ଜମିବାଡ଼ି ବିବାଦରୁ ଘର ଜାଳିଦେଲେ: ମରଣମୁହଁରୁ ବର୍ତ୍ତିଲେ ପରିବାରର ୬ ଜଣ

ଭଦ୍ରକ: ଜମିବାଡ଼ି ବିବାଦରୁ ଭୟଙ୍କର ପରିଣତି ଭୋଗିଛନ୍ତି ଗୋଟିଏ ପରିବାର। ରାତିରେ ଶୋଇଥିବାବେଳେ ବାହାର ପଟୁ ତାଲା ପକାଇ ଘର ଜାଳି ଦେଇଛନ୍ତି ପଡ଼ୋଶୀ। ନିମିଷକେ ୫ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ, ମରଣମୁହଁରୁ ବର୍ତ୍ତି ଯାଇଛନ୍ତି ପରିବାରର ୬ ସଦସ୍ୟ। ଭଦ୍ରକ ସହରାଞ୍ଚଳ ଥାନା ଗବସାହିରେ ଘଟିଛି ଏଭଳି ଅମାନବୀୟ କାଣ୍ଡ। ସୂଚନା ଅନୁଯାୟୀ, ଗବସାହିର ସୁଦର୍ଶନ ଦାସଙ୍କ ପରିବାର ସହିତ ତାଙ୍କ ପଡ଼ୋଶୀ ଗଜେନ୍ଦ୍ର ଦାସ ଓ ଅନ୍ୟମାନଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଶତ୍ରୁତା ଲାଗି ରହିଥିବାବେଳେ ଅନେକ ସମୟରେ ଦୁଇ ପରିବାର ଝଗଡ଼ା ଲାଗୁଥିଲେ। ଏପରିକି ସୁଦର୍ଶନଙ୍କ ପରିବାରକୁ ରାସ୍ତାରୁ ହଟାଇବା ପାଇଁ ପୂର୍ବରୁ କୁଆଡ଼େ ଧମକ ଦିଆଯାଇଥିଲା।

ଜମିବାଡ଼ି ବିବାଦରୁ ଗତକାଲି ଉଭୟ ପରିବାର ଭିତରେ ପୁଣି ଗଣ୍ଡଗୋଳ ଲାଗିବାରୁ ଥାନା ଅଧିକାରୀ ନିଜେ ଯାଇ ତଦନ୍ତ କରିଥିଲେ। ତେବେ ଗତକାଲି ରାତିରେ ସୁଦର୍ଶନ ଓ ତାଙ୍କ ପରିବାର ଶୋଇଥିବାବେଳେ ବାହାରପଟୁ କବାଟ ବନ୍ଦ କରି ପଡ଼ୋଶୀ ଗଜେନ୍ଦ୍ର ଓ ଅନ୍ୟମାନେ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଘର ହୁତୁହୁତୁ ହୋଇ ଜଳିବା ସମୟରେ ସୁଦର୍ଶନ ଓ ତାଙ୍କ ପରିବାର ଜୀବନ ବଞ୍ଚାଇବା ପାଇଁ ପଦାକୁ ପଳାଇଯିବାକୁ ଚେଷ୍ଟା କରିଥିଲେ। ହେଲେ ବାହାରପଟୁ କବାଟରେ ତାଲା ଦିଆଯାଇଥିବାରୁ କେହି ବାହାରି ପାରିନଥିଲେ। ମହିଳାମାନେ ଜୀବନ ବିକଳରେ ଚିତ୍କାର କରିଥିଲେ। ଉପାୟଶୂନ୍ୟ ହୋଇ ଶେଷରେ ଘର ପଛପଟ ଝରକା ଭାଙ୍ଗି ସମସ୍ତେ ବାହାରକୁ ଆସିଥିଲେ। ଘର ଜଳୁଥିବା ସମୟରେ ସୁଦର୍ଶନଙ୍କ ୯୦ ବର୍ଷୀୟା ବୃଦ୍ଧା ମା’ଙ୍କୁ ବହୁକଷ୍ଟରେ ଉଦ୍ଧାର କରାଯାଇଥିଲା। ଅଗ୍ନିକାଣ୍ଡରେ ଗହଣା, ବାସନକୁସନ, ଆସବାବପତ୍ର ସମେତ ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ଛାରଖାର ହୋଇଯାଇଛି। ଏ ନେଇ ସୁଦର୍ଶନ ଭଦ୍ରକ ସହରାଞ୍ଚଳ ଥାନାରେ ଗଜେନ୍ଦ୍ରଙ୍କ ସମେତ ୧୭ ଜଣଙ୍କ ନାମରେ ଅଭିଯୋଗ କରିଥିବାବେଳେ କେସ୍‌ ନଂ ୧୩୧/୨୨ରେ ଏକ ମାମଲା ରୁଜୁ ହୋଇଛି। ସେହିପରି ଗଜେନ୍ଦ୍ର ଦାସ ମଧ୍ୟ ସୁଦର୍ଶନଙ୍କ ପରିବାର ନାମରେ ପାଲଟା ଅଭିଯୋଗ କରିଛନ୍ତି। ଏ ନେଇ ୧୩୨/୨୨ରେ ଆଉ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏହି ସମ୍ବେଦନଶୀଳ ମାମଲାରେ ଏଯାଏ କାହାକୁ ଗିରଫ କରିନାହିଁ।

ସମ୍ବନ୍ଧିତ ଖବର