ଭୁବନେଶ୍ବର : ଉପକୂଳ ଓଡ଼ିଶାରେ ବନ୍ୟା ସ୍ଥିତି ଉଦ୍ବେଗଜନକ ଥିବାବେଳେ ଆସନ୍ତା ଦୁଇ ଦିନ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହାକୁ ନଜରରେ ରଖି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର ଦିନ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ଲଘୁଚାପ ବର୍ଷାକୁ ନଜରରେ ରଖି ହୀରାକୁଦ ଗେଟ୍ ପରିଚାଳନା କରିବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକ ପରେ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ମହାନଦୀର ଜଳସ୍ତର ଗତକାଲିଠାରୁ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ହୀରାକୁଦର ଗେଯ୍ ବନ୍ଦ କରାଯାଉଛି। ଏବେ ହୀରାକୁଦର ଜଳସ୍ତର ୬୨୩.୬୦ ଫୁଟ ଅଛି। ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ହୀରାକୁଦକୁ ପ୍ରତି ସେକେଣ୍ଡରେ ୩,୯୫,୮୪୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୪,୮୧,୪୯୭ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ମୁଣ୍ଡଳି ଠାରେ ବି ଜଳ ପ୍ରବାହ ହ୍ରାସ ପାଇଛି। ଏଠାରେ ସଂଧ୍ୟା ୬ଟାରେ ସେକେଣ୍ଡ ପିଛା ୧୦,୦୨,୮୨୩ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଆସନ୍ତା ୧୯ ଓ ୨୦ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛନ୍ତି । ଏହି ଲଘୁଚାପର ପ୍ରଭାବରେ ସମ୍ଭାବ୍ୟ ବୃଷ୍ଟିପାତକୁ ନଜରରେ ରଖି ହୀରାକୁଦ ଜଳଭଣ୍ଡାରରୁ ପର୍ଯ୍ୟାୟକ୍ରମେ ଗେଟ୍ ବନ୍ଦ କରାଯିବ।
ବନ୍ୟା ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟ ସଚିବ
୫ଲକ୍ଷ ଲୋକ ପ୍ରଭାବିତ, ୯୦ହଜାର ଲୋକ ସ୍ଥାନାନ୍ତର ହେଲେଣି
ପ୍ରାଥମିକ ସୂଚନା ଅନୁଯାୟୀ, ବନ୍ୟା ଯୋଗୁଁ ୧୩ଟି ଜିଲ୍ଲାର ୭୧ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୦୬୬ଟି ଗାଁ ପ୍ରଭାବିତ ହୋଇଛି। ବନ୍ୟାରେ ୪୭୦ଟି ଗାଁ ଜଳଘେରରେ ରହିଥିବାବେଳେ ୨ ଲକ୍ଷ ୫୫ ହଜାର ୩୨୫ ଜଣ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ପ୍ରାୟ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ସବୁ ଅଞ୍ଚଳରେ ୧୯୦ ଟି ରିଲିଫ୍ କେନ୍ଦ୍ରରେ ୧ ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଦ୍ୱାରା ଅନେକ ବାସଗୃହ କ୍ଷତିଗ୍ରସ୍ତ ହେବା ସହିତ ବହୁତ ଚାଷ ଜମି ଜଳମଗ୍ନ ହୋଇଛି। ପ୍ରଭାବିତ ଲୋକମାନଙ୍କୁ ଆବଶ୍ୟକୟ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ୧୧ଟି ଏନ୍ଡିଆର୍ଏଫ୍, ୧୨ଟି ଓଡ୍ରାଫ୍ ଏବଂ ୫୨ ଟି ଅତିରିକ୍ତ ଅଗ୍ନିଶମ ସେବା ବାହିନୀ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୧୦ ଟି ଭ୍ରାମ୍ୟମାଣ ଆର୍ଓ ୱାଟର ପ୍ଲାଣ୍ଟ ଜରିଆରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉଛି। ସେହିପରି ପ୍ରଭାବିତ ଗୋରୁଗାଈଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଯୋଗାଇବା ବ୍ୟବସ୍ଥା କରାଯାଇଛି।
/sambad/media/post_attachments/wp-content/uploads/2022/08/flood-m6-750x430.jpg)
ଶ୍ରୀ ଜେନା କହିଛନ୍ତି ଯେ, ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ପଶୁଚିକିତ୍ସାକୁ ତ୍ୱରାନ୍ୱିତ କରାଯାଇଛି। ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀମାନେ ପ୍ରଭାବିତ ଅଞ୍ଚଳରେ ଅବସ୍ଥାନ କରି ନଦୀ ବନ୍ଧର ସୁରକ୍ଷା ତଥା ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନିୟମିତ ଭାବେ ବନ୍ୟା ପରିସ୍ଥିତି ସମୀକ୍ଷା କରୁଛନ୍ତି। ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ବନ୍ୟା ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ପଠାଇଛନ୍ତି।
ସେହିପରି ଏସ୍ଡିଆର୍ଏଫ୍ ଗାଇଡଲାଇନ୍ ଅନୁସାରେ ଜିଲ୍ଲାପାଳମାନେ ଘରୋଇ ଡଙ୍ଗା ଭଡ଼ାରେ ନେଇ ଜଳ ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଠାରୁ ଲଘୁଚାପ ପ୍ରଭାବରେ ବର୍ଷା ହେବାକୁ ଥିବାବେଳେ ଲୋକଙ୍କୁ ପଲିଥିନ ଯୋଗାଇଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପ୍ରଭାବିତ ୧୩ଟି ଜିଲ୍ଲାେର ୬୪ଟି ଭ୍ରାମ୍ୟମାଣ ଡାକ୍ତରୀ ଦଳ ମୁତୟନ କରାଯାଇଥିବାବେଳେ ୨୦,୦୦୦ ଓଆର୍ଏସ୍ ପ୍ୟାକେଟ ଓ ୧ଲକ୍ଷ ୪୨ହଜାର ହାଲୋଜିନ୍ ବଟିକା ବଣ୍ଟନ କରାଯାଇଛି।
ଏହି ବୈଠକରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/hirakud.jpg)