ସମ୍ବଲପୁର: ରେଢ଼ାଖୋଲ ଥାନା ଶିମିଳିପାଳ ଲୁସୁରା ଗାଁର ଅନ୍ନ ମିର୍ଦ୍ଧାଙ୍କ ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ନିଆଁ ଲାଗିବା ଫଳରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା ବେଳେ ନ୍ୟାୟ ପାଇଁ ଅନ୍ନ ମିର୍ଦ୍ଧା ରେଢ଼ାଖୋଲ ଥାନାରେ ଶନିବାର ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଅନ୍ନଙ୍କ ନଣନ୍ଦ ପାରିବାରିକ କଳହ ପାଇଁ କିଛି ଦିନ ହେବ ତାଙ୍କ ଘରେ ରହୁଛନ୍ତି।

Advertisment

ଶୁକ୍ରବାର ଦିନ ତାଙ୍କ ନଣନ୍ଦଙ୍କ ସ୍ବାମୀ ଓ ସ୍ଥାନୀୟ ସରପଞ୍ଚ ଘରକୁ ଆସି କଥା ହୋଇଥିଲେ। କିଛି ସମାଧାନର ବାଟ ନ ବାହାରିବାରୁ ଫେରି ଯାଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ନଙ୍କ ପରିବାର ଲୋକେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇ ଫେରାର୍‌ ହୋଇଯାଇଥିଲା। ନିଆଁର ତାତିେର ସମସ୍ତେ ଉଠି ଘର ବାହାରକୁ ଚାଲି ଯାଇଥିଲେ। କିନ୍ତୁ ଘର ଭିତରେ ଥିବା ଆସବାବ ପତ୍ରଠାରୁ ଖାଦ୍ୟ ପଦାର୍ଥ ଓ କୃଷି ସାମଗ୍ରୀ ଜଳିପୋଡ଼ି ପାଉଁସ ହୋଇଯାଇଥିଲା। ଏବେ ଅନ୍ନଙ୍କ ପରିବାର ଲୋକେ କେଉଁଠାରେ ରହିବେ ସେ ନେଇ ଚିନ୍ତାରେ ଥିବା ବେଳେ ନ୍ୟାୟ ପାଇଁ ପୁଲିସର ଦ୍ବାରସ୍ଥ ହୋଇଛନ୍ତି।