ଭୁବନେଶ୍ବର: ଓଡ଼ିଶାରେ ଦେଖାଯାଉଥିବା କୁମ୍ଭୀରଙ୍କ ସଂରକ୍ଷଣ ଓ ବଂଶ ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଇଛି। ଭିତରକନିକାରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ୯୬ରୁ ବୃଦ୍ଧି ପାଇ ୧,୮୮୦ରେ ପହଞ୍ଚିଲାଣି। ମହାନଦୀର ଟିକରପଡାସ୍ଥିତ ସାତକୋଶିଆ ଗଣ୍ଡରେ ଘଡ଼ିଆଳ କୁମ୍ଭୀରଙ୍କ ପ୍ରାକୃତିକ ପ୍ରଜନନ ଦ୍ବାରା ସଂଖ୍ୟା ୧୬ରେ ପହଞ୍ଚିଛି। ସେମାନଙ୍କ ସୁରକ୍ଷା ପାଇଁ ‘କୁମ୍ଭୀର ବନ୍ଧୁ’ ଭାବେ ସ୍ଥାନୀୟ ଅଧିବାସୀଙ୍କୁ ନିୟୋଜିତ କରାଯାଇଛି। ଏଥିସହ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିବା ଶାବକଙ୍କୁ ସୁରକ୍ଷିତ ଭାବରେ ଫେରାଇଲେ ଏକ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି। ସେହିପରି ଶିକାର ଓ ବାସସ୍ଥାନ ନଷ୍ଟ ଯୋଗୁଁ ମଧୁର ଜଳରେ ବସବାସ କରୁଥିବା ମଗର କୁମ୍ଭୀର ବିଲୁପ୍ତପ୍ରାୟ ହୋଇଥିଲେ। ଶିମିଳିପାଳର ରାମତୀର୍ଥଠାରେ ରାଜ୍ୟ ସରକାର, ଜାତିସଂଘର ବିକାଶ କାର୍ଯ୍ୟକ୍ରମ(ୟୁଏନ୍ଡିପି) ସହାୟତାରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଦ୍ବାରା ଏବେ ସେମାନଙ୍କ ସଂଖ୍ୟା ୨୦୦ ହୋଇଛି। ତେବେ ମଣିଷ-କୁମ୍ଭୀର ସଂଘର୍ଷ ଏବେ ଚିନ୍ତାର ବିଷୟ ପାଲଟିଛି। ଗତବର୍ଷ କୁମ୍ଭୀର ଆକ୍ରମଣରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା। ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ଅଘଟଣ ଏଡ଼ାଇବାକୁ ନଦୀକୂଳିଆ ଘାଟରେ ତାରଜାଲି ଘେରାଯିବାକୁ ବ୍ୟବସ୍ଥା ହେଉଛି ବୋଲି ଓଡ଼ିଶାରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ସମାରୋହ ପାଳନ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି।
ବଉଳା କୁମ୍ଭୀର:୧୯୭୫ରେ ୯୬, ଏବେ ୧୮୮୦
ବନ୍ୟଜନ୍ତୁ ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେଉ: ଓୟୁଏଟି କୁଳପତି
ଓୟୁଏଟି ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ଭିଡିଓ ବାର୍ତ୍ତା ମାଧ୍ୟମରେ କୁମ୍ଭୀର ସଂରକ୍ଷଣ କେବଳ ଗୋଟିଏ ଜୀବକୁ ବଞ୍ଚାଇବା ନୁହେଁ, ବରଂ ଏହା ଆମ ନଦୀ, ଜଳାଶୟ ଓ ସମଗ୍ର ପରିସଂସ୍ଥାକୁ ସୁରକ୍ଷିତ ରଖିବାର ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ସୁରେଶ ପନ୍ଥ ସମ୍ମାନିତ ଅତିଥିଭାବେ ଯୋଗ ଦେଇ କହିଲେ, କୁମ୍ଭୀରଙ୍କ ବାସସ୍ଥଳୀ କମିବା, ଅଣ୍ଡାଦାନ ସ୍ଥାନ ନଷ୍ଟ ଯୋଗୁଁ ମଣିଷ-କୁମ୍ଭୀର ସଂଘର୍ଷ ବଢ଼ିଛି। ନଦୀକୂଳରେ ସୁରକ୍ଷିତ ସ୍ନାନାଗାର ଆଦି ନିର୍ମାଣ ହୋଇଛି। ଏଥିସହ ମୃତାହତଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉଛି। ତେବେ କୁମ୍ଭୀର ସଂରକ୍ଷଣର ପ୍ରତିବଦ୍ଧତାକୁ ବଜାୟ ରଖିବାକୁ ସମସ୍ତେ ନିସ୍ୱାର୍ଥପର ଚେଷ୍ଟା ଜାରି ରଖିବାକୁ ସେ ଆହ୍ୱାନ ଦେଇଥିଲେ। ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓୟୁଏଟି ପରିସରରେ ବନ୍ୟଜନ୍ତୁ ଗବେଷଣା ଓ ସଂରକ୍ଷଣ ସମ୍ବନ୍ଧୀୟ ଏକାଡେମିକ୍ ସେଣ୍ଟର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲେ। ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱ।ବଧାରକ ଶ୍ରୀ ପ୍ରେମ୍ କୁମାର ଝା ସ୍ୱାଗତ ଭାଷଣ ଦେଇ ଓଡ଼ିଶାରେ କୁମ୍ଭୀର ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ‘ଓଡ଼ିଶାରେ କୁମ୍ଭୀର ସଂରକ୍ଷଣ’ ଉପରେ ଏକ ଡକ୍ୟୁମେଣ୍ଟାରି ଓ ୩ଟି ପୁସ୍ତକକୁ ଅତିଥିମାନେ ଲୋକାର୍ପିତ କରିଥିଲେ। କୁମ୍ଭୀର ସଂରକ୍ଷଣ ପାଇଁ ବିଶେଷଜ୍ଞ ଲାଲା ଅଶ୍ୱିନୀ କୁମାର ସିଂହ, ସୁଧାକର କର ଓ ପ୍ରଫେସର ସୁଦର୍ଶନ ମହାରଣାଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ, ଫଟୋଗ୍ରାଫି ଓ ବିତର୍କ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ବନ ସଂରକ୍ଷକ ତଥା ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି. ନାୟାର ଧନ୍ୟବାଦ ଦେଇଥିଲେ।