ଭୋକ ବିକଳରେ କାନ୍ଦିଲେ ହଷ୍ଟେଲ ଅନ୍ତେବାସୀ

ଗ୍ୟାସ୍‌ ସରିଯିବାରୁ ବନ୍ଦ ରହିଲା ରୋଷେଇ, ହୋଟେଲରୁ ଖାଦ୍ୟ ଆଣି ଖାଇବାକୁ ଦେଲେ ଅଧିକାରୀ

ଠାକୁରମୁଣ୍ଡା : ଗ୍ୟାସ୍‌ ସରିଯିବାରୁ ହଷ୍ଟେଲରେ ରୋଷେଇ ବନ୍ଦ ରହିଲା। ଅଭିଯୋଗ କରିବା ପାଇଁ ଛାତ୍ରୀମାନେ ଭୋକ ଉପାସରେ ବିଡିଓଙ୍କ କାର୍ଯ୍ୟାଳୟକୁ ଦୌଡ଼ିଲେ। ହେଲେ ରବିବାର ଥିବାରୁ କାହାର ଦେଖା ନପାଇ ଶେଷରେ କାନ୍ଦିକାନ୍ଦି ହଷ୍ଟେଲକୁ ଫେରିଲେ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଳକ ମହକୁମାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ହଷ୍ଟେଲରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା।

ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଦ୍ୱାରା ପରିଚାଳିତ ଏହି ଛାତ୍ରୀନିବାସରେ ଚତୁର୍ଥରୁ ଦଶମ ପର୍ଯ୍ୟନ୍ତ ୧୦୦ ଜଣ ଛାତ୍ରୀ ରହୁଛନ୍ତି। ରବିବାର ସକାଳେ ହଷ୍ଟେଲରେ ଗ୍ୟାସ୍‌ ସରିଯିବାରୁ ରୋଷେଇ ହୋଇ ପାରିନଥିଲା। ଭୋକରେ ଥିବା ୯୪ ଛାତ୍ରୀ ସକାଳେ ମୁଢ଼ି ଖାଇ ଅଭିଯୋଗ କରିବା ପାଇଁ ହଷ୍ଟେଲରୁ ବାହାରି ୧ କିମି ଦୂର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେବେ ବ୍ଲକ କାର୍ଯ୍ୟାଳୟ ବନ୍ଦ ଥିବା ଦେଖି ଛାତ୍ରୀମାନେ ସେଠାରେ କାନ୍ଦିଥିଲେ। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ବିଡିଓଙ୍କୁ ଫୋନ୍‌ କରି ଜଣାଇବା ସହ ଭୋକିଲା ଥିବା ଛାତ୍ରୀମାନଙ୍କୁ ବିସ୍କୁଟ୍‌ ଖାଇବାକୁ ଦେଇଥିଲେ। ଖବର ପାଇ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଭାଗିରଥୀ ମହାନ୍ତି, ସିଆର୍‌ସିସି ଅଲେଖ କୁମାର ପଲେଇ, ବ୍ଲକ ସଂପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର ସାହୁ, ଠାକୁରମୁଣ୍ଡା ସରପଞ୍ଚ ଆଲୋକ ଦଙ୍ଗ ହୋଟେଲରୁ ଖାଦ୍ୟ ଆଣି ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ପିଲାଙ୍କୁ ଖାଇବାକୁ ଦେଇଥିଲେ। ସଂଗେ ସଂଗେ ସମାଜ ମଙ୍ଗଳ ଅଧିକାରୀ ହଷ୍ଟେଲକୁ ଗୋଟିଏ ଗ୍ୟାସ୍‌ ଟାଙ୍କି ପଠାଇ ରୋଷେଇ ବନ୍ଦୋବସ୍ତ କରିଥିଲେ।

ଛାତ୍ରୀମାନଙ୍କ କହିବା ଅନୁସାରେ, ହଷ୍ଟେଲରେ ଅଧିକାଂଶ ଦିନ ଭାତଡାଲି ଖାଇବାକୁ ମିଳୁଥିବାବେଳେ କାଁଭାଁ ପରିବା ତରକାରୀ ମିଳିଥାଏ। ନାନ୍ଦି ମୁଣ୍ଡାରୀ, ମାଇନ ମୁର୍ମୁ, ଲକ୍ଷ୍ମୀପ୍ରିୟା ନାଏକ, ଟୁଇଙ୍କିଲ ମଢେଇଙ୍କ ସମେତ ସମସ୍ତ ଛାତ୍ରୀ ହଷ୍ଟେଲରେ ପରିଚାଳନାଗତ ଅବ୍ୟବସ୍ଥା ସଂପର୍କରେ ସବୁ ଗୁମର ଖୋଲି ଦେଇଥିଲେ। ବିଦ୍ୟୁତ ଚାଲିଗଲେ ହଷ୍ଟେଲ ଅନ୍ଧାରରେ ରହିବା, ଶୌଚାଳୟରେ ବିଦ୍ୟୁତ ଆଲୋକ ନଥିବା ଆଦି ଅଭିଯୋଗ ସଂପର୍କରେ କେହି ଶୁଣୁ ନଥିବା ଛାତ୍ରୀମାନେ କୋହଭରା କଣ୍ଠରେ କହିଥିଲେ।

ହଷ୍ଟେଲ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ଲୁମେଶ୍ବରୀ ନାୟକଙ୍କ କହିବା ଅନୁଯାୟୀ, ସ୍ବାମୀଙ୍କ ଅସୁସ୍ଥତା କାରଣରୁ ସକାଳେ ସେ ସ୍କୁଲରେ ନଥିଲେ। ତଥାପି ୱାର୍ଡେନ୍ ଓ ରୋଷେୟା ଗ୍ୟାସ ଆଣିବାକୁ ଯାଇଥିବାବେଳେ ଛାତ୍ରୀମାନେ ଏଭଳି କାଣ୍ଡ ଭିଆଇଛନ୍ତି। ପିଲାଙ୍କ ପାଇଁ ଖାଦ୍ୟର ବନ୍ଦୋବସ୍ତ କରାଯାଇଥିଲା। ଗ୍ୟାସ୍‌ ଆସିଥିଲେ ରୋଷେଇ ହୋଇଥାନ୍ତା। କେହି ଛାତ୍ରୀମାନଙ୍କୁ ଉସୁକାଇ ଏଭଳି କାଣ୍ଡ କରିଥିବା ସେ କହିଛନ୍ତି। ଏ ସଂପର୍କରେ ରୋଷେୟା ଶାନ୍ତିଲତା ଗାଗରାଇଙ୍କୁ ପଚାରିବାରୁ ଗ୍ୟାସ୍‌ ନଥିବାରୁ ରୋଷେଇ ହୋଇ ପାରିନଥିଲା। ଛାତ୍ରୀମାନେ ସକାଳେ ମୁଢି ଖାଇ ହଷ୍ଟେଲର ଅବ୍ୟବସ୍ଥା ସଂପର୍କରେ ଜଣାଇବାକୁ ବ୍ଳକ କାର୍ଯ୍ୟାଳୟକୁ ପଳାଇଥିଲେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପିଲାମାନଙ୍କ ସମସ୍ୟା ବିଷୟରେ ଅବଗତ ନଥିବା ବ୍ଲକ ସମ୍ପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ସେ ନିଜେ ‌ହଷ୍ଟେଲ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର