କ୍ଷିତୀଶ ରାୟ
ଭୁବନେଶ୍ବର: ସରକାରୀ ଡାକ୍ତରଖାନାର ଏଚ୍ଆଇଭି ରିପୋର୍ଟ ପାଇଁ ଜଣେ ଯୁବକଙ୍କ ଜୀବନରେ ଝଡ଼ ଉଠିଛି। ଗୋଟିଏ ସରକାରୀ ଡାକ୍ତରଖାନାରେ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ଆଉ ୨ଟି ଡାକ୍ତରଖାନାରେ ନେଗେଟିଭ୍ ଆସିଛି। ଏପଟେ ସ୍ବାମୀ ଏଚ୍ଆଇଭି ପଜିଟିଭ୍ ଜାଣି ସ୍ତ୍ରୀ ଛାଡ଼ି ପଳାଇଛନ୍ତି। ଯୁବକ ଜଣକ ଭୀଷଣ ମାନସିକ ଅବସାଦରେ ଜୀବନ କାଟୁଛନ୍ତି। ୩ଟି ସରକାରୀ ଡାକ୍ତରଖାନାରେ ଯୁବକଙ୍କ ହୋଇଥିବା ପରୀକ୍ଷା ରିପୋର୍ଟ ‘ସମ୍ବାଦ’ର ହସ୍ତଗତ ହୋଇଛି। ଏଚ୍ଆଇଭି ପଜିଟିଭ୍ ରିପୋର୍ଟ ପଛର ସତ କ’ଣ? ପରୀକ୍ଷାଗାରରେ ତ୍ରୁଟିପୂର୍ଣ୍ଣ ପରୀକ୍ଷା ବ୍ୟବସ୍ଥା ନା ଅନ୍ୟ କାହାର ପଜିଟିଭ୍ ରିପୋର୍ଟକୁ ଏହି ଯୁବକଙ୍କୁ ଦିଆଯାଇଛି? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି।
ଖୋର୍ଦ୍ଧାରେ ପଜିଟିଭ୍, କଟକ ଓ ଏମ୍ସରେ ନେଗେଟିଭ୍
ସ୍ତ୍ରୀ ଛାଡ଼ି ପଳାଇଲେ, ମାନସିକ ଅବସାଦରେ ଯୁବକ
ଅଭିଯୋଗ ଆସିଛି, ତଦନ୍ତ କରିବୁ: ଓସାକ୍ସ ଅଧିକାରୀ
ସୂଚନା ଅନୁସାରେ, କଟକ ଅଞ୍ଚଳର ୩୦ବର୍ଷର ଜଣେ ଯୁବକଙ୍କ ପତ୍ନୀ ଗର୍ଭବତୀ ଥିଲେ। ଗର୍ଭାବସ୍ଥାରେ ଉଭୟ ସ୍ତ୍ରୀ ଓ ସ୍ବାମୀଙ୍କ ଏଚ୍ଆଇଭି ପରୀକ୍ଷା ବାଧ୍ୟତାମୂଳକ ଥିବାରୁ ଖୋର୍ଦ୍ଧାରେ ଥିବା ଆଇସିଟିସି(ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଓ ଟେଷ୍ଟିଂ ସେଣ୍ଟର)ରେ ଦୁହିଁଙ୍କ ପରୀକ୍ଷା ହୋଇଥିଲା। ପତ୍ନୀଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଯୁବକଙ୍କ ରିପୋର୍ଟ ପଜିଟିଭ୍ ରହିଥିଲା। ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଥିବା ଏଆର୍ଟି(ଆଣ୍ଟି ରେଟ୍ରୋଭାଇରାଲ ଥେରାପି) ସେଣ୍ଟରକୁ ଯୋଡ଼ି ଦିଆଯାଇଥିଲା। ଯୁବକ ଜଣକ ଏଆରଟି କେନ୍ଦ୍ରରେ ଦିଆଯାଇଥିବା ଔଷଧ ଖାଇବା ଆରମ୍ଭ କରିଥିଲେ। ହେଲେ ତାଙ୍କ ଶରୀରରେ ଔଷଧୀୟ ପାର୍ଶ୍ବ ପ୍ରତିକ୍ରିୟା ଆରମ୍ଭ ହୋଇଯାଇଥିଲା। ରିପୋର୍ଟ ଉପରେ ସନ୍ଦେହ ପ୍ରକଟ କରି ଯୁବକ ଜଣକ ନିଜ ଆଡ଼ୁ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଆଇସିଟିସି କେନ୍ଦ୍ରରେ ଗତ ଜୁଲାଇ ମାସରେ ପରୀକ୍ଷା କରିଥିଲେ। ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହାର ଦୁଇ ଦିନ ପରେ ଏମ୍ସ ଭୁବନେଶ୍ବରରେ ମଧ୍ୟ ପରୀକ୍ଷା କରାଇଥିଲେ। ସେଠାରେ ମଧ୍ୟ ତାଙ୍କ ରିପୋର୍ଟ ନେଗେଟିଭ୍ ରହିଥିଲା। ଏଚ୍ଆଇଭି ପଜିଟିଭ୍ ପାଇଁ ଯୁବକଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ପଳାଇଛନ୍ତି।
ଓସାକ୍ସର ଜଣେ ଅଧିକାରୀ କହିଛନ୍ତି, ଏଭଳି ଏକ ଅଭିଯୋଗ ସେମାନଙ୍କ ନିକଟକୁ ଆସିଛି। ଖୁବଶୀଘ୍ର ଏହାର ତଦନ୍ତ କରାଯିବ। କେଉଁ ପରିସ୍ଥିତିରେ ଦୁଇ ସରକାରୀ ଡାକ୍ତରଖାନାର ରିପୋର୍ଟରେ ତାରତମ୍ୟ ରହିଲା ତାହାର ଯାଞ୍ଚ ହେବ। ଖୋର୍ଦ୍ଧା ଆଇସିଟିସିରେ ସଂପୃକ୍ତ ଯୁବକଙ୍କ ରକ୍ତ ନମୁନା ପରୀକ୍ଷା ପୂର୍ବରୁ ସଂକ୍ରମିତ ହୋଇଯାଇଥିଲା କି ନାହିଁ ସ୍ଥାନୀୟ ଏଲ୍ଟି ଏହାର ଉତ୍ତର ରଖିବେ। ଆବଶ୍ୟକ ପଡ଼ିଲେ କୋଲକାତାସ୍ଥିତ ଏଚ୍ଆଇଭିର ଉତ୍କର୍ଷ କେନ୍ଦ୍ରକୁ ପଠାଯିବ। ୨୦୨୦ ମସିହାରେ ବୁର୍ଲାରେ ଏଭଳି ଏକ ମାମଲା ନଜରକୁ ଆସିଥିଲା। ସରକାରୀ ବ୍ୟବସ୍ଥାରେ ଦ୍ବନ୍ଦ୍ବ ଉପୁଜିବାରୁ କୋଲକାତାକୁ ନମୁନା ପଠାଯାଇଥିଲା। ସେଠାରେ ରିପୋର୍ଟ ପଜିଟିଭ୍ ଆସିଥିଲା। ତେଣୁ ପ୍ରକୃତରେ କ’ଣ ହୋଇଛି ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ।