ପୁରୀ: ୧୮୪୧ ମସିହା ରଥଯାତ୍ରାରେ ରଥ ଚକ ତଳେ ୭ଜଣଙ୍କ ପ୍ରାଣ ଅକାଳରେ ଚାଲିଯାଇଥିଲା। ଭକ୍ତଙ୍କ ଠେଲାପେଲାରେ ରଥଦଉଡ଼ି ଭିତରେ ଗୁଡ଼େଇ ହୋଇଯିବାରୁ ୧୨ ଜଣ ଭକ୍ତ ରଥ ତଳେ ପଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଉପରେ ରଥ ଚଢ଼ି ଯାଇଥିଲା। କିନ୍ତୁ ଜଣେ ଭକ୍ତ ଜାଣିଶୁଣି ନିଜକୁ ରଥ ତଳେ ସମର୍ପଣ କରିଦେଇଥିଲେ। ତେବେ ଏହି ଘଟଣାକୁ ନେଇ ରେଭରେଣ୍ଡ ଓୟାର୍ଡ ଅତିରଞ୍ଜିତ ବାର୍ତ୍ତା ଲଣ୍ଡନବାସୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ହିଷ୍ଟ୍ରି ଅଫ ଦି ଜେନେରାଲ ବାପ୍ଟିଷ୍ଟ ମିସନ୍ର ୧୭୯ ପୃଷ୍ଠାରେ ରେଭରେଣ୍ଡ ଲେସିଙ୍କ ଉକ୍ତି ମୁତାବକ, ତୀର୍ଥଯାତ୍ରୀ କର ଉଠିବାପରେ ସେ ପ୍ରଥମ ରଥଯାତ୍ରା ଦେଖିବାକୁ ପୁରୀ ଦର୍ଶନ କରିବାକୁ ଆସିଥାଆନ୍ତି। ସେ ବର୍ଷ ଅନାବୃଷ୍ଟି ହେତୁ ଦୂରାଗତ ଯାତ୍ରୀଙ୍କ ସଂଖ୍ୟା କମ୍ ଥିଲା। ରେଭରେଣ୍ଡ ଲେସିଙ୍କ ଗଣନା ମୁତାବକ ସେବର୍ଷ ରଥଯାତ୍ରାରେ ପ୍ରାୟ ୩୦ ହଜାର ଯାତ୍ରୀଙ୍କ ସମାଗମ ହୋଇଥିଲା। ଯଦିଓ ଯାତ୍ରୀଙ୍କ ସମାଗମ କମ୍ ଥିଲା, କିନ୍ତୁ ଠାକୁରଙ୍କ ପ୍ରତି ଭକ୍ତି ଉନ୍ମାଦନା ପ୍ରଦର୍ଶନ ପୂର୍ବଭଳି ବଳବତ୍ତର ଥିଲା। ଜଣେ ତୀର୍ଥଯାତ୍ରୀ ନିଜକୁ ରଥ ତଳେ ସମର୍ପଣ କରିଦେଇଥିଲେ। ଏହି ଭକ୍ତଙ୍କ ଉପରେ ରଥଚକ ଚଢ଼ି ଯାଇଥିଲା। କିଛି ସମୟ ପରେ ହଠାତ ଲୋକେ ମାଡ଼ି ଆସିବାରୁ ରଥ ଦଉଡ଼ି ଭିତରେ ଗୁଡ଼େଇ ହୋଇ ତଳେ ପଡ଼ିଯିବାରୁ ଅକାଳରେ ଆହୁରି ୬ ଜୀବନ ଚାଲିଗଲା। ଅନ୍ୟମାନଙ୍କୁ ଅଚେତନ ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟ ଯେ ଏହି ଘଟଣା କିନ୍ତୁ ଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ଉଲ୍ଲାସର ବିଷୟବସ୍ତୁ ରୂପେ ପରିଗଣିତ ହୋଇଥିଲା।
ଏ ସଂକ୍ରାନ୍ତରେ ରେଭରେଣ୍ଡ ଓୟାର୍ଡ ୧୮୪୧ ମସିହା ଅଗଷ୍ଟ ମାସରେ ‘ଫ୍ରେଣ୍ଡ୍ ଅଫ୍ ଇଣ୍ଡିଆ’ ଖବରକାଗଜରେ ଲେଖିଥିଲେ, ‘ଭକ୍ତମାନଙ୍କୁ ଭାରତ ବର୍ଷରେ ଦଣ୍ଡ ଦେବାର ସବୁଠାରୁ ବଡ଼ ଯନ୍ତ୍ରୀ ବୋଲି ଜଗନ୍ନାଥଙ୍କୁ ଆଖ୍ୟା ଦିଆଯାଇପାରେ। ପ୍ରତ୍ୟେକ ବର୍ଷ ସାରାଦେଶରେ ଯେତେ ନରହତ୍ୟା ହୁଏ, ରଥଯାତ୍ରା ଉପଲକ୍ଷେ ମୃତ୍ୟୁର ସଂଖ୍ୟା ତା’ଠାରୁ ଅଧିକ ଅଟେ। ବଙ୍ଗଳା ଓ ବିହାରରେ ଚୋରି ଡକାୟତି ଦ୍ବାରା ଯେତିକି ପରିମାଣରେ ଜୀବନ ହାନି ହୁଏ, ରଥଯାତ୍ରାରେ ତା’ଠାରୁ ଅଧିକ କ୍ଷତି ହଏ। ଏହାର ମାତ୍ରା ଏତେ ଅଧିକ ଯେ ଏହାକୁ ନିବାରଣ କରିବା ନିମନ୍ତେ ପୁଲିସ ବାହିନୀ ଓ ଶାସକ ସଂସ୍ଥା ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି’। ରେଭରେଣ୍ଡ ଓୟାର୍ଡ ମନ୍ତବ୍ୟ ଦେଇଥିଲେ ଯେ ପୁରୀରେ ରୋଗାକ୍ରାନ୍ତ ଓ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରତ୍ୟେକ ବର୍ଷ ୪ରୁ ୫ହଜାର ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟୁଛି। ଇଂଲଣ୍ଡବାସୀଙ୍କ ମଧ୍ୟରେ ଏହି ଖବର ଆଲୋଡନ ସୃଷ୍ଟି କରିଥିଲା। ବଙ୍ଗଳା ସରକାର ଏଥିପାଇଁ କମିସନର ଏ.ଜେ ମିଲ୍ସଙ୍କୁ ଏକ ବିବରଣୀ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ୧୮୪୩ ମସିହା ଅଗଷ୍ଟ ୨୬ ତାରିଖରେ ମିଲ୍ସ ଅନୁଧ୍ୟାନ କରି ଲେଖିଲେ ଯେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟାର ଠିକ୍ ମୂଲ୍ୟାଙ୍କନ କରିବା ଅସମ୍ଭବ। ତେବେ ରଥଯାତ୍ରା ବର୍ଷା ଋତୁରେ ଅନୁଷ୍ଠିତ ହୁଏ। ଏହି ସମୟରେ ପାଗ ଥଣ୍ଡା ଓ ସନ୍ତସନ୍ତିଆ ରୁହେ। ଅନାବୃତ ଖାଦ୍ୟ ଖାଇବା ଫଳରେ ଲୋକ ହଇଜା ଓ ଅନ୍ୟ ମହାମାରୀରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି। କିନ୍ତୁ ପ୍ରତ୍ୟେକ ବର୍ଷ ୪ରୁ ୫ ହଜାର ଲୋକଙ୍କ ମୃତ୍ୟୁ ମନ୍ତବ୍ୟ ଅତିରଞ୍ଜିତ। ଗଣନା ଅନୁଯାୟୀ ଗତ ତିନି ବର୍ଷରେ ରଥଯାତ୍ରାରେ ମୃତ୍ୟୁସଂଖ୍ୟା ହାରାହାରି ୪୮୪ ବୋଲି ସେ ରିପୋର୍ଟ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/7-People-Dies-By-Tying-Ratha-Rope_Ratha-Yatra-From-History-Page_Thumbnail.jpg)