ସୋରରେ ଚାଞ୍ଚଲ୍ୟ: ଗଳାକାଟି ପତିପତ୍ନୀଙ୍କୁ ହତ୍ୟା

ସୋର: ବାଲେଶ୍ବର ଜିଲ୍ଲା ସୋରରେ ଘଟିଛି ଲୋମହର୍ଷଣକାରୀ ଘଟଣା। ଦୁର୍ବୃତ୍ତମାନେ ପତିପତ୍ନୀଙ୍କୁ ଗଳାକାଟି ହତ୍ୟା କରିଥିବା ଜଣାପଡ଼ିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୋର ବ୍ଲକ୍‌ ସବିରା ପଞ୍ଚାୟତ ମାଝୀସାହି ଗ୍ରାମର ବୁଦ୍ଧିରାମ ବେହେରାଙ୍କ ପୁଅ ରଘୁନାଥ ବେହେରା (୩୫) ଏବଂ ତାଙ୍କ ପତ୍ନୀ ପ୍ରଭାତୀ ବେହେରା (୩୦) ଖାଇସାରି ଘର ନିକଟ ନିଜ କୁକୁଡ଼ା ଫାର୍ମକୁ ପ୍ରତିଦିନ ଭଳି ଆଜି ମଧ୍ୟ ରାତି ପ୍ରାୟ ୯ଟା ବେଳେ ଶୋଇବାକୁ ଯାଇଥିଲେ। ତେବେ କିଛି ସମୟ ପରେ ଫାର୍ମରୁ ଚିତ୍କାର ଶୁଭିଥିଲା।

ଫଳରେ ଘରଲୋକ ଓ ପଡ଼ୋଶୀ ‌ଫାର୍ମ ନିକଟକୁ ଦୌଡ଼ିଥିଲେ। ସେଠାରେ ରଘୁନାଥ ଓ ପ୍ରଭାତୀଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସୋର ଥାନାଧିକରିଣୀ ସୁଜାତା ଖମାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି। ଖବର ଲେଖାହେବା ବେଳକୁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି। ରଘୁନାଥଙ୍କ ପରିବାର ସହ କିଛି ଲୋକଙ୍କ ବ୍ୟବସାୟିକ ଓ ବ୍ୟକ୍ତିଗତ ଶତ୍ରୁତା ଥିଲା। ତେଣୁ ରାଗ ରଖି ପତିପତ୍ନୀଙ୍କୁ ଦୁର୍ବୃତ୍ତ ହତ୍ୟା କରିଥିବା ଅନୁମାନ ହେଉଛି।

ସମ୍ବନ୍ଧିତ ଖବର