ଦଶରଥପୁର : ଦଶରଥପୁର ତହସିଲ ବିହାରୀ ପଞ୍ଚାୟତ ନାହାପଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମର ବିଷ୍ଣୁପ୍ରସାଦ ସାହୁଙ୍କ ଘରଟି ଜଳିପୋଡ଼ି ପାଉଁଶ ହୋଇଯାଇଛି। ଗାଁର ଜଣେ ବ୍ୟକ୍ତି ଜାଣିଶୁଣି ନିଆଁ ଲଗାଇ ଦେଇଥିବା ନେଇ ସେ ଦଶରଥପୁର ଥାନାରେ ଅଭିଯୋଗ କରିଛନ୍ତି। ଗତ ୨୨ ତାରିଖ ରାତିରେ ବିଷ୍ଣୁ ପ୍ରସାଦଙ୍କ ପରିବାର ଶୋଇଥିବାବେଳେ କେହି ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ପଡ଼ୋଶୀଙ୍କ ସହାୟତାରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ଦଶରଥପୁର ଅଗ୍ନିଶମ କେନ୍ଦ୍ରରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ମାତ୍ର ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଘରେ ଥିବା ଧାନଚାଉଳ, ପୋଷାକପତ୍ର, ଟଙ୍କା, ଅଳଙ୍କାର, ବାସନକୁସନ ଆଦି ପୋଡ଼ିଯାଇଛି।
ତିନିବଖରା ଜଳିଗଲା
ରଗଡି : କୋରେଇ ବ୍ଲକ ପାଟରଙ୍ଗା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ତିନି ପରିବାରର ୩ ବଖରା ଘର ପୋଡ଼ିଯାଇଛି। ଯାଜପୁର ରୋଡ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଗ୍ରାମର ଗଦାଧର ପାତ୍ର, ତାଙ୍କ ଦୁଇପୁଅ ସୁବାସ ପାତ୍ର ଓ ପ୍ରକାଶ ପାତ୍ର ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ଦାସ ଅଗ୍ନି ବିପନ୍ନ ପରିବାରକୁ ଆର୍ଥିକ ସହାୟତା ସହ ଚାଉଳ ଯୋଗାଇ ଦେଇଛନ୍ତି। ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/jaj-fire.jpg)