ହୀରାକୁଦ ବନ୍ଧ ସୁରକ୍ଷିତ: ମୁଖ୍ୟଯନ୍ତ୍ରୀ
ବିଶେଷଜ୍ଞ ଦଳ ଆସିବା ପୂର୍ବରୁ ପ୍ରାକ୍ ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଥିଲେ ବନ୍ଧ ନିରାପତ୍ତା ଅଧିକାରୀ
ସମ୍ବଲପୁର : ହୀରାକୁଦ ନଦୀବନ୍ଧର ସୁରକ୍ଷାକୁ ନେଇ ରାଜ୍ୟବ୍ୟାପୀ ତମ୍ବିତୋଫାନ ଆରମ୍ଭ ହୋଇଛି। ତେବେ ଏଭଳି ଆଶଂକା ସଂପୂର୍ଣ୍ଣ ଅମୂଳକ ଏବଂ ନଦୀବନ୍ଧର ସୁରକ୍ଷା ନେଇ ସେଭଳି କୌଣସି ବିପଦ ନାହିଁ ବୋଲି ମହାନଦୀ ବେସିନ୍ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।
ଶ୍ରୀ ସାହୁ ବୁଧବାର ଗଣମାଧ୍ୟମକୁ ଏହି ପ୍ରଂସଗ ଉପରେ କହିଛନ୍ତି ଯେ ୧୯୯୫ ମସିହାରେ ହୀରାକୁଦ ବନ୍ଧରେ ଥିବା ଫାଟ, ଗର୍ତ୍ତ ଆଦିର ମରାମତି ହୋଇଥିଲା। ଏହାପରଠାରୁ ଆଉ କୌଣସି ବଡ଼ଧରଣର ବା ଆଖିଦୃଶିଆ ଫାଟ ନଜରକୁ ଆସି ନଥିବାରୁ ୧୯୯୯ ମସିହା ପରଠାରୁ ଏହାର କୌଣସି ସର୍ଭେର ଆବଶ୍ୟକତା ପଡ଼ିନାହିଁ। ତେବେ ନିୟମ ଦୃଷ୍ଟିରୁ ପ୍ରତି ୫ ବର୍ଷରେ ଥରେ ହୀରାକୁଦ ବନ୍ଧର ସ୍ଥିତି ନେଇ ସର୍ଭେ ହେବା ଉଚିତ। ଗତ ୨୦୨୦ରେ ଡ୍ୟାମ୍ ଶକ୍ତି ରିଭ୍ୟୁ ପାନେଲ୍ ହୀରାକୁଦ ବନ୍ଧ ପରିଦର୍ଶନ କରି କେତେକ ସୁପାରିସ୍ କରିଥିଲେ। ସ୍ପିଲ୍ୱେ, ପାୱାର୍ ଡ୍ୟାମ୍ ଆଦିରେ ଯେତେ ଫାଟ ରହିଛି ତାର ମ୍ୟାପିଂ କରିବା ସେଥିରୁ ଅନ୍ୟତମ ଥିଲା। ଏହି ସୁପାରିସ୍ ଆଧାରରେ ଫାଟଗୁଡ଼ିକର ସର୍ଭେ ପାଇଁ ଏକ ବିଶେଷଜ୍ଞ ଦଳ ପଠାଇବାକୁ ଅନୁରୋଧ କରି ମୁଁ ଗତ ମେ ୨୭ ତାରିଖରେ ବନ୍ଧ ନିରାପତ୍ତା ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଥିଲି, ଯାହାର ଉତ୍ତର ଏବେ ମିଳିଛି ଓ ସେହି ଚିଠିକୁ ନେଇ ଏବେ ହୀରାକୁଦ ଫାଟ ସଂପର୍କରେ ବିଭିନ୍ନ ପ୍ରକାର ପ୍ରଚାର ହେଉଛି।
ଶ୍ରୀ ସାହୁ କହିଛନ୍ତି, ହୀରାକୁଦର ଫାଟକୁ ନେଇ ତାଙ୍କର ଓ ବନ୍ଧ ନିରାପତ୍ତା ମୁଖ୍ୟଯନ୍ତ୍ରୀଙ୍କ ମଧ୍ୟରେ ପତ୍ର ବିନିମୟ ଏକ ସ୍ବାଭାବିକ ପ୍ରକ୍ରିୟା। ଏଥିରେ ବନ୍ଧର ନିରାପତ୍ତାକୁ ନେଇ କୌଣସି ଆଶଂକା କରାଯିବା ଉଚିତ ନୁହେଁ। ସେ ବିଶେଷଜ୍ଞ ଦଳ ପଠାଇବା ଅନୁରୋଧ କରି ଯେଉଁ ଚିଠି ଲେଖିଥିଲେ, ଡ୍ୟାମ୍ ନିରାପତ୍ତା ମୁଖ୍ୟଯନ୍ତ୍ରୀଙ୍କ ତରଫରୁ ଗତ ୧୬ ତାରିଖରେ ତାର ଉତ୍ତର ଦିଆଯାଇଥିଲା। ସେଥିରେ ଦଳ ପଠାଇବା ପୂର୍ବରୁ କେତେକ ପୂର୍ବ ପ୍ରସ୍ତୁତି କରିବାକୁ ପରାମର୍ଶ ଦିଆଯାଇଥିଲା। ଏଥିରେ ଡ୍ୟାମ୍ର ତଳ ପାର୍ଶ୍ବ ମୁହଁର ଡ୍ରୋନ୍ ଦ୍ବାରା ଯାଞ୍ଚ, ଉପର ପାର୍ଶ୍ବର ଅଣ୍ଡରୱାଟର୍ ଭିଡିଓଗ୍ରାଫି ଆଦି ପାଇଁ କହାଯାଇଛି। ଗେଟ୍ ଅପରେସନ୍ ଗ୍ୟାଲେରିରେ ଥିବା ଫାଟଗୁଡ଼ିକ ପ୍ରତି ଧ୍ୟାନ ଦେବା ପାଇଁ କହାଯାଇଛି। ଏହାର ରେକର୍ଡ ପ୍ରସ୍ତୁତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ୧୯୯୯ ପରେ ହୋଇଥିବା ନୂଆ ଫାଟ ଓ ପୂର୍ବରୁ ଥିବା ପୁରୁଣା ଫାଟର ସ୍ଥିତି ସଂପର୍କରେ ସର୍ଭେ କରିବା ବିଷୟ ଉଲ୍ଲେଖ ରହିଛି। ଗୋଟିଏ ନଥିରେ ଡ୍ୟାମ୍ ତଳ ପାର୍ଶ୍ବର ସମସ୍ତ ଫାଟ ସଂପର୍କରେ ବିବରଣୀ ଉଲ୍ଲେଖ କରି ରଖିବାକୁ କହାଯାଇଛି। ସେହିପରି ଫାଉଣ୍ଡେସନ୍ ଗ୍ୟାଲେରି ଫାଟଗୁଡ଼ିକର ମ୍ୟାପିଂ ଓ ପାୱାର ଡ୍ୟାମ୍ ଅଂଶର ଭିଡିଓଗ୍ରାଫି ସଂପର୍କରେ ଉଲ୍ଲେଖ ରହିଛି। ବିଶେଷଜ୍ଞ ଦଳ ଆସିବା ପୂର୍ବରୁ ଏସବୁ ପ୍ରାକ୍ ପ୍ରସ୍ତୁତି ପାଇଁ ବନ୍ଧ ନିରାପତ୍ତା ମୁଖ୍ୟଯନ୍ତ୍ରୀଙ୍କ ତରଫରୁ ପରାମର୍ଶ ଦିଆଯାଇଛି। ତେବେ ଏହି ପତ୍ରକୁ ଆଧାର କରି ହୀରାକୁଦ ବନ୍ଧ ପ୍ରତି କୌଣସି ବିପଦ ଆଶଂକା ଅମୂଳକ। ହୀରାକୁଦ ବନ୍ଧ ସଂପୂର୍ଣ୍ଣ ସୁରକ୍ଷିତ ଓ ଏହାପ୍ରତି କୌଣସି ବିପଦ ନାହିଁ ବୋଲି ଇଂ ସାହୁ ସ୍ପଷ୍ଟ କରିଛନ୍ତି।