ପୁରୀ : ଓଡ଼ିଶାରେ ହକି ବିଶ୍ବକପ ଆୟୋଜନ ହେଉଥିବା ବେଳେ ଏ ସମ୍ପର୍କରେ ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ବିଶ୍ବକପ ଟ୍ରଫି ଦେଶର ବିଭିନ୍ନ ରାଜ୍ୟ ଭ୍ରମଣ କରୁଛି। ଏହି ପରିପ୍ରେକ୍ଷୀରେ ସୋମବାର ପୁରୀ ଜିଲ୍ଲାରେ ପହଞ୍ଚିବ ବିଶ୍ବକପ ଟ୍ରଫି। ଟ୍ରଫିକୁ ସ୍ବାଗତ ପାଇଁ ପୁରୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଡ଼ମ୍ବରପୂର୍ଣ୍ଣ ଆୟୋଜନ କରାଯାଇଛି। ୨୭ ତାରିଖ ସକାଳ ୭ଟାରେ ବିଶ୍ବକପ ଟ୍ରଫି ଭିକ୍ଟୋରିଆ ହୋଟେଲସ୍ଥିତ ବେଳାଭୂମି ନିକଟରେ ପହଞ୍ଚିବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରଫିକୁ ସ୍ବାଗତ କରାଯିବ। ସକାଳ ୯ଟା ସୁଦ୍ଧା ଟ୍ରଫି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରୁ ସାଂସ୍କୃତିକ ଦଳ ମାଧ୍ୟମରେ ସ୍ବାଗତ କରାଯିବା ସହ ଅରୁଣ ସ୍ତମ୍ଭ ନିକଟକୁ ନିଆଯିବ। ସେଠାରେ ବେଦମନ୍ତ୍ର ସହ ପୂଜାର୍ଚ୍ଚନା କରାଯିବ। ଖଣ୍ଡୁଆ ପାଟ ଅର୍ପଣ କରାଯିବ।
ଏନେଇ ଆଜି ପୂର୍ବାହ୍ଣରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଭବତାରଣ ସାହୁ ବୈଠକରେ ଅଧ୍ୟକ୍ଷତା କରି କହିଲେ, ଚଳିତ ବର୍ଷ ଓଡ଼ିଶା ବିଶ୍ବକପ ହକିର ଆୟୋଜନ କରୁଥିବାରୁ ଏହା ଓଡ଼ିଶାବାସୀଙ୍କ ପାଇଁ ଗୌରବର ବିଷୟ। ଶ୍ରୀମନ୍ଦିର ଛତିଶା ନିଯୋଗ ପକ୍ଷରୁ ଏହାକୁ ଭବ୍ୟ ସ୍ବାଗତ କରାଯିବା ସହ ଶ୍ରୀମନ୍ଦିର ନିକଟରେ ପ୍ରଦର୍ଶନ କରାଯିବ। ଏହି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଗରାବଡୁ ନିଯୋଗ ସମ୍ପାଦକ ରଜତ ପ୍ରତିହାରୀ, ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର, ଖୁଣ୍ଟିଆ ନିଯୋଗ ସଭାପତି କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ଘଣ୍ଟୁଆ ନିଯୋଗର ସଭାପତି ଗୌରହରି ପ୍ରଧାନ, ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର, ଅନନ୍ତ ତିଆଡି, ଦୁର୍ଗା ଦାସମହାପାତ୍ର, ସିଂହାରୀ ଜଗନ୍ନାଥ କର, ମାଧବ ପୂଜାପଣ୍ଡା, ଦାମୋଦର ମହାସୁଆର, ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର, ମହାସୁଆର ନିଯୋଗ ସମ୍ପାଦକ ଗଣେଶ ମହାସୁଆର, ପ୍ରତିହାରୀ ନିଯୋଗ ସମ୍ପାଦକ ରାମ ନାରାୟଣ ଗୋଛିକାର, ମଧୁସୂଦନ ଖୁଣ୍ଟିଆ, ହରି ନାରାୟଣ ଖୁଣ୍ଟିଆ, ଶ୍ୟାମ ସୁନ୍ଦର ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ, କ୍ରୀଡ଼ା ସଂସଦର ସମ୍ପାଦକ ରବିଶଙ୍କର ପ୍ରତିହାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ।