ମୁଜାଗଡ଼ର ଐତିହ୍ୟ ପଞ୍ଚ ଠାକୁରାଣୀ ଯାତ୍ରା ଆରମ୍ଭ

ଭଞ୍ଜନଗର : ଭଞ୍ଜନଗର ବ୍ଲକ୍ ମୁଜାଗଡ଼ ଗ୍ରାମର ଐତିହ୍ୟ ତ୍ରିବାର୍ଷିକ ପଞ୍ଚ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି। ଦୀର୍ଘ ୨୧ ଦିନ ଧରି ତଥା ଆସନ୍ତା ମାସ ୭ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲୁ ରହିବ। ପ୍ରତିଦିନ ସନ୍ଧ୍ୟାରେ ପଞ୍ଚ ଠାକୁରାଣୀ ନଗର ପରିକ୍ରମା କରିବେ। ଗାଁ ନିକଟରେ ରହିଥିବା ମା’ବଡ଼ରାଉଳ, ମା’ବାପାଙ୍ଗି, ମା’ ଦୁଆରଶୁଣି, ମା’ ଗ୍ରାମଦେବତୀ ଓ ମା’ବନଦେବୀଙ୍କୁ ଆବାହନ କରି ଅସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା ଜାରି ରହିଛି।

ପ୍ରତିଦିନ ମ‌ା’ଙ୍କ ଘଟ ପରିକ୍ରମା ସମୟରେ ଗ୍ରାମ ଦୁଲୁକି ଉଠୁଛି। ଦିନତମାମ୍‌ ଅସ୍ଥାୟୀ ପୀଠରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପୂଜାପାଠ ସହ ନୀତିକାନ୍ତି ସମ୍ପନ୍ନ ହେଉଛି। ସନ୍ଧ୍ୟାରେ ବିଭିନ୍ନ ପଶୁମୁଖା ନୃତ୍ୟ, ଢୋଲ ଓ ମହୁରି ବାଦ୍ୟରେ ଠାକୁରାଣୀଙ୍କ ନଗର ପରିକ୍ରମା ଜାରି ରହିଛି। ଏଥିପାଇଁ ସଂପୂର୍ଣ୍ଣ ଗ୍ରାମ ଆଲୋକମାଳାରେ ସୁସଜ୍ଜିତ ହୋଇଥିବା ବେଳେ ବିଭିନ୍ନ ତୋରଣ ନିର୍ମାଣ କରାଯାଇଛି। ଏଥିସହ ମୀନାବଜାର ଓ ବିଭିନ୍ନ ପସରାରେ ଭିଡ଼ ପରିଲକ୍ଷିତ ହେଉଛି। ଯାତ୍ରା ଶେଷ ଦିନରେ ବିଭିନ୍ନ ପାରମ୍ପରିକ ନାଟକ ହେବ। ଏହାସହ ଶାନ୍ତିହୋମ ଆୟୋଜିତ ହେବ।

ପ୍ରତିଦିନ ସନ୍ଧ୍ୟାରେ ବହୁ ନାମୀଦାମୀ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଯାତ୍ରା କମିଟି ସଭାପତି ଶରତ ଚନ୍ଦ୍ର ପ୍ରଧାନ, ଉପସଭାପତି ବିରୁପାକ୍ଷ ଦାସ, ସମ୍ପାଦକ ପୀତବାସ ସେଠୀ, ସଦସ୍ୟ ପ୍ରମୋଦ ପ୍ରଧାନ, ରାକେଶ କୁମାର ପ୍ରଧାନ, ହରିବନ୍ଧୁ ପ୍ରଧାନ, ବିରୁପାକ୍ଷ ରାଉଳ, ନୀଳମାଧବ ସାହୁ ଓ ଶଙ୍କର ସେଠୀଙ୍କ ସମ‌େତ ବହୁ ‌କର୍ମକର୍ତ୍ତା  ପରିଚାଳନା କରୁଛନ୍ତି। ଗ୍ରାମର ଲୋକଙ୍କ ମଙ୍ଗଳ ସହ ସୁସ୍ଥ ଜୀବନ ଏବଂ ସୁଖ ଓ ସମୃଦ୍ଧି ସ୍ଥାପନ ପାଇଁ ପ୍ରତି ତିନିବର୍ଷକୁ ଥରେ  ଜ୍ୟେଷ୍ଠମାସ ତୃତୀୟା ତିଥିରେ ମା’ଙ୍କ ଯାତ୍ରା ଆୟୋଜନ  ଆବହମାନ କାଳରୁ ‌ହୋଇ ଆସୁଥିବା ବିଶିଷ୍ଟ ଶିକ୍ଷାବିତ୍‌ ପଦ୍ମନାଭ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର