ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଏକ ଅଭାବନୀୟ କାଣ୍ଡ ଘଟିଛି। ସ୍ତ୍ରୀକୁ ପିଟି ମାରି ଦେବା ପରେ ସ୍ବାମୀ ମୃତଦେହକୁ ଘର ଭିତରେ ଜାଳି ଦେଇଛି। ମୃତ ମହିଳାଙ୍କ ଭାଇଙ୍କ ଅଭିଯୋଗକ୍ରମେ ପୁଲିସ ଅର୍ଦ୍ଧଦଗ୍ଧ ଶବ ଜବତ କରି ପତ୍ନୀହନ୍ତା ସ୍ବାମୀକୁ ଗିରଫ କରିଛି। ଏହି ଘଟଣା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଆମ୍ବେର ଗ୍ରାମର ବିଧାନ ରାୟ(୪୭) କଖାରୁଣୀ ବାଲିସାହି ଗ୍ରାମର ଆରତି ରାୟ(୪୨)ଙ୍କୁ ୨୦୦୫ ମସିହାରେ ବିବାହ କରିଥିଲା। ସେମାନଙ୍କର ତିନି ଝିଅ। ବଡ଼ ଝିଅ କଲେଜରେ ପଢୁଥିବା ବେଳେ ମଝିଆଁ ଝିଅ ଷଷ୍ଠରେ ଶ୍ରେଣୀରେ ପଢୁଛନ୍ତି। ସାନଝିଅ ଦିବ୍ୟାଙ୍ଗ। ବିବାହର ୨ରୁ ୩ ବର୍ଷ ପର୍ଯ୍ୟନ୍ତ ବିଧାନ ଓ ଆରତିଙ୍କ ପାରିବାରିକ ଜୀବନ ଠିକ୍ଠାକ୍ ଚାଲିଥିଲା। ପରେ ବିଧାନ ମଦ୍ୟପାନ କରି ଅଧିକାଂଶ ସମୟରେ ଆରତିଙ୍କୁ ମାଡ଼ପିଟ କରିବା ଆରମ୍ଭ କରି ଦେଇଥିଲା। ଏ ସମ୍ପର୍କରେ ଆରତି ବାପଘରକୁ ଜଣାଇବା ପରେ ଭାଇମାନେ ବୁଝାସୁଝା କରି ଘଟଣାର ସମାଧାନ କରୁଥିଲେ। ତେବେ କୌଣସି କାରଣକୁ ନେଇ ଗତକାଲି ବିଳମ୍ବିତ ରାତିରେ ବିଧାନ ଆରତିଙ୍କୁ ପ୍ରବଳ ମାଡ଼ ମାରିଥିଲା। ଏଥିରେ ଆରତିଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ବିଧାନ ଘର ସଂଲଗ୍ନ ଏକ ଚାଳଘର ଭିତରେ କାଠ ରଖି ଆରତିଙ୍କ ମୃତଦେହରେ ନିଆଁ ଲଗାଇ ଦେଇଥିଲା। ରାତି ପ୍ରାୟ ୨ଟା ବେଳେ ମଝିଆଁ ଝିଅ ନିଦରୁ ଉଠି ମାକୁ ନ ପାଇ ଖୋଜାଖୋଜି କରିଥିଲେ। ଏହି ସମୟରେ ଚାଳ ଘରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ପରେ ୩ ଝିଅ ଜେଜେ ମାଙ୍କ ସହ ଚାଳ ଘର ନିକଟକୁ ଯାଇ ଆରତିଙ୍କ ମୃତଦେହ ଜଳୁଥିବା ଦେଖିବାକୁ ପାଇଥିଲେ। ସେତେବେଳକୁ ମୃତଦେହ ଅର୍ଦ୍ଧଦଗ୍ଧ ହୋଇ ସାରିଥିଲା।
ଏ ସମ୍ପର୍କରେ ସେମାନେ ଖଡ଼ିଅଣ୍ଟା ସରପଞ୍ଚ ଜୀବନଜ୍ୟୋତି ରାୟଙ୍କୁ ଜଣାଇଥିଲେ। ସରପଞ୍ଚ ଶ୍ରୀ ରାୟ ତିନି ଝିଅଙ୍କୁ ସାଙ୍ଗରେ ନେଇ ଆରତିଙ୍କ ବାପଘର ବାଲିସାହିରେ ପହଞ୍ଚି ଏ ସମ୍ପର୍କରେ ସୂଚନା ଦେଇଥିଲେ। ଆରତିଙ୍କ ଭାଇ ଅକ୍ଷୟ କୁମାର ଜେନା ଘଟଣା ସମ୍ପର୍କରେ ଥାନାକୁ ସୂଚନା ଦେଇଥିଲେ। ଏସ୍ଡିପିଓ ସନ୍ଧ୍ୟାରାଣୀ ବେଉରିଆ, ଆଦର୍ଶଥାନା ଆଇଆଇସି ରଂଜିତ ମହାନ୍ତି, ଗ୍ରାମାଞ୍ଚଳ ଥାନା ଆଇଆଇସି ବାମଦେବ ନନ୍ଦ, ଏସ୍ଆଇ ଅନ୍ତର୍ଯ୍ୟାମୀ ବିଶ୍ବାଳ ପ୍ରମୁଖ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରିଛନ୍ତି। ଅକ୍ଷୟଙ୍କ ଏତଲା ଆଧାରରେ ପୁଲିସ ଦଫା ୩୦୨ ଓ ୪୯୮(ଏ)ରେ ମାମଲା(୪୪୨/୨୩) ରୁଜୁ କରି ବିଧାନକୁ ଗିରଫ କରି ଅଧିକ ଛାନଭିନ ଚଳାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ। ଘଟଣାର ତଦନ୍ତ ପରେ ହତ୍ୟା ପଛର କାରଣ ଜଣାପଡ଼ିବ ବୋଲି ଗ୍ରାମାଞ୍ଚଳ ଥାନା ଆଇଆଇସି ଶ୍ରୀ ନନ୍ଦ କହିଛନ୍ତି।