ଭୁବନେଶ୍ବର: କଟକ ଅଞ୍ଚଳର ଜଣେ ଯୁବକଙ୍କ ଏଚ୍ଆଇଭି ରିପୋର୍ଟକୁ ନେଇ ଦ୍ବନ୍ଦ୍ବ ଉପୁଜିବା ପରେ ଏହାକୁ ନେଇ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି(ଓସାକ୍ସ) ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଓସାକ୍ସ ପକ୍ଷରୁ ଏଥିପାଇଁ ୧୦ଜଣିଆ କମିଟି ଗଠନ ହେବା ସହ ଆଜି ହାଇବ୍ରିଡ୍ ମୋଡ୍ରେ ଏକ ବୈଠକ ବସିଥିଲା। ଏଥିରେ ସଂପୃକ୍ତ ଯୁବକଙ୍କ ନମୁନା କଟକସ୍ଥିତ ରାଜ୍ୟ ରେଫରେନ୍ସ ପରୀକ୍ଷାଗାର ଓ କୋଲକାତାସ୍ଥିତ ଜାତୀୟ ପରୀକ୍ଷାଗାରକୁ ପଠାଇବାକୁ ନିଷ୍ପତ୍ତି ହୋଇଛି। ମାତ୍ର ଏଚ୍ଆଇଭି ରିପୋର୍ଟକୁ ନେଇ ଏଭଳି ଦ୍ବନ୍ଦ୍ବ ଉପୁଜିବା ପରେ ଏବେ ଯୁବକ ଜଣକ ନମୁନା ପରୀକ୍ଷା ପାଇଁ ଆସିବେ କି ନାହିଁ ତାହା ସନ୍ଦେହ ଭିତରେ ରହିଛି।
ଓସାକ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧାସ୍ଥିତ ଆଇସିଟିସି କେନ୍ଦ୍ରରେ ଥିବା କାଉନ୍ସେଲରଙ୍କଠାରୁ ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇଛି। ଗର୍ଭବତୀ ଥିବା ପତ୍ନୀଙ୍କ ପରୀକ୍ଷା(ଏଏନ୍ଟି) ପରେ କେଉଁ କାରଣ ପାଇଁ ତାଙ୍କ ସ୍ବାମୀଙ୍କ ଏଚ୍ଆଇଭି ପରୀକ୍ଷା କରାଗଲା ତାହା ଜଣାପଡ଼ିଛି। କାଉନସେଲର ସଂପୃକ୍ତ ଯୁବକଙ୍କୁ କେତେକ ପ୍ରଶ୍ନ କରିଥିଲେ, ଏଥିରେ ସନ୍ଦେହ ହେବାରୁ ତାଙ୍କ ଏଚ୍ଆଇଭି ପରୀକ୍ଷା ପାଇଁ କୁହାଯାଇଥିଲା। ଏଥିପାଇଁ ତାଙ୍କର ଅନୁମତି ମଧ୍ୟ ନିଆଯାଇଛି। ଗୋଟିଏ ପରୀକ୍ଷାରେ ପଜିଟିଭ୍ ବାହାରିବା ପରେ ଆଉ ଦୁଇଟି ପରୀକ୍ଷା ହୋଇଥିଲା, ସେଥିରେ ମଧ୍ୟ ପଜିଟିଭ୍ ବାହାରିଥିଲା। ତେଣୁ ତାଙ୍କୁ ଏଆରଟି କେନ୍ଦ୍ରରୁ ଔଷଧ ଖାଇବା ଲାଗି କୁହାଯାଇଥିଲା। ସଂପୃକ୍ତ ଯୁବକ ଜଣକ କିଛିଦିନ ପାଇଁ ମଧ୍ୟ ଔଷଧ ଖାଇଛନ୍ତି।
ସନ୍ଦେହ ଦୂର ପାଇଁ କଟକ ଓ କୋଲକାତା ପଠାଯିବ ନମୁନା
ଓସାକ୍ସର ଅଧିକାରୀ କହିଛନ୍ତି, ବୈଷୟିକ କମିଟିର ସଦସ୍ୟମାନେ କହିଥିଲେ ଯେ ଔଷଧ ଖାଇବା ପରେ ଯୁବକଙ୍କ ଶରୀରରେ ଥିବା ଭାଇରାଲ ଲୋଡ୍ ହ୍ରାସ ପାଇବା ସ୍ବାଭାବିକ। ତେଣୁ ଗୋଟିଏ ମାସ ଭିତରେ ଆଉଥରେ ପରୀକ୍ଷା କରାଯାଇଥିବାରୁ ହୁଏତ ତାଙ୍କ ନମୁନା ନେଗେଟିଭ୍ ରହିଥାଇପାରେ। ଏଚ୍ଆଇଭି ଔଷଧ ସେବନ ଆରମ୍ଭ କଲେ ୧୦% ଲୋକଙ୍କ କିଛିଟା ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥାଏ, ପରେ ଏହା ଶରୀରରେ ଅଭ୍ୟସ୍ତ ହୋଇଯାଏ। ଯୁବକ ଜଣକ ମଧ୍ୟ ତାଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ହୋଇଥିବା କହିଛନ୍ତି। ତେଣୁ ସତ୍ୟାସତ୍ୟ ଜାଣିବା ଲାଗି ପୁନର୍ବାର ତାଙ୍କ ନମୁନା କଟକ ଓ କୋଲକାତାରେ ପରୀକ୍ଷା କରିବା ଲାଗି ସ୍ଥିର ହୋଇଛି। ଖୁବଶୀଘ୍ର ଯୁବକଙ୍କୁ ଡକାଯିବ ବୋଲି ସେ କହିଛନ୍ତି। ଅପରପକ୍ଷରେ ଏହି ଯୁବକଙ୍କୁ ଠାବ କରିଥିବା ସ୍ବେଚ୍ଛାସେବୀ ନାମ ଗୋପନ ସର୍ତ୍ତରେ କହିଛନ୍ତି, ଓସାକ୍ସର ଅଧିକାରୀଙ୍କ ଏଭଳି ଯୁକ୍ତି ପଛରେ କୌଣସି ବୈଜ୍ଞାନିକ କାରଣ ନାହିଁ। ଔଷଧ ଖାଇବା ପରେ ଆକ୍ରାନ୍ତଙ୍କ ଶରୀରରେ ଭାଇରାଲ ଲୋଡ୍ କମିଯାଏ। ମାତ୍ର ଏହା ଅର୍ଥ ନୁହେଁ ଯେ ତାଙ୍କ ଶରୀରରୁ ଭୂତାଣୁ ସଂପୂର୍ଣ୍ଣ ନଷ୍ଟ ହୋଇଗଲା। ଏଚ୍ଆଇଭି ପଜିଟିଭ୍ ଜଣକ ଔଷଧ ଖାଇବା ପରେ ମଧ୍ୟ ଆଣ୍ଟିବଡି ପରୀକ୍ଷାରେ ପଜିଟିଭ୍ ବାହାରିବା ନିଶ୍ଚିତ। ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଓସାକ୍ସ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ନାକୋ ପକ୍ଷରୁ ଧାର୍ଯ୍ୟ ଏସ୍ଡିଜିର ୯୫-୯୫-୯୫ ଲକ୍ଷ୍ୟ ହାସଲରେ ଓଡ଼ିଶା ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ। ତେଣୁ ଏହି ଲକ୍ଷ୍ୟକୁ ବଢ଼ାଇବା ପାଇଁ ଓସାକ୍ସର ନିର୍ଦ୍ଦେଶ ପରେ ଏଭଳି ଅଭିଯୋଗ ଆସୁଛି। ଏହା ପୂର୍ବରୁ ଗଞ୍ଜାମରେ ମଧ୍ୟ ସମାନ ଢଙ୍ଗରେ ଏକ ଘଟଣା ନଜରକୁ ଆସିଥିଲା। ଏହା ଉପରେ ଅଧିକ ତଥ୍ୟ ସଂଗ୍ରହ ଚାଲିଛି। ଆଗକୁ କଟକ ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିସନରେ ଅଭିଯୋଗ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/09/hiv-2025-08-09-03-25-40.jpg)