କାଜୁ ଚାଷ ନାଁରେ ଚାଷୀଙ୍କୁ ଠକିଲା ଉଦ୍ୟାନ ବିଭାଗ

ମଜୁରି ପାଇନାହାନ୍ତି ଶ୍ରମିକ, ପଡ଼ିଆ ପଡ଼ିଛି ଜମି

କେନ୍ଦୁଝର : କାଜୁ ଗଛ ରୋପଣ ନାଁରେ ଉଦ୍ୟାନ ବିଭାଗ ଚାଷୀଙ୍କୁ ଗୋଲାପି ସ୍ବପ୍ନ ଦେଖାଇ ଠକି ଦେଇଛି। ୮ ହେକ୍ଟର ଜମିରେ କାଜୁ ଚାରା ଲଗାଇ ଭଲ ଦି’ପଇସା ରୋଜଗାର ଆଶା କରିଥିବା ଚାଷୀ ଏବେ କାଜୁ ଚାଷ କରି ସର୍ବସ୍ବାନ୍ତ ହୋଇଛି। ଚାଷ ହରାଇ ଚାଷୀ ଏବେ ସାଜିଛି ଦିନ ମଜୁରିଆ। ସେପଟେ ଗଛ ଲଗାଇବା କାମରେ ନିୟୋଜିତ ଶ୍ରମିକମାନେ ମଧ୍ୟ ଦୀର୍ଘ ଦିନ ହେବ ମଜୁରି ପାଇ ନାହାନ୍ତି। ଏଭଳି ସାଂଘାତିକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ସେଣ୍ଡକାପ ଗ୍ରାମରେ। ଏଥିରେ ବଡ଼ଧରଣର ଘୋଟାଲା ହୋଇଥିବା ଅଭିଯୋଗ ହେଉଛି।

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା (ମନ‌ରେଗା) ମାଧ୍ୟମରେ ସଦର ବ୍ଲକ ସେଣ୍ଡକାପ ମୁଣ୍ଡୁଳି ସାହି ୨୦୨୧-୨୦୨୨ ଆର୍ଥିକ ବର୍ଷରେ ୧୨ ଜଣ ଚାଷୀ ସମୁଦାୟ ୮ ହେକ୍ଟର ଜମିରେ ୧୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାଜୁ ଚାରା ରୋପଣ କରିଥିଲେ। ୨୦୨୧ ଜୁନ ୧୭ ତାରିଖରେ ମନରେଗା ଯୋଜନାରେ ୨୪୦୩୦୦୧/ ଡିପି/୧୦୪୮୫୦୬୧ କୋଡ୍‌ ନମ୍ବରରେ କାଜୁ ଚାରାରୋପଣ ଆରମ୍ଭ ହୋଇଥିଲା। ଅଣକୁଶଳୀ ଶ୍ରମିକ ମଜୁରି ବାବଦରେ
୩ ଲକ୍ଷ ୨ ହଜାର ୭୦୫ ଟଙ୍କା ଏବଂ ବ୍ୟବହୃତ ଉପକରଣ ବାବଦରେ ୨ ଲକ୍ଷ ୪୩ହଜାର ୮୦୨ ଟଙ୍କା ଖର୍ଚ୍ଚ ହୋଇଛି। ମୋଟ ୫ ଲକ୍ଷ ୪୬ ହଜାର ୫୦୭ ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ କାଜୁ ବଗିଚାରେ ଗଛ ନାହିଁ। ସବୁ ଉଜୁଡ଼ି ଯାଇଛି। ମନରେଗା ପାଣ୍ଠି ଖର୍ଚ୍ଚ ସମୟରେ ଥିବା ସର୍ତ୍ତ ଉଲ୍ଲଂଘନ ହୋଇ କାମ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଅନେକ ଶ୍ରମିକ ମଜୁରି ପାଇ ନଥିବା ଅଭିଯୋଗ କରିଛନ୍ତି। ଗତ ଦୁଇରୁ ତିନି ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଶହ ଶହ ଚାଷୀଙ୍କର ହଜାର ହଜାର ହେକ୍ଟର ଜମିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ କଲମୀ କାଜୁ ଚାରା ରୋପଣ କରାଯାଇଛି। ଉଦ୍ୟାନ ବିଭାଗ କର୍ମଚାରୀ ଓ ଅଧିକାରୀ କଲମୀ କାଜୁଗଛ ରୋପଣ କରିବା ପରେ ସେମାନଙ୍କ ଦାୟିତ୍ବ ସାରି ଦେଇଛନ୍ତି।

ଏ ସଂପର୍କରେ ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ଡକ୍ଟର ଜୟନ୍ତ ନାୟକଙ୍କ ସହ ଯୋଗଯୋଗ କରିବାରୁ ସେ କହିଥିଲେ ଯେ ମନରେଗା ଯୋଜନାରେ କାଜୁ ଚାରା ଲଗାଯାଇଥିଲା। କିନ୍ତୁ ପରବର୍ତ୍ତୀ ବର୍ଷରେ ଚାରା ନଷ୍ଟ ହୋଇଯିବା ଫଳରେ କାମକୁ ବନ୍ଦ କରାଯାଇଛି। ରକ୍ଷଣାବେକ୍ଷଣ ପାଇଁ ଦ୍ୱିତୀୟ ବର୍ଷରେ ମନରେଗାରେ ମଜୁରି ଏବଂ ଉପାଦାନ ବାବଦ ଅର୍ଥ ନ ଦେବାକୁ ଡିଆରଡିଏକୁ ଚିଠି କରାଯାଇଛି।

ସମ୍ବନ୍ଧିତ ଖବର