ଧର୍ମ ପରିବର୍ତ୍ତନ କରିଥିବାରୁ ଘର ଭାଙ୍ଗିଲେ

ଜରିମାନା ନ ଦେବାରୁ କଙ୍ଗାରୁ କୋର୍ଟର ଦଣ୍ଡ

ପଡିଆ/ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ୍‌ର ଦୁର୍ଗମ କମାରଗୁଡ଼ାରେ ଧର୍ମକୁ କେନ୍ଦ୍ରକରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। କଙ୍ଗାରୁ କୋର୍ଟର ନିର୍ଦ୍ଦେଶ ସତ୍ତ୍ବେ ୧୦ହଜାର ଟଙ୍କା ନ ଦେବାରୁ ୪ ପରିବାରଙ୍କ ଘର ଭଙ୍ଗା ଯାଇଛି। ମାରପିଟ୍‌ ସହ ଘରୁ ଡକୟତି କରିଥିବା ନେଇ ଥାନାରେ ଏତଲା ଦିଆଯାଇଛି। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମାରପିଟ୍‌ ଏବଂ ଘର ଭଙ୍ଗାରେ ସଂପୃକ୍ତ ୧୦ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଉପରୋକ୍ତ ଗାଁର ୪ ପରିବାର ଧର୍ମ ପରିବର୍ତ୍ତନ କରିଥିଲେ। ଯାହାକୁ ଗ୍ରହଣ କରିପାରି ନଥିଲେ ଗ୍ରାମବାସୀ। ଗାଁରେ କଙ୍ଗାରୁ କୋର୍ଟ ବସିଥିଲା ଏବଂ ୧୦ହଜାର ଟଙ୍କା ଜରିମାନା ବାବଦରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ, ଟଙ୍କା ଦେବାରେ ଅକ୍ଷମ ହୋଇଥିଲେ ୪ ପରିବାର। ତେଣୁ ଆକ୍ରୋଶିତ ହୋଇରହିଥିଲେ ଗାଁର କିଛି ଜଣ। ସୁଯୋଗ ମିଳିଲେ ନିଶ୍ଚିତ ଦଣ୍ଡ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ଗତ ମଙ୍ଗଳବାର ଦିନ ଧର୍ମ ପରିବର୍ତ୍ତନ କରିଥିବା ପରିବାରରୁ ଜଣେ ଲେଖାଏଁ ପୁରୁଷ ସଦସ୍ୟ ମୋଟୁ ନିକଟସ୍ଥ କମଲାପୁରମ ଯାଇଥିଲେ। ଜଣେ ଧର୍ମଗୁରୁଙ୍କ ପୁଅ ବାହାଘରରେ ସେମାନେ ଯୋଗ ଦେଇଥିଲେ। ଏହି ଖବର ଗାଁରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ବହୁ ସଂଖ୍ୟାରେ ଲୋକ ସଂଘବଦ୍ଧ ଭାବେ ଧର୍ମ ପରିବର୍ତ୍ତନ କରିଥିବା ପରିବାରର ଘରେ ପଶି ଭଙ୍ଗାରୁଜା କରିଥିଲେ। ଏପରିକି ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ସହ ଅନ୍ୟ ଦୁଇ ଜଣଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ତଦନ୍ତ କରିବା ସହିତ ୧୦ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର