ଆଜି ବିଶ୍ୱ ପର୍ଯ୍ୟଟନ ଦିବସ: ସୁଧୁରୁଛି ଜାଗା ଘର, ଉଜୁଡ଼ୁଛି ମଠ ସଂସ୍କୃତି

ପୁରୀ : ଆଧ୍ୟାତ୍ମିକ ପର୍ଯ୍ୟଟନର ପ୍ରାଣକେନ୍ଦ୍ର ଶ୍ରୀକ୍ଷେତ୍ର। ମନ୍ଦିର, ମଠ ଓ ତୀର୍ଥ ପୁଷ୍କରିଣୀ ପୁରୀର ପରିଚୟ। ଦିନେ ୭ଶହ ମଠରେ ସମୃଦ୍ଧ ଥିଲା ଶ୍ରୀକ୍ଷେତ୍ର ମାଟି। ଅଥଚ ଆଜି ଏହା ୧୫୦ ତଳକୁ ଖସି ଆସିଛି। ଉନ୍ନତି ଆଳରେ ମଠ ଉପରେ ବୁଲ୍‌ଡୋଜର ଚଢ଼ାଯାଇଛି। ଖଜାପଟ୍ଟି, ବଣିଆ ପଟ୍ଟି, ଚୁଡ଼ା ପଟ୍ଟିର ସାଂସ୍କୃତିକ ପର୍ଯ୍ୟଟନ ସ୍ମୃତି ଗର୍ଭରେ ବିଲୀନ ହୋଇଯାଇଛି। ପ୍ରାଚୀନ ଧର୍ମଶାଳା ସମାଧି ନେଇଛି। ପାଠାଗାର ସଂସ୍କୃତି ହଜିଗଲାଣି। ଆଇକ୍‌ନିକ ସିଟି ଯୋଜନାଠୁ ନେଇ ହେରିଟେଜ୍‌ କରିଡର୍‌ ଭଳି ମହତ୍ତ୍ବାକାଂକ୍ଷୀ ଯୋଜନା କାର୍ଯ୍ୟକାରୀ ହୋଇଛି। ଜାଗାଘର ସଂସ୍କୃତିକୁ ପୁନର୍ଜୀବିତ କରିବା ପାଇଁ କୋଟି କୋଟି ଟଙ୍କା ପ୍ରଦାନ କରାଯାଉଛି। ଜାଗା ଘରର ରୂପରେଖ ବଦଳିଛି। ମାତ୍ର ମୂଳ ମଠ ସଂସ୍କୃତି ଶେଷ ନିଃଶ୍ବାସ ନେଉଛି ବୋଲି ଅଭିଯୋଗ ହେଉଛି।

ସନ୍ଥମାନେ ପୁରୀକୁ ମର୍ତ୍ତ୍ୟ ବୈକୁଣ୍ଠ ଭାବେ ଅଭିହିତ କରିଛନ୍ତି। ଶରଧାବାଲିର ରେଣୁ ଓ ବଡ଼ଦାଣ୍ଡର ଧୂଳିକୁ ପବିତ୍ର ମଣନ୍ତି ପର୍ଯ୍ୟଟକ। ସେଥିପାଇଁ ପୁରୀକୁ ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ରର ମର୍ଯ୍ୟାଦା ମିଳିଛି। କିନ୍ତୁ ସମୟସ୍ରୋତରେ ବହୁ ପ୍ରାଚୀନ ଐତିହ୍ୟ ସମାଧି ନେବାକୁ ବସିଛି। ଐତିହ୍ୟ ବିଶାରଦ ଡ.ସୁରେନ୍ଦ୍ର ମିଶ୍ରଙ୍କ କହିବା ମୁତାବକ, ଏବେ ୧୦୦ରୁ ଅଧିକ ମଠ ଭଗ୍ନ ଓ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରତ୍ୟେକ ମଠ ଶ୍ରୀମନ୍ଦିରର ୧୨ ମାସ ତେର ଯାତ୍ରା ସମେତ ଅନ୍ୟ ରୀତିନୀତି ସହ ଜଡ଼ିତ। ହେଲେ ମଠ ସଂସ୍କୃତି ଲୋପ ପାଇବା ସହ ସେ ସମସ୍ତ ନୀତି ମଧ୍ୟ ମଠ ପକ୍ଷରୁ ବନ୍ଦ ହୋଇଯାଇଛି। ଜାଗାଘରକୁ ସଜାଡ଼ିବାକୁ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଦାନ ଦିଆଯାଉଛି। କିନ୍ତୁ ଅତି ପ୍ରାଚୀନ ମଠଗୁଡ଼ିକୁ ସଜାଡ଼ିବା ପାଇଁ ପ୍ରଶାସନ ପକ୍ଷରୁ ଆନ୍ତରିକତା ଦେଖିବାକୁ ମିଳୁନାହିଁ।
ଉତ୍କଳ ବିଦ୍ବତ ପରିଷଦର ଅଧ୍ୟକ୍ଷ ମନୋଜ ରଥ କହିଛନ୍ତି, ପୁରୀ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ର। ମଠ ଓ ମନ୍ଦିର ବିନା ଶ୍ରୀକ୍ଷେତ୍ରର ପରିକଳ୍ପନା ଅଧୁରା। ଯଦିଓ କିଛି ମଠକୁ ପୁନରୁଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି କିନ୍ତୁ ଅତି ପ୍ରାଚୀନ ତଥା ଲୁପ୍ତପ୍ରାୟ ମଠଗୁଡ଼ିକୁ ହତାଦାର କରାଯାଉଛି। ଶଙ୍କରାନନ୍ଦ ମଠ, ଗୋପାଳତୀର୍ଥ ମଠ, ମହୀପ୍ରକାଶ ମଠ, ଅଙ୍ଗିରା ମଠ, ସାତଲହଡ଼ି ମଠକୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ ପ୍ରଶାସନ ବିଫଳ ହୋଇଛି। ବିଡ଼ମ୍ବନା ଏହି ଯେ ଅଧିକାଂଶ ମଠ ଜବରଦଖଲରେ ରହିଥିବା ‌ବେଳେ ଅନେକ ମଠ ନିଶାସକ୍ତଙ୍କ ଆଡ଼ାସ୍ଥଳ ପାଲଟିଯାଇଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ଚନ୍ଦନପୁର ଭାର୍ଗବୀ ନଦୀ ତୀରରେ କପୋତେଶ୍ବରଙ୍କ ଆବିର୍ଭାବ ହୋଇଥିବା କିଂବଦନ୍ତି କୁହେ। ମାତ୍ର ଦେବୋତ୍ତର ବିଭାଗ ଏଠାରୁ ନିଜର ଦାୟିତ୍ବ ଖସାଇ ଦେବା ପରେ ଏହି ଐତିହ୍ୟ ମନ୍ଦିର ଅବହେଳିତ ହୋଇ ପଡ଼ିରହିଛି। ସେହିଭଳି ଦୁର୍ଗାମାଧବ ଉପାସନାର ଅନନ୍ୟ ଐତିହ୍ୟ କ୍ଷେତ୍ର ନାରାୟଣୀ ମନ୍ଦିର ଭ‌ାଙ୍ଗିରୁଜି ଗଲାଣି। ଶ୍ରୀମନ୍ଦିର ନୀତି ସହ ଏହି ମନ୍ଦିରର ସମ୍ପର୍କ ରହିଛି। ଷୋଳପୂଜା ସମୟରେ ପ୍ରଥମ ୮ଦିନ ଦୁର୍ଗାମାଧବ ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ ଶେଷ ୮ଦିନ ଏହି ନାରାୟଣୀ ମନ୍ଦିରକୁ ଆସନ୍ତି। ମାତ୍ର ବର୍ଷା ହେଲେ ମନ୍ଦିର ମଧ୍ୟରେ ନାଳ ପାଣି ପ୍ରବେଶ କରୁଛି। ଏହାର କାନ୍ଥ, ଛାତ ବି ଦୁର୍ବଳ ହୋଇଗଲାଣି।

ଇକୋ ଟୁରିଜିମ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟ ମୁଖ୍ୟ ଯୁଗବ୍ରତ କର କହିଛନ୍ତି, ଚଳିତ ବର୍ଷ ବିଶ୍ବ ପର୍ଯ୍ୟଟନ ଦିବସର ଥିମ୍‌ ରହିଛି ‘ରିଥିଙ୍କିଙ୍ଗ ଟୁରିଜିମ’ ଅବ‌ା ‘ପର୍ଯ୍ୟଟନକୁ ନେଇ ପୁନଃଚିନ୍ତନ’। ଏହି ପରିପ୍ରେକ୍ଷୀରେ ଉଜୁଡ଼ି ଯାଇଥିବା ଜାଗାଘରକୁ ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ ହେବା ଭଲ ସଙ୍କେତ। ମଠଗୁଡ଼ିକର ମଧ୍ୟ ବହୁ ଗୁରୁତ୍ବ ରହିଛି। ତେଣୁ ଜାଗାଘର ଭଳି ମଠ ପୁନରୁଦ୍ଧାର ପାଇଁ ଉଦ୍ୟମ ହେବା ଆବଶ୍ୟକ। ପୁରୀରେ ପର୍ଯ୍ୟଟନ କହିଲେ, କେବଳ ଶ୍ରୀମନ୍ଦିର ଓ ମହୋଦଧିକୁ ଗୁରୁତ୍ବ ଦିଆଯାଉଛି। ଯଦି ପ୍ରାଚୀନ ମଠ ଓ ଏହା ପଛରେ ଥିବା କାହାଣୀଗୁଡ଼ିକର ପ୍ରଚାର ପ୍ରସାର ସହ ଶ୍ରୀକ୍ଷେତ୍ର ମଧ୍ୟରେ ଏକ ପର୍ଯ୍ୟଟନ ସର୍କିଟ କରାଯାଇ ମନ୍ଦିର, ମଠ ଓ ତୀର୍ଥ ପୁଷ୍କରିଣୀକୁ ଯୋଡ଼ାଯାଇପାରନ୍ତା ତେବେ ପର୍ଯ୍ୟଟକଙ୍କ ପାଦ ପଡ଼ିବା ସହ ପର୍ଯ୍ୟଟନ କ୍ଷେତ୍ର ଆହୁରି ସମୃଦ୍ଧ ହୋଇପାରନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର