍ଦ୍ରପୁର ମିଲ୍‌ସାହିର ଖୁଡ଼ି ସୁବାସିନୀ ସାହୁ (୪୨) ଓ ପୁତୁରାବୋହୂ ସରୋଜିନୀ ସାହୁ(୩୧) ନିଜ ଘର ସାମ୍ନାରେ ଛିଡ଼ା ହୋଇଥିବା ବେଳେ ତୀବ୍ର ବେଗରେ ଆସୁଥିବା ହାଇୱାଟି ଉଭୟଙ୍କୁ ଧକ୍କା ଦେଇଥିଲା। ଫଳରେ ସରୋଜିନୀ ଓ ସୁବାସିନୀ ଛିଟିକି ପଡ଼ି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

ଟ୍ରକ୍‌ଟି ଏ ଦୁହିଁଙ୍କୁ ଧକ୍କାଦେଇ ପୁଣି ରକେଟ୍ ବେଗରେ ଶରଣକୁଳ ବଜାର ଭିତର ଦେଇ ଓଡ଼ଗାଁ ରାସ୍ତାରେ ଯାଉଥିବା ସମୟରେ ଶୁଆରସାହିଠାରେ ରାସ୍ତାକଡ଼ରେ ଠିଆ ହୋଇଥିବା ୧୭ ବର୍ଷର ଯୁବକ ରାଜେଶ ମହାପାତ୍ରଙ୍କୁ ଏଡ଼େ ଜୋର୍‌ରେ ଧକ୍କା ଦେଇଥିଲା ଯେ, ତାଙ୍କ ମୁଣ୍ଡ ପାଖରେ ଥିବା ଏକ ଟ୍ରାକ୍ଟର୍‌ରେ ପିଟି ହୋଇ ଚ୍ଛିନ୍ନବିଚ୍ଛିନ୍ନ ହୋଇଯାଇଥିଲା। ସେତିକିରେ ହାଇୱାଟି ନ ଅଟକି ସେଠାରୁ ମାତ୍ର ୧୦ ଫୁଟ ଦୂରରେ ଥିବା ନୀଳକଣ୍ଠ ମହାରଣାଙ୍କ ଘରେ ପଶିଯାଇଥିଲା। ସେହି ସମୟରେ ରାସ୍ତାର ବାମପାର୍ଶ୍ୱ ଦେଇ ଏକ ହିରୋହୋଣ୍ଡା ମୋଟରସାଇକେଲ (କେ ଏ ୦୧ ଜେ ୫୪୫୮) ଯୋଗେ ନରେନ୍ଦ୍ରପୁରର ପଦ୍ମଲୋଚନ ସାହୁ ନିଜ ଘରୁ ହରିହରପୁର ଆଡ଼କୁ ଯାଉଥିବା ବେଳେ, ତାଙ୍କ ଉପରେ ପଛପଟୁ ଟ୍ରକ୍‌ଟି ଚଢ଼ିଯାଇଥିଲା। ଫଳରେ ସେହିଠାରେ ହିଁ ପଦ୍ମଲୋଚନଙ୍କ ମୃତ୍ୟୁ ହୋଇଯାଇଥିଲା। ସେହି ସମୟରେ ଦୁଆରମୁହଁରେ ଛିଡ଼ା ହୋଇଥିଲେ ଜେଜେ ନୀଳକଣ୍ଠ ଓ ନାତୁଣୀ କାଜଲ୍‌। ଜେଜେ ନାତୁଣୀ କିଛି ଭାବିବା ପୂର୍ବରୁ ସେମାନଙ୍କ ଉପରେ ଆଖି ପିଛୁଳାକେ ଟ୍ରକ୍‌ଟି ଚଢ଼ି ଯାଇଥିଲା। ଫଳରେ ଜେଜେ-ନାତୁଣୀ ୨୦ ଫୁଟ ଦୂରରେ ଥିବା ଏକ ଗୋଡ଼ିଗଦା ଉପରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଜେଜେ ନୀଳକଣ୍ଠ ମହାରଣା (୭୫) ପ୍ରାଣ ହରାଇଥିଲେ ଓ ନାତୁଣୀ କାଜଲ ମହାରଣାଙ୍କୁ (୧୫) ସଙ୍ଗେ ସଙ୍ଗେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ କାଜଲଙ୍କୁ ମୃତ ଘୋଷଣା କରିଥିଲେ। ପରେ ଟ୍ରକ୍‌ଟି ପାଖରେ ଥିବା ଡ୍ରେସ୍‌ ଦୋକାନ, ପରିବା ଦୋକାନ ଓ ଦୁଇଟି ବନ୍ଦ ଥିବା କ୍ୟାବିନ ଉପରେ ମାଡ଼ିଯାଇଥିଲା। ସମସ୍ତଙ୍କ ଘର ଶରଣକୁଳ ବୋଲି ଜଣାପଡ଼ିଛି।

ସେପଟେ ଦୁର୍ଘଟଣା ପରେ ଶରଣକୁଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱାଟିକୁ ଜବତ କରିବା ସହିତ ଡ୍ରାଇଭର୍‌କୁ ଗିରଫ କରିଛି। ପରେ ପରେ ପଛରେ ଆସୁଥିବା ଅନ୍ୟ ଏକ ହାଇୱାକୁ ମଧ୍ୟ ଜବତ କରାଯାଇଛି। ତେବେ ଦୁର୍ଘଟଣା ଘଟାଇଥିବା ହାଇୱାର ଡ୍ରାଇଭର୍‌ ଦିନ ୨ଟା ସମୟରେ କଟରାଝରୀ ପେଟ୍ରୋଲ୍‌ ପମ୍ପ୍‌ ନିକଟସ୍ଥ ମଦ ଦୋକାନ ପାଖରେ ଗାଡ଼ି ଲଗାଇ ମଦ ପିଉଥିବା ଅଞ୍ଚଳର ଲୋକମାନେ ଦେଖିଥିଲେ। ମଦ ପିଇ ବେପାରୁଆ ଗାଡ଼ି ଚାଳନା ଯୋଗୁ ଏଭଳି ଲୋମହର୍ଷକ ଦୁର୍ଘଟଣା ଘଟିଛି। ମୃତକମାନଙ୍କ ପରିବାରକୁ କ୍ଷତିପୂରଣ ଦାବି ନେଇ ନୟାଗଡ଼ ଭଞ୍ଜନଗର ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିବା ବେଳେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଶରଣକୁଳ ଏସ୍‌ଡିପିଓ ଏସ୍ ଟପୋ, ଶରଣକୁଳ ଥାନା ଅଧିକାରୀ ବିମଳ ମଲ୍ଲିକଙ୍କ ସମେତ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସନ୍ଧ୍ୟା ସାଢ଼େ ସାତଟା ପର୍ଯ୍ୟନ୍ତ ରାସ୍ତାରୋକ ପ୍ରତ୍ୟାହାର ହୋଇନଥିବା ବେଳେ ଶବଗୁଡ଼ିକ ରାସ୍ତା ମଝିରେ ପଡ଼ିରହିଥିଲା।

ସମ୍ବନ୍ଧିତ ଖବର