ଖମାର : ରାତି ପାହିଲେ ଝିଅ ଦେଖିବାକୁ ଯାଇଥା’ନ୍ତା ପୁଅ। ବୋହୂ ପସନ୍ଦ ହୋଇଥିଲେ ହୋ ଜାତିର ପରମ୍ପରା ଅନୁସାରେ ଝିଅକୁ ସିଧା ଘରକୁ ଆଣିଥା’ନ୍ତା। ଆଦିବାସୀ ପରମ୍ପରା ଅନୁସାରେ ଧୂମ୍ଧାମ୍ରେ ଭୋଜିଭାତ ବି ହୋଇଥା’ନ୍ତା। ସେଥିପାଇଁ ସାଥୀମାନଙ୍କ ସହିତ ଚୋରା ବନ୍ଧୁକ ନେଇ ବନ୍ୟପ୍ରାଣୀ ଶିକାର କରିବାକୁ ଯାଇଥିଲା ଘଞ୍ଚ ଜଙ୍ଗଲକୁ। କିନ୍ତୁ ଜଙ୍ଗଲରେ ଘଟିଲା ଅଘଟଣ। ନିଜ ଚୋରା ବନ୍ଧୁକ ଗୁଳିରେ ନିଜେ ମଲା ଶିକାରୀ।
ମୃତ ଶିକାରୀ ହେଲେ, ଅନୁଗୁଳ ଜିଲ୍ଲା ଖମାର ଥାନା ଖେମଳା ପଞ୍ଚାୟତ ବଳଭଦ୍ରପୁର ଗାଁର ଟଣା ପୂର୍ତ୍ତିଙ୍କ ପୁଅ ରବି ଚନ୍ଦ୍ର ପୂର୍ତ୍ତି(୨୨)। ଗତକାଲି ଗାଁର ବଳଭଦ୍ର ଜାମୁଦା (୩୦) ବିଜୟ କାଣ୍ଡିଆନ(୩୦) ଓ ଚୈତନ୍ୟ ବୋଇତା(୩୨) ଶିକାର କରିବାକୁ ମାଲ୍ୟଗିରି ଜଙ୍ଗଲକୁ ଯାଇଥିଲେ। ସେମାନେ ରବିଚନ୍ଦ୍ରଙ୍କୁ ବି ସାଙ୍ଗରେ ଯିବାପାଇଁ ଡାକିଥିଲେ। ଯେହେତୁ ରାତି ପାହିଲେ ଝିଅ ଦେଖା ପର୍ବ ଏବଂ ଘରକୁ ନୂଆବୋହୂ ଆସିବାର ଥିଲା, ପରିବାର ଲୋକେ ଜଙ୍ଗଲକୁ ଯିବାକୁ ରବିଙ୍କୁ ମନା କରିଥିଲେ। କିନ୍ତୁ, ତିନି ସାଥୀ ବାଧ୍ୟ କରି ରବିଙ୍କୁ ସାଙ୍ଗରେ ନେଇଥିଲେ।
ଶିକାର ସ୍ଥଳ ଥିଲା ଗାଁଠାରୁ ବହୁତ ଦୂର। ତେଣୁ, ଦିନ ଏବଂ ରାତି ଖାଇବା ପାଇଁ ରୋଷେଇ ସରଞ୍ଜାମ ନେଇ ଚାରିଜଣ ଯାକ ଜଙ୍ଗଲ ଭିତରକୁ ଯାଇଥିଲେ। ଚାରି ଜଣଙ୍କ ମଧ୍ୟରୁ ବିଜୟ ସଞ୍ଜବେଳକୁ ରବିଙ୍କ ଘରକୁ ଆସିଥିଲା। ରବି କୁଆଡ଼େ ଗଲା ବୋଲି ପଚାରିବା ସହିତ କେଉଁଆଡ଼େ ଅଦୃଶ୍ୟ ହୋଇଯାଇଥିଲା। ବିଜୟର ଏହିଭଳି କଥାରେ ସନ୍ଦେହ ପ୍ରକାଶ କରି ପରିବାର ଲୋକେ ଜଙ୍ଗଲକୁ ଯାଇ ଖୋଜାଖୋଜି କରିବା ପରେ ରବିଙ୍କର ରକ୍ତ ଭିଜା ମୃତଦେହ ଠାବ କରିଥିଲେ। ଖବର ପାଇ ଖମାର ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହିତ ମୃତଦେହ ଜବତ କରିଛି। ଘଟଣାରେ ପୁଲିସ ଅନ୍ୟ ଦୁଇ ସାଥୀ ବଳଭଦ୍ର ଓ ଚୈତନ୍ୟଙ୍କୁ ଥାନାରେ ଅଟକ ରଖିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ବିଜୟ ନିଜ ବନ୍ଧୁକ ସହିତ ଫେରାର୍ ହୋଇଯାଇଛି।
ପୁଲିସ ଜେରା ସମୟରେ ଅଟକ ଶିକାରୀ ଦ୍ବୟ କହିଛନ୍ତି, ‘ଜଙ୍ଗଲରେ ରୋଷେଇ କରି ଖାଇଥିଲେ। ହାଣ୍ଡିଆ ବି ପିଇଥିଲେ। କିନ୍ତୁ, ସଞ୍ଜ ଯାଏ କୌଣସି ଶିକାର ମିଳିଲା ନାହିଁ। ତେଣୁ, ଜଣ ଜଣ କରି ବନ୍ଧୁକ ଧରି ପାହାଡ଼ରୁ ତଳକୁ ଓହ୍ଲାଉଥିବା ବେଳେ ରବି ବନ୍ଧୁକ ସହିତ ତଳେ ପଡ଼ି ଯାଇଥିଲା। ସେହି ସମୟରେ ବନ୍ଧୁକରୁ ଗୁଳି ଫୁଟିଥିଲା। ନିଜ ବନ୍ଧୁକ ଗୁଳି ତା’ କାଖ ତଳେ ବାଜିଥିଲା’ ଅନ୍ୟପକ୍ଷରେ, ତାଙ୍କ ପୁଅକୁ ଜାଣିଶୁଣି ସାଙ୍ଗମାନେ ଗୁଳି କରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।