ଅତାବିରା: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣରେ ୟୁକ୍ରେନରେ ପଡ଼ୁଥିବା ଭାରତୀୟ ଡାକ୍ତରୀ ଛାତ୍ର କିପରି ନିଜ ଜୀବନ ବଂଚାଇବା ପାଇଁ ସଂଘର୍ଷ କରିଛନ୍ତି ତାହା କୌଣସି ଫିଲ୍ମଠାରୁ କମ୍ ନୁହେଁ। ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଛାତ୍ରଛାତ୍ରୀମାନେ ଆତୁର ହେଉଥିବା ବେଳେ ନିଜ ସାମ୍ନା ଘର ଉପରେ ବୋମା ପଡ଼ୁଥାଏ, ସବୁ କିଛି ଛାରଖାର ହୋଇ ଯାଉଥାଏ, ଚାରି ପାଖ ବୋମା ଶବ୍ଦରେ ଭୟର ବାତାବରଣ ସୃଷ୍ଟି ହେଉଥାଏ। ଏପରି କିଛି ଅନୁଭୂତି ବୟାନ କରିଛନ୍ତି ୟୁକ୍ରେନରେ ଫେରନ୍ତା ଡାକ୍ତରୀ ଛାତ୍ରୀ ବରଗଡ଼ ଜିଲ୍ଲା ରେଂଗାଲିକେମ୍ପର ଦୋରା ବାବୁଙ୍କ ୨୧ ବର୍ଷୀୟ ଏମ୍ ଜ୍ୟୋତିଶ୍ବରୀ।
Sambad is now on WhatsApp
Join and get latest news updates delivered to you via WhatsApp
ଅତାବିରାର ଏମ୍ ଜ୍ୟୋତିଶ୍ବରୀ ଏବଂ ବରଗଡ଼ର ଆୟୁଷ ଦାଶ ବୁଧବାର ଝାରସୁଗୁଡ଼ା ବିମାନବନ୍ଦରରୁ ଫେରିବା ପରେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ହାତରେ ଭାରତୀୟ ପତାକା ଧରି ନିଜ ମାଟିକୁ ଫେରିବା ଆନନ୍ଦ ଅନ୍ଧାର ମଧ୍ୟରୁ ଆଲୋକକୁ ଫେରିବା ଭଳି ମୁଖରୁ ବାରି ହେଉଥିଲା। ଜ୍ୟୋତିଶ୍ବରୀଙ୍କୁ ସାକ୍ଷାତ ବେଳେ ଯୁଦ୍ଧ ଦିନରୁ ନିଜ ମାଟି ପର୍ଯ୍ୟନ୍ତ ଫେରିବାର ଘଟଣା, ଦୁର୍ଘଟଣା ବିଷୟରେ ବୟାନ କରିଥିଲେ।
ୟୁକ୍ରେନର ଖାରକିବ୍ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଏହି ଛାତ୍ରୀ ଯୁଦ୍ଧ ଆରମ୍ଭର ଦୁଇ ଦିନ ପରେ ଭାରତ ପ୍ରତ୍ୟାବର୍ତ୍ତନ କରିବା ପାଇଁ ବିମାନ ଟିକେଟ୍ କରିଥିଲେ। କିନ୍ତୁ ଯୁଦ୍ଧ ଯୋଗୁଁ ଆକାଶ ମାର୍ଗ ସୁରକ୍ଷିତ ନଥିବାରୁ ବିମାନ ବନ୍ଦ ହୋଇଗଲା। ଖାରକିବ୍ ସହର ରୁଷ ସୀମାରୁ ପାଖାପାଖି ୭୦ କିମି ଦୂରରେ ଥିବାରୁ ୟୁକ୍ରେନ୍ର ପଶ୍ଚିମ ଭାଗକୁ ଆସିବା ପାଇଁ ପରାମର୍ଶ ଦିଆଗଲା। କିନ୍ତୁ ଭାରତୀୟଙ୍କ ପାଇଁ କୌଣସି ବ୍ୟବସ୍ଥା କରାଗଲା ନାହିଁ। ସହରର ବିଭିନ୍ନ ସ୍ଥାନରେ ବୋମା ପଡ଼ୁଥାଏ, ବଡ଼ ବଡ଼ ଘର ନିଜ ଆଖି ଆଗରେ ଭଗ୍ନାସ୍ତୂପରେ ପରିଣତ ହୋଇଯାଉଥାଏ। ଜୀବନ ବଂଚାଇବା ପାଇଁ ମେଟ୍ରୋ ଷ୍ଟେସନରେ ରହିବା ପାଇଁ କୁହାଗଲା।
ଦୁଇ ଦିନ କାଳଖଣ୍ଡେ ଲୁଗା, ଆବଶ୍ୟକ ସାର୍ଟିଫିକେଟ୍, ପ୍ରମାଣ ପତ୍ର, ପାଣି ବୋତଲ, କିଛି ଖାଇବା ସମାଗ୍ରୀ ରଖିବାକୁ କୁହାଗଲା। ପାଖରେ ଖାଦ୍ୟ, ପାଣିର ଘୋର ଅଭାବ ଦେଖା ଦେଇଥିଲା। ପିଲାଙ୍କୁ ପିସୋଚିନ୍ର ଆଶ୍ରୟସ୍ଥଳୀରେ ଯିବାକୁ ମାର୍ଗଦର୍ଶିକା ଜାରି କରାଗଲା। କୌଣସି ଗାଡ଼ିର ବ୍ୟବସ୍ଥା ନ ଥିବାରୁ ୨୫ କମି ଭୋକଶୋଷରେ ଚାଲି ଚାଲି ଯାଇଥିଲେ। ସେଠାରେ ୟୁକ୍ରେନରେ ରହୁଥିବା ଗ୍ଲୋବାଲ ଫୋକସ୍ ଏଜେସିର ଓଡ଼ିଶାର ଡାକ୍ତର ସ୍ବାଧୀନ ମହାପାତ୍ର ଏବଂ ଭାରତୀୟ ଦୂତାବାସର ଏମ୍ଡି ଅବଦୁଲ ଜାହିରଙ୍କ ସହାୟତାରେ ୩୮ ଘଣ୍ଟା ବସରେ ଯାତ୍ରା କରି ରୋମାନିଆ ସୀମାକୁ ଆସିଥିଲେ। ସେଠାରୁ ଭାରତୀୟ ଦୂତାବାସ ପକ୍ଷରୁ ଅପେକ୍ଷା କରିଥିବା ବସରେ ବସି ରୋମାନିଆ ଆସିଥିଲେ। ସେଠାରେ ଦିନେ ରହିବା ପରେ ଦିଲ୍ଲୀ ଏବଂ ପରେ ସିଧାସଳଖ ଝାରସୁଗୁଡ଼ାରେ ପହଂଚିଥିଲେ।