ୟାସ୍ ବାତ୍ୟାରେ ଘର ଭାଙ୍ଗିଥିଲା, ବର୍ଷେ ହେଲା ପଲିଥିନ୍‌ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ପୂର୍ଣ୍ଣଚନ୍ଦ୍ର

ଜଳେଶ୍ବର: ଜଳେଶ୍ବର ବ୍ଲକ ଲକ୍ଷ୍ମଣନାଥ ପଞ୍ଚାୟତ ବିରେଶପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂଙ୍କ ଘର ଗତବର୍ଷ ୟାସ ବାତ୍ୟାରେ ଭାଙ୍ଗିଥିବା ବେଳେ ସେହିଦିନ ଠାରୁ ପଲିଥିନ ତଳେ ସେ ମୁଣ୍ଡ ଗୁଞ୍ଜିଛନ୍ତି। ୨୦୧୭ ମସିହା ଏସଇସିସି ଯୋଗ୍ୟ ତାଲିକାରେ ପୂର୍ଣ୍ଣଚନ୍ଦ୍ରଙ୍କ ନାମ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଘର ଖଣ୍ଡିଏ ନମିଳିବା ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନା ପ୍ରତି ଉପହାସ ବୋଲି କୁହାଯାଇଛି।

ପୂର୍ଣ୍ଣଚନ୍ଦ୍ରଙ୍କ ସମ୍ପତ୍ତି କହିଲେ ୧ ଡେସିମିଲିର ଘରଡ଼ିହ ଖଣ୍ଡିକ। ଭାଗଚାଷ ଉପରେ ନିଜ ବୃଦ୍ଧା ମାଆଙ୍କ ସମେତ ୬ ଜଣିଆ ପରିବାରର ପ୍ରତିପୋଷଣ ବହୁ କଷ୍ଟରେ ସେ କରିଥାନ୍ତି। ଗତବର୍ଷ ୟାସ ବାତ୍ୟା ସମୟରେ ତାଙ୍କ ନଡ଼ାଛପର ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଗଲା। ଘର ଭାଙ୍ଗିବାର ୩ ମାସ ଯାଏ ଖରାକାକର ଓ ବର୍ଷାରେ ବହୁ କଷ୍ଟରେ ଚଳିବା ପରେ ତାଙ୍କୁ ତହସିଲ ପକ୍ଷରୁ ୩୨୦୦ ଟଙ୍କାର ଘର ଭଙ୍ଗା ସହାୟତା ମିଳିଥିଲା। ସେହି ଟଙ୍କାରେ ପଲିଥିନ କିଣି ଭଙ୍ଗା ବାଉଁଶ ଛପର ଉପରେ ପକାଇଥିଲେ। ସେହିଦିନ ଠାରୁ ପଲିଥିନ ତଳେ ନିଜ ବୃଦ୍ଧା, ରୋଗୀଣା ମାଆ ଓ ୩ ଝିଅ ଏବଂ ପତ୍ନୀଙ୍କୁ ନେଇ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି ପୂର୍ଣ୍ଣଚନ୍ଦ୍ର। ୨୦୧୭ ମସିହା ମେ ୨୩ ତାରିଖରେ ପ୍ରକାଶିତ ଏସଇସିସି ଯୋଗ୍ୟ ତାଲିକାରେ ବ୍ଲକରେ ୧୩୮୬୧ ନମ୍ବର ଓ ପଞ୍ଚାୟତରେ ୮୦ ନମ୍ବର ସିରିଏଲରେ ପୂର୍ଣ୍ଣଚନ୍ଦ୍ରଙ୍କ ନାମ ରହିଛି। ଏହା ସତ୍ତ୍ୱେ ତାଙ୍କୁ ଘର ମିଳିନାହିଁ। ଘର ଖଣ୍ଡିଏ ପାଇବା ପାଇଁ ଚାତକ ପରି ଚାହିଁ ରହିଥିବା ପୂର୍ଣ୍ଣଚନ୍ଦ୍ର ବ୍ଲକ ଓ ପଞ୍ଚାୟତକୁ ବାରମ୍ବାର ଦୌଡୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ଆଜି ପୂର୍ଣ୍ଣଚନ୍ଦ୍ର ଜଳେଶ୍ବର ବ୍ଲକକୁ ଆସି ବିଡିଓଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ବର୍ଷାଦିନ ପୂର୍ବରୁ ତାଙ୍କୁ ଘର ପ୍ରଦାନ କରାନଗଲେ ସେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର