କରୋନା ସଂକ୍ରମଣ ବଢ଼ିଲେ ତୁରନ୍ତ ହସ୍ପିଟାଲ ଖୋଲିବ: ଆସନ୍ତା ୩-୪ ସପ୍ତାହ ସତର୍କ ରହିବାକୁ ସଚେତନ କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି। ଯଦି ସଂକ୍ରମଣ ବୃଦ୍ଧି ପାଏ ତାହାଲେ ରାଜ୍ୟର ହସ୍ପିଟାଲଗୁଡ଼ିକୁ ତୁରନ୍ତ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର। ଡା. ମହାପାତ୍ର କହିଛନ୍ତି ଯେ କରୋନାର ପୂର୍ବ ଲହରରେ ଦିଲ୍ଲୀ, ମହାରାଷ୍ଟ୍ର, କେରଳ ଭଳି ରାଜ୍ୟରେ ସଂକ୍ରମଣ ବଢ଼ିବାର ପ୍ରାୟ ୧ମାସ ପରେ ଓଡ଼ିଶାରେ ସଂକ୍ରମଣ ବଢ଼ିଥାଏ। ଯେହେତୁ ଏସବୁ ରାଜ୍ୟରେ ସଂକ୍ରମଣ ବଢ଼ୁଛି ତେଣୁ ଆସନ୍ତା ୩/୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏବେ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ୧୦/୨୦ ସଂଖ୍ୟା ଭିତରେ ସୀମିତ ରହିଛି। ଏହାସହ ଟିକାକରଣକୁ ମଧ୍ୟ ବଢ଼ାଯାଉଛି। ହେଲେ ସଂକ୍ରମଣ ରୋକିବାକୁ ସମସ୍ତଙ୍କୁ କଟକଣା ମାନିବାକୁ ପଡ଼ିବ ବୋଲି ଡା.ମହାପାତ୍ର କହିଛନ୍ତି।

କରୋନାର ସମ୍ଭାବ୍ୟ ଚତୁର୍ଥ ଲହରକୁ ନେଇ ଏବେ ଦେଶବ୍ୟାପୀ ଚର୍ଚା ଚାଲିଛି। ମାତ୍ର ଓଡ଼ିଶାରେ ଏବେ ଦୈନିକ ସଂକ୍ରମଣ ନଗଣ୍ୟ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୮୮ହଜାର ୨୪କୁ ବୃଦ୍ଧି ପାଇଛି। ଆଉ ୧୨ଜଣ ସଂକ୍ରମିତ କରୋନାରୁ ମୁକ୍ତ ହୋଇଛନ୍ତି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୮କୁ ଖସି ଆସିଛି। ରାଜ୍ୟର ୧୬ଟି ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି। ଅପରପକ୍ଷରେ ରାଜ୍ୟରେ ପ୍ରିକସନ୍ ଡୋଜ୍ ହାର କମ୍ ଥିବାରୁ ଟିକାକରଣକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟକୁ ଚିଠି ଲେଖିଛନ୍ତି। ପରେ ରାଜ୍ୟ ସରକାର ଜିଲ୍ଲାମାନଙ୍କୁ ଚିଠି ଲେଖି ପ୍ରିକସନ୍ ଡୋଜ୍ ହାର କିଭଳି ବଢ଼ିପାରିବ ସେଥିପାଇଁ ତୃଣମୂଳସ୍ତରରେ ପ୍ଲାନିଂ କରିବା ଲାଗି କହିଛନ୍ତି।

ସମ୍ବନ୍ଧିତ ଖବର