ଭୁବନେଶ୍ବର : ଆସନ୍ତା ମାସ ୧୩ ତାରିଖରୁ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବ ପୁରୁଷ ହକି ବିଶ୍ବକପ୍‌। ଏହି ବିଶ୍ବକପ୍‌ର ଟ୍ରଫି ଭାରତର ୧୨ ରାଜ୍ୟ ଓ ‌ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପରିକ୍ରମା କରିବା ପରେ ରବିବାର ଭୁବନେଶ୍ବର ଫେରିଛି। ପୂର୍ବାହ୍ନରେ ଟ୍ରଫି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଏହାକୁ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ହସ୍ତାନ୍ତର କରିଥିଲେ। ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ କ୍ରୀଡ଼ା ବିଭାଗର ଅନ୍ୟ ଅଧିକାରୀ ଉପସ୍ଥିତ ରହି ଟ୍ରଫିକୁ ସ୍ବାଗତ କରିଥିଲେ। ସେଠାରେ ପୁଲିସ ବ୍ୟାଣ୍ଡ ଏବଂ ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ବାଜାର ତାଳେତାଳେ ଟ୍ରଫିକୁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟକୁ ପାଛୋଟି ଅଣାଯାଇଥିଲା। ଏଠାରୁ ଏକ ବୁଲେଟ ଶୋଭାଯାତ୍ରାରେ ଟ୍ରଫିକୁ ଶିଶୁଭବନ ଛକ, ମାଉସୀ ମା’ ଆରଓବି, ରଥ ରୋଡ୍‌ ଦେଇ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲା।

Advertisment

publive-image

ଲଗାତାର ଦ୍ବିତୀୟ ଥର ଲାଗି ଭୁବନେଶ୍ବରରେ ହେଉଥିବା ଏହି ବିଶ୍ବକପ୍‌ର ଟ୍ରଫିକୁ ଲିଙ୍ଗରାଜ ମନ୍ଦିର ନିକଟରେ ଘଣ୍ଟ ମାଡ଼ ସହ ବେଦପାଠ‌ରେ ସ୍ବାଗତ କରାଯାଇଥିଲା। ଏଠାରେ ଟ୍ରଫି ଦେଖିବା ଲାଗି ହଜାର ହଜାର କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ। ସେଠାରେ ମନ୍ତ୍ରୀ ଅଶୋକ ପଣ୍ଡା ଟ୍ରଫି ଗ୍ରହଣ କରିଥ‌ିଲେ। ଏହାପରେ ଟ୍ରଫି ଶୋଭାଯାତ୍ରାରେ କଳ୍ପନା ଛକ, କଟକ ରୋଡ୍‌ ଦେଇ ଏସପ୍ଲାନେଡ୍‌ ମଲ୍‌ଠାରେ ପହଞ୍ଚିଥିଲା। ଏଠାରେ ରକ୍‌ବାଣ୍ଡରେ ଟ୍ରଫିକୁ ସ୍ବାଗତ କରାଯାଇଥିଲା। ମେୟର ସୁଲୋଚନା ଦାସ, ଅଶୋକ ପଣ୍ଡାଙ୍କ ସହ ଏଠାରେ ଯୋଡ଼ି ହୋଇଥିଲେ ବିଧାୟକ ଅନନ୍ତ ନାରାୟଣ ଜେନା। ଏଠାରୁ ଟ୍ରଫି ଜାତୀୟ ରାଜପଥ ଦେଇ ଫାୟାର ଷ୍ଟେସନ, କଳିଙ୍ଗ ଷ୍ଟୁଡିଓ ଛକ, ସମ୍‌ ହସ୍‌ପିଟାଲ ଛକ ପରେ ସୋଆର ନୂଆ ଖେଳ ପଡ଼ିଆରେ ପହଞ୍ଚିଥିଲା। ସେଠାରେ ସୋଆର ପ୍ରତିଷ୍ଠାତା ସଭାପତି ମନୋଜ ନାୟକଙ୍କ ସହ ସୋଆ ବିଶ୍ବବିଦ୍ୟାଳୟର କୁଳପତି ଅଶୋକ କୁମାର ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

publive-image

ସାସ୍କୃତିକ କାର୍ଯ୍ୟକ୍ରମ ପରେ ସେଠାରୁ ଟ୍ରଫି ଜୟଦେବ ବିହାର ଦେଇ ‌ଶେଷରେ କିଟ୍‌ ବିଶ୍ବବିଦ୍ୟାଳୟ ପଡ଼ିଆରେ ପହଞ୍ଚିଥିଲା। କିଟ୍‍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ୨ରୁ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀ ତଥା କର୍ମଚାରୀମାନେ ଟ୍ରଫିକୁ କିଟ୍‍ ଷ୍ଟାଡିଅମ୍‍ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ପାଛୋଟି ନେଇଯାଇଥିଲେ। ସେଠାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଟ୍ରଫି ଗ୍ରହଣ କରିଥିଲେ। କିଟ୍‌ରେ ଆୟୋଜିତ ଟ୍ରଫି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ସମେତ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଏମ୍‍ସି କମିଶନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

publive-image

ଅଲିମ୍ପିଆନ୍‍ ଦୂତି ଚାନ୍ଦ, ସିଏ ଭବାନୀ ଦେବୀ, ଶିବପାଲ ସିଂହ ଏବଂ ଆଥଲେଟ୍‍ ଅମିୟ ମଲ୍ଲିକ ଓ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେବାକୁ ଆସିଥିବା ୧୫ ହଜାର କ୍ରୀଡ଼ାବିତ୍‌, ପ୍ରଶିକ୍ଷକ ଓ ଅଫିସିଆଲ୍‍ଙ୍କ ଉପସ୍ଥିତିରେ ହକି ବିଶ୍ୱକପ୍‍ ଟ୍ରଫି କିଟ୍‌ରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ କିସ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆତସବାଜୀ ପ୍ରଦର୍ଶନ କରାଯାଇଥିଲା। ଆତସବାଜୀ ପ୍ରଦର୍ଶନ ପରିବେଶକୁ ହକିମୟ କରିଦେଇଥିଲା। ସୋମବାର କିଟ୍‌ରୁ ଏହି ଟ୍ରଫି ନୟାଗଡ଼ ଓ ଖୋର୍ଦ୍ଧା ଗସ୍ତ କରିବ। ୩୦ ଜିଲ୍ଲା ବୁଲିବା ପରେ ଜାନୁଆରି ୧୨ ତାରିଖରେ ସୁନ୍ଦରଗଡ଼ରେ ଏହାର ଗସ୍ତ ଶେଷ ‌ହେବ।