ୟୁକ୍ରେନରେ ଯୁଦ୍ଧ ବିଭୀଷିକା: ବିସ୍କୁଟ୍‌, ବ୍ରେଡ୍‌ରେ ବିତୁଛି ଜୀବନ

ରାଉରକେଲା ୨୦ ଛାତ୍ରଛାତ୍ରୀ ଫସି ରହିଛନ୍ତି

ରାଉରକେଲା: ୟୁକ୍ରେନରେ ଯୁଦ୍ଧ ବିଭୀଷିକା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ସେଠାରେ  ଫସିରହିଥିବା ରାଉରକେଲା ଛାତ୍ରଛାତ୍ରୀଙ୍କ ବି ଦୁଃଖ ବଢ଼ିଛି। ଦୁଇ ଦିନ ହେଲା ପ୍ରାୟ ୨୦ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଚିନ୍ତା ଘାରିଛି। ଶୁଖିଲା ଖାଦ୍ୟରେ ଜୀବନ ଜିଉଁଥିବାବେଳେ ବଙ୍କର୍‌ ଭିତରେ ଦିନ କଟୁଛି। ଉଦ୍ଧାର କାର୍ଯ୍ୟ ଏବେ ଅସମ୍ଭବ ହୋଇପଡ଼ିଥିବାବେଳେ ଯୁଦ୍ଧ ବିରତି ପାଇଁ ପ୍ରାର୍ଥନା କରୁଥିବା ଆତଙ୍କିତ ସ୍ବରରେ ନେହୁରା ହୋଇଛନ୍ତି ଛାତ୍ରଛାତ୍ରୀ।

ସୁଦୂର ୟୁକ୍ରେନ୍‌ରୁ ‘ସମ୍ବାଦ’କୁ ପ୍ରତିକ୍ରିୟାରେ ଯାହା କହିଛନ୍ତି, ତାହା ନିଶ୍ଚିତଭାବେ ହୃଦୟ ବିଦାରକ। ଗତକାଲି ଭୋର୍‌ ୪ଟାରୁ ବୋମାମାଡ଼ ଆରମ୍ଭ ହୋଇଥିଲା। ଅପରାହ୍ନରେ ଏହା ସୀମା ଟପିଥିଲା। ଏଣୁ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସେମାନଙ୍କୁ ସ୍ଥାନୀୟ ମେଟ୍ରୋ ଷ୍ଟେସନ ବେସ୍‌ମେଣ୍ଟ୍‌ରେ ରଖାଯାଇଥିଲା। ତେବେ ସମସ୍ତ ରାଉରକେଲାର ଛାତ୍ରଛାତ୍ରୀ ନିର୍ଦ୍ଦିଷ୍ଟ ଗୋଟିଏ ଗ୍ରୁପ୍‌ରେ ନୁହେଁ, ବରଂ ପୃଥକ୍‌ ପୃଥକ୍‌ ଦଳରେ ରହିଥିଲେ। ଗତ ଦୁଇ ଦିନ ହେଲା ‌ଏମାନେ ମଧ୍ୟାହ୍ନ ଭୋଜନ, ରାତ୍ରୀ ଭୋଜନ ଗ୍ରହଣ କରିନାହାନ୍ତି। ଖାଦ୍ୟ କହିଲେ ବିସ୍କୁଟ, ବ୍ରେଡ୍‌ ଓ ଫଳମୂଳ। ଗତକାଲି ଖାର୍‌କିଭ୍‌ରେ ସର୍ବନିମ୍ନ ତାମପାତ୍ରା ମାଇନସ୍‌ ୨ ଡିଗ୍ରିଥିବାବେଳେ ‌ବିନା କମ୍ବଳ, ଶୀଳବସ୍ତ୍ରରେ ରାତି କାଟିଥିଲେ ଛାତ୍ରଛାତ୍ରୀ।

ମେଟ୍ରୋ ଷ୍ଟେସନରେ କ୍ଷମତାଠାରୁ ଅଧିକ ଲୋକ ମୁଣ୍ଡ ଗୁଞ୍ଜିଥିବାବେଳେ ବସିବାକୁ ବି ପର୍ଯ୍ୟାପ୍ତ ସ୍ଥାନ ମିଳିଥିଲା। ତଥାପି ଜୀବନ ବଞ୍ଚାଇବାକୁ ଠେଲାପେଲା ଭିତରେ ବିନା ଶୌଚରେ କାଟିଥିଲେ କାଳ ରାତି। ଆଜି ସକାଳ ପ୍ରାୟ ୬ଟାରେ ବୋମାମାଡ଼ ସାମାନ୍ୟ ଥମିବାରୁ ସେମାନେ ନିକଟରେ ଥିବା ନିଜ ନିଜ ହଷ୍ଟେଲକୁ ଫେରିଆସି ନିତ୍ୟକର୍ମ କରିଥିଲେ। ଦିନ ପ୍ରାୟ ୧୨ଟାରେ ପୁଣି ବୋମାମାଡ଼ ହେବାରୁ ଜୀବନ ବିକଳରେ ବଙ୍କର୍‌କୁ ଦୌଡ଼ିଥିଲେ। ହାତରେ ଥିଲା କେବଳ ଶୁଖିଲା ଖାଦ୍ୟ। ଯେ କୌଣସି ସମୟରେ ବୋମାମାଡ଼ ହେବାର ଆଶଙ୍କା ଥିବାରୁ ମେସ୍‌ରେ ରୋଷେଇ କରି ଖାଦ୍ୟ ତିଆରିବା ବି ସମ୍ଭବ ହେଉନଥିବା କହିଛନ୍ତି ଛାତ୍ରଛାତ୍ରୀ।

ପାଖରେ ମ୍ୟାଗି ଅଛି, କିନ୍ତୁ ରୋଷେଇ କରି ଖାଇବା କଷ୍ଟକର ହୋଇପଡ଼ିଛି। ଦିନସାରା ଆତଙ୍କ ଭିତରେ ରହିଥିବା ଛାତ୍ରଛାତ୍ରୀଙ୍କୁ ଯେ କୌଣସି ମୂହୁର୍ତ୍ତରେ ପୁନର୍ବାର ବଙ୍କର୍‌କୁ ନେବାକୁ ‌ୟୁକ୍ରେନ ସରକାର ଘୋଷଣା କରିଛନ୍ତି। ସାଇରନ୍‌ ବାଜିବା ମାତ୍ରେ ବଙ୍କର୍‌ ଭିତରକୁ ଯିବାକୁ ସଜାଗ ଥିବା ଛାତ୍ରଛାତ୍ରୀ ମୋବାଇଲ୍‌ର ରିଂ ଟୋନ୍‌ରେ ମଧ୍ୟ ଭୟଭୀତ ହୋଇପଡ଼ୁଛନ୍ତି; ଯାହାକି ତାଙ୍କର ସାଂପ୍ରତିକ ମାନସିକ ସ୍ଥିତି କ’ଣ ଅଛି, ତାହା ସ୍ପଷ୍ଟ ଅନୁମେୟ।

ୟୁକ୍ରେନ୍‌ର ବିଭିନ୍ନ ସହର, ଯଥା-କିଭ୍‌, ଖାର୍‌କିଭ୍‌, ଲିଭିଭ୍‌, ଓଡେଶା, ଡିନିପ୍ରୋ ଆଦି ସହରରେ ଥିବା ବିଭିନ୍ନ ମେଡିକାଲ ୟୁନିଭର୍ସିଟିରେ ରାଉରକେଲାର ୨୦ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ ଅଧ୍ୟୟନରତ। ଏମାନେ ହେଉଛନ୍ତି ରାଉରକେଲାର କୋଏଲନଗର, ସେକ୍ଟର-୪, ସେକ୍ଟର-୧୮, ସେକ୍ଟର-୧୪, ସେକ୍ଟର-୨, ସେକ୍ଟର-୧, ସେକ୍ଟର-୧୯, ସେକ୍ଟର-୨୦, ସେକ୍ଟର-୧୭, ବାସନ୍ତୀ କଲୋନି, ଛେଣ୍ଡ୍‌, ଜଗଦା, ଫର୍ଟିଲାଇଜର ଆଦି ଅଞ୍ଚଳର ଶାଶ୍ବତି ସ୍ବାଇଁ(ପ୍ରଥମ ବର୍ଷ), ଶୁଭଶ୍ରୀ ସାହୁ(ପ୍ରଥମ ବର୍ଷ), ପ୍ରିୟଙ୍କା ପଣ୍ଡା(ପ୍ରଥମ ବର୍ଷ), ପ୍ରତୀକ୍ଷା ସାମଲ(ପ୍ରଥମ ବର୍ଷ), ଅର୍ପିତା ରାଉତ, ଅନୂପ ଦାଶ, ସ୍ମୃତିଶ୍ରୀ ପତି(ଷଷ୍ଠ ବର୍ଷ), ସୁଶାନ୍ତ ପାତ୍ର, ଆଶୁତୋଷ ମିଶ୍ର, ପଲ୍ଲବୀ ସାହୁ(ଶେଷ ବର୍ଷ), ଅର୍ଚ୍ଚନା ଲେଙ୍କା(୫ମ ବର୍ଷ),ସଲୋନୀ ଜେନା(୫ମ ବର୍ଷ), ଆଶିଷ ପାଢ଼ୀ(ଦ୍ବିତୀୟ ବର୍ଷ), ପ୍ରୀତମ ମହାନ୍ତ(ପ୍ରଥମ ବର୍ଷ), ସୂରଜ ମିଶ୍ର(୫ମ ବର୍ଷ)ଙ୍କ ସମେତ ଆଉ ୪/୫ ଜଣ ଛାତ୍ରଛାତ୍ରୀ। ଏତଦ୍‌ବ୍ୟତୀତ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବର୍ତନକେଲାର ଅଙ୍କିତ ପଟେଲ ମଧ୍ୟ ୟୁକ୍ରେନରେ ଫସି ରହିଛନ୍ତି।

ସମ୍ବନ୍ଧିତ ଖବର