କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନିୟମଗିରି ପାହାଡ଼ରେ ଜନ୍ତୁ ଶିକାର କରିବାକୁ ଯାଇ ଶିକାରୀ ଗୁଳିରେ ଆଉ ଜଣେ ଶିକାରୀର ମୃତ୍ୟୁ ହୋଇଛି! ଏହି ଘଟଣାରେ କଲ୍ୟାଣସିଂହପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରି ବଙ୍ଗପାଡ଼ୁ ଗ୍ରାମର ଜଣେ ନାବାଳକକୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

Advertisment

ଗତକାଲି ରାତିରେ ନିୟମଗିରି ପାହାଡ଼ ଉପରେ ରହିଥିବା ପାର୍ସାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଙ୍ଗପାଡ଼ୁ ଗ୍ରାମରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଗତକାଲି ରାତିରେ ଜନ୍ତୁ ଶିକାର କରିବାପାଇଁ ବଙ୍ଗପାଡ଼ୁ ଗ୍ରାମର କିଛି ଲୋକଙ୍କ ସହ ବିଷମକଟକ ବ୍ଲକ୍ କୁର୍ଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁଣ୍ଡନାଲି ଗ୍ରାମର ବୁଟୁ ଜାକେସିକା ମଧ୍ୟ ଯାଇଥିଲେ। ଜଙ୍ଗଲରେ ଶିକାର କରୁଥିବା ବେଳେ ବୁଟୁ ଦେହରେ ହଠାତ୍‌ ଗୁଳି ବାଜିଥିଲା। ଫଳରେ, ବୁଟୁଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ତେବେ, ମୃତ୍ୟୁ ପୂର୍ବରୁ କଲ୍ୟାଣସିଂହପୁର ଥାନା ପୁଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ବୁଟୁ ଜାକେସିକାଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ବଙ୍ଗପାଡ଼ୁ ଜଙ୍ଗଲକୁ ଯାଇ ଜଣେ ନାବାଳକକୁ ଆଣି ପଚରାଉଚରା କରାଯାଉଥିବା ଥାନା ଅଧିକାରୀ ମୁକୁନ୍ଦଦେବ ନାୟକ କହିଛନ୍ତି।