ଇତିହାସ ହେବାକୁ ଯାଉଛି ଐତିହାସିକ ସମ୍ବଲପୁର ଦୂରଦର୍ଶନ

ଅଛନ୍ତି ଜଣେ କ୍ୟାମେରାମ୍ୟାନ୍‌, ତାଲା ଝୁଲିବାକୁ ଅପେକ୍ଷା

ସମ୍ବଲପୁର: ରାଜ୍ୟର ସର୍ବପ୍ରଥମ ଓ ଦେଶର ଅନ୍ୟତମ ସର୍ବପୁରାତନ ଦୂରଦର୍ଶନ କେନ୍ଦ୍ର ସମ୍ବଲପୁର। ଏବେ ମାତ୍ର ଜଣେ କ୍ୟାମେରାମ୍ୟାନ୍‌ରେ ଚାଲିଛି। ୨୦୧୮ ମାର୍ଚ୍ଚରେ ଏହାର ଶେଷ କାର୍ଯ୍ୟକ୍ରମ ମୁଖ୍ୟ ଅବସର ଗ୍ରହଣ କଲେ। ବର୍ତ୍ତମାନ ନିଜସ୍ବ କାର୍ଯ୍ୟକ୍ରମ ଟିଏ ପ୍ରସ୍ତୁତ କରିବାକୁ ଲୋକ ନାହାନ୍ତି। ଏହାର ଉପନିର୍ଦ୍ଦେଶକ (କାର୍ଯ୍ୟକ୍ରମ) ପଦ ଖାଲି, ସହକାରୀ ନିର୍ଦ୍ଦେଶକ (କାର୍ଯ୍ୟକ୍ରମ) ପଦ ଖାଲି। ୨ଟି ଯାକ କାର୍ଯ୍ୟକ୍ରମ ନିଷ୍ପାଦକ ପଦ ଖାଲି। ୪ ଜଣ କ୍ୟାମେରାମ୍ୟାନ୍‌ରୁ କେବଳ ଜଣେ ଅଛନ୍ତି, ଆଉ ୩ଟି ପଦ ଖାଲି। ଯେଉଁ ମାନେ ବଦଳି ହେଉଛନ୍ତି ତାଙ୍କ ବଦଳରେ କାହାକୁ ଦିଆ ଯାଉ ନାହିଁ। ଯିଏ ଅବସର ଗ୍ରହଣ କରୁଛନ୍ତି ‌ତାଙ୍କ ସ୍ଥାନ ସ୍ବାଭାବିକ ଭାବେ ଖାଲି ପଡ଼ୁଛି। ପ୍ରଡକ୍‌ସନ ଆସିଷ୍ଟାଣ୍ଟ, ଫ୍ଲୋର୍‌ ଆସିଷ୍ଟାଣ୍ଟ, ଫ୍ଲୋର୍‌ ମ୍ୟାନେଜର୍‌ ଆଦି ପଦ ରହିଥିଲେ ବି କେନ୍ଦ୍ର ହେବା ଦିନଠୁ କାହାକୁ ଏଠାରେ ନିଯୁକ୍ତି ଦିଆଯାଇ ନାହିଁ। ଭିଡିଓ ଏଡିଟର୍‌ ପଦ ବି ଖାଲି ପଡ଼ିଛି। କାର୍ଯ୍ୟକ୍ରମ ବା ପ୍ରୋଗ୍ରାମ୍‌ ଗୋଟିଏ ଦୂରଦର୍ଶନ କେନ୍ଦ୍ରର ଜୀବନ ହୋଇଥିବାବେଳେ କାର୍ଯ୍ୟକ୍ରମ ଶାଖାକୁ ହିଁ ପଙ୍ଗୁ କରି ଦିଆଯାଇଛି। ଇଂଜିନିୟରିଂ ଓ ବୈଷୟିକ କର୍ମଚାରୀ କେଇଜଣ ତଥା ଅନ୍ୟାନ୍ୟ କର୍ମଚାରୀରେ ଚାଲିଥିବା ଏହି କେନ୍ଦ୍ର ଏବେ ନିଜ ଅସ୍ଥିତ୍ବ ବଞ୍ଚାଇବାକୁ ସଂଘର୍ଷ କରୁଛି।

ଯୋଜନାବଦ୍ଧ ଭାବେ ଏହି କେନ୍ଦ୍ରରେ ତାଲା ଝୁଲାଇବାକୁ ପ୍ରୟାସ ହେଉଥିବା ବହୁ ଦିନରୁ ଅଭିଯୋଗ ‌ହୋଇଆସୁଛି। ବହୁ ବର୍ଷ ପୂର୍ବରୁ ଏହି କେନ୍ଦ୍ରର ଓବି ଭ୍ୟାନ୍‌କୁ ଉତ୍ତର ପୂର୍ବ ଭାରତକୁ ପଠାଇ ଦିଆ ଯାଇଥିଲା। ଏବେ ଏଠାରେ ଥିବା ଦୁଇଟି ଆଉଟ୍‌ଡୋର୍‌ କ୍ୟାମେରା ୟୁନିଟ୍ (ଇଏନ୍‌ଜି) ମଧ୍ୟରୁ ଗୋଟିଏକୁ ମୁଜାଫର୍‌ପୁର ଦୂରଦର୍ଶନ କେନ୍ଦ୍ରକୁ ପଠାଇ ଦେବାକୁ ନିର୍ଦ୍ଦେଶ ଆସିଛି। ସମ୍ବଲପୁରର ବ୍ରୁକ୍‌ସ ହିଲ୍‌(ପାହାଡ଼) ଉପରେ ଥିବା ଏହି କେନ୍ଦ୍ରର ସୁରକ୍ଷା ପାଇଁ ସଶସ୍ତ୍ର ସୁରକ୍ଷାକର୍ମୀ (ଏକ୍ସ ଆର୍ମିମ୍ୟାନ୍‌) ଦେବା ବି ସରକାର ବାହାଦୁର ବନ୍ଦ କରି ଦେଲେଣି। ୩ଟି ସୁରକ୍ଷା କର୍ମୀ ପଦ ବି ଖାଲି ପଡ଼ିଛି। ଏବେ ଜଣେ ଦୁଇଜଣ ଘରୋଇ ସୁରକ୍ଷାକର୍ମୀ ହାତରେ ଏହି ବିଶାଳ କେନ୍ଦ୍ରର ଦାୟିତ୍ବ ନ୍ୟସ୍ତ ରହିଛି। କର୍ମଚାରୀ ତ ଆଉ ନାହାନ୍ତି। ମୂଲ୍ୟବାନ ଉପକରଣ ବି ସ୍ଥାନାନ୍ତର ହେଉଛି। ବାକି କିଛି ଜିନିଷପତ୍ର ଚୋରି ହୋଇଗଲେ ବା ଭାଙ୍ଗିରୁଜି ଗଲେ ତାଲା ଝୁଲାଇବା ସହଜ ହେବ। ଏଭଳି ନୀତି ଅବଲମ୍ବନ କରିଛନ୍ତି ପ୍ରସାର ଭାରତୀ କର୍ତ୍ତୃପକ୍ଷ। ପଶ୍ଚିମ ଓଡ଼ିଶା ପ୍ରତି ପ୍ରତାରଣାର ଆଉ ଏକ ବେଦନାଦାୟକ ଉଦାହରଣ ପାଲଟିବାକୁ ଯାଉଛି ଐତିହାସିକ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର।

ବିଳମ୍ବରେ ହେଲେ ବି ସମ୍ବଲପୁରବାସୀ ଏହି ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ ଆରମ୍ଭ କରିଛନ୍ତି। ମଙ୍ଗଳବାର ‘ସମ୍ବାଦ’ରେ ଏ ସଂପର୍କିତ ଖବର ପ୍ରକାଶ ପରେ ସହରର ସଂସ୍କୃତିପ୍ରେମୀ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ପ୍ରତି ଅବହେଳା ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଦାବିପତ୍ରରେ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରର ହୃତଗୌରବ ଫେରାଇ ଦେବା, ସ୍ବୟଂସଂପୂର୍ଣ୍ଣ ଷ୍ଟୁଡିଓ କାର୍ଯ୍ୟକାରୀ କରିବା, ସମସ୍ତ କର୍ମଚାରୀ ପଦ ପୂରଣ କରିବା, ସମ୍ବଲପୁରୀ ଭାଷାରେ ୨୪ ଘଣ୍ଟିଆ ଚାନେଲ୍ ଆରମ୍ଭ କରିବା ଆଦି ଦାବି ରଖିଛନ୍ତି। ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରକୁ ବଞ୍ଚାଇବା ପାଇଁ ଅନ୍‌ଲାଇନ୍‌ ଦସ୍ତଖତ ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏହି ପ୍ରସଂଗକୁ ସଂସଦରେ ଉଠାଇବେ ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି।

‘ସମ୍ବାଦ’କୁ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ପୂଜାରୀ କହିଲେ, ୧୯୭୮ ମସିହାରେ ଜନତା ସରକାର ଅମଳରେ ତତ୍‌କାଳୀନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଲାଲ୍‌କୃଷ୍ଣ ଆଡ୍‌ଭାନୀ ଏହାକୁ ଉଦ୍‌ଘାଟନ କରିଥିଲେ। ଏହା ଦେଶର ହାତଗଣତି ଦୂରଦର୍ଶନ କେନ୍ଦ୍ର ମଧ୍ୟରୁ ଅନ୍ୟତମ ଥିଲା। ଏହା ବର୍ତ୍ତମାନ ଯେଉଁ ଅବସ୍ଥାରେ ପହଞ୍ଚିଛି ତା’ର ପୁନରୁଦ୍ଧାର କରିବା, ଦେଶର ଅନ୍ୟ ଦୂରଦର୍ଶନ କେନ୍ଦ୍ର ଗୁଡ଼ିକ ସହ ସମସ୍କନ୍ଧ କରିବା, ସ୍ବତନ୍ତ୍ର ପ୍ରଯୋଜନା ୟୁନିଟ୍ କରିବା ତଥା ସମ୍ବଲପୁରୀ ଭାଷାରେ ଖବରର ସ୍ବତନ୍ତ୍ର ୟୁନିଟ୍‌ କରିବା ପାଇଁ ସେ ଦାବି ଉପସ୍ଥାପନ କରିବେ ବୋଲି ଶ୍ରୀ ପୂଜାରୀ କହିଥିଲେ।

ସମ୍ବନ୍ଧିତ ଖବର