ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସ୍ୱାମୀଙ୍କୁ ମୃତ ଦର୍ଶାଇ ଟଙ୍କା ହାତେଇବା ଉଦ୍ୟମ ଘଟଣା, ସ୍ତ୍ରୀ ନାଁରେ ଥାନାରେ ଅଭିଯୋଗ କଲେ ସ୍ବାମୀ

କଟକ : ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସ୍ୱାମୀଙ୍କୁ ମୃତ ଦର୍ଶାଇ ଟଙ୍କା ହାତେଇବା ଉଦ୍ୟମ ଘଟଣାରେ ନୂଆ ମୋଡ଼ ଆସିଛି। ପତ୍ନୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍ବାମୀ ବିଜୟ ଦତ୍ତ। ମାଣିଆବନ୍ଧ ଥାନାରେ ବିଜୟ ଅଭିଯୋଗ କରିଥିବା ବେଳେ, ଏହି ଘଟଣା ବାଲେଶ୍ବର ଜିଲ୍ଲାରେ ଘଟିଥିବାରୁ ସେଠାରେ ଯାଇ ଏତଲା ଦେବାକୁ ବିଜୟଙ୍କୁ କୁହାଯାଇଥିବା ପୁଲିସ ସୂଚନା ଦେଇଛି। ଟଙ୍କା ଲୋଭରେ ତାଙ୍କ ପତ୍ନୀ ମୃତ ବ୍ୟକ୍ତିଙ୍କୁ ସ୍ୱାମୀ ଦର୍ଶାଇ ସାଂଘାତିକ ଖେଳ ଖେଳିଛନ୍ତି ବୋଲି ବିଜୟ ଲିଖିତ ଅଭିଯୋଗ କରିଛନ୍ତି। ଏହାଦ୍ବାରା ତାଙ୍କ ନିଜର ସମ୍ମାନ ହାନି ହେବା ସହ ବଡ଼ମ୍ବା ମାଣିଆବନ୍ଧ ଅଞ୍ଚଳର ସମ୍ମାନ ହାନି ଘଟିଛି। ତେଣୁ ତୁରନ୍ତ ପତ୍ନୀ ଗୀତାଞ୍ଜଳି ଦତ୍ତଙ୍କୁ ଗିରଫ ପାଇଁ ସେ ଥାନାରେ ଗୁହାରି କରିଛନ୍ତି।

ବିଜୟ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୪ ତାରିଖରୁ ପତ୍ନୀ ଗୀତାଞ୍ଜଳି ନିଖୋଜ ହୋଇଯାଇଛନ୍ତି। ଏପଟେ ସେହି ୪ ତାରିଖ ଦିନ ଗୀତାଞ୍ଜଳି ଶବକୁ ନେଇ ସାଂଘାତିକ ଖେଳ ଖେଳିବାକୁ ଯାଇ ଧରା ପଡ଼ିଥିଲେ। ବାହାନଗା ରେଳ ଦୁର୍ଘଟଣା ପରି ବିପତ୍ତି ସମୟରେ ସହାୟତା ରାଶି ହଡ଼ପ ପାଇଁ ଗୀତାଞ୍ଜଳି ଚକ୍ରାନ୍ତ କରିଥିଲେ। ଟଙ୍କା ପାଇଁ ଜଣେ ମୃତ ବ୍ୟକ୍ତିଙ୍କୁ ତାଙ୍କ ସ୍ବାମୀ ବୋଲି ପରିଚୟ ଦେଇଥିଲେ ମହିଳା ଜଣକ। ବାଲେଶ୍ବର ନୋସି ବିଜନେସ ପାର୍କ ପରିସରରେ ଏହି ଘଟଣା ଘଟିଥିଲା। ଅନେକ ସମ୍ପର୍କୀୟ ମୃତକଙ୍କୁ ଚିହ୍ନଟ କରୁଥିବା ବେଳେ ଗୀତାଞ୍ଜଳି ହଠାତ ପହଞ୍ଚି କାନ୍ଦବୋବାଳି କରିଥିଲେ। ନିଜ ସ୍ବାମୀ ବିଜୟ ଦତ୍ତଙ୍କର କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କହିଥିଲେ। ଏମିତିକି ଏକ ଶବ ଉପରୁ ଧଳା କପଡ଼ା ଉଠାଇ ନିଜ ସ୍ବାମୀ ବୋଲି ଦର୍ଶାଇଥିଲେ। ପରେ ଅଧିକାରୀମାନେ ତାଙ୍କ ସ୍ବାମୀଙ୍କ ଆଧାରକାର୍ଡ ସହିତ ପୂର୍ବ ଫଟୋ ଏବଂ ସ୍ବାମୀଙ୍କ ନାମର ଆଧାର କାର୍ଡ ମାଗିବା ପରେ ସେ ଅକଳରେ ପଡ଼ିଯାଇଥିଲେ। ପଚରାଉଚରା ପରେ ଗୀତାଞ୍ଜଳିଙ୍କର ଚାଲବାଜି ଧରାପଡ଼ିଯାଇଥିଲା। ପରେ ଜିଆର୍‌ପି ତାଙ୍କୁ ଅଟକ ରଖିଥିବା ବେଳେ ସେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର