ପତ୍ନୀ ଓ ସନ୍ତାନର ଭରଣପୋଷଣ କରିବାକୁ ସ୍ବାମୀ ବାଧ୍ୟ

କଟକ: ପତ୍ନୀ ସହ ସନ୍ତାନର ଭରଣପୋଷଣ କରିବା ପାଇଁ ସ୍ବ‌ାମୀ ଆଇନ ଅନୁସାରେ ବାଧ୍ୟ। ବୈବାହିକ ବନ୍ଧନରେ ଭିତରେ ଯଦି କୌଣସି ପୁରୁଷ ଥାଏ ତେବେ ପତ୍ନୀ ଓ ସନ୍ତାନର ଭରଣପୋଷଣ ତାର ଆଇନଗତ ଓ ଆବଶ୍ୟ କରଣୀୟ କର୍ତ୍ତବ୍ୟ। ଏହି ଦାୟିତ୍ବରୁ ସ୍ବାମୀ କୌଣସି ବାଟରେ ଖସି ଯାଇ ପାରିବେ ନାହିଁ। ମାସିକ ଭରଣପୋଷଣ ସଂପର୍କିତ ମାମଲାର ଶୁଣାଣି କରି ଅଦାଲତ ଏପରି କହିବା ସହିତ ପତ୍ନୀ ଓ ସନ୍ତାନକୁ ମାସିକ ୫ ହଜାର ଟଙ୍କା ଅନ୍ତରୀଣ ଭରଣପୋଷଣ ବାବଦରେ ସ୍ବାମୀ ପ୍ରଦାନ କରିବା ସପକ୍ଷରେ ରାୟ ପ୍ରଦାନ କରିଛନ୍ତି। କଟକ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଭିଜିତ ପଲେଇ ଘରୋଇ ହିଂସା ସଂପର୍କିତ ଏକ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିବା ସହିତ ଜେଏମଏଫସି ଅଦାଲତଙ୍କ ନିର୍ଦ୍ଦେଶ ବିରୋଧରେ ଦାୟର ଅପିଲକୁ ଖାରଜ କରିଛନ୍ତି। ପତ୍ନୀ ଓ ସନ୍ତାନକୁ ମାସିକ ୫ ହଜାର ଟଙ୍କା ଅନ୍ତରୀଣ ଭରଣପୋଷଣ ବାବଦରେ ସ୍ବାମୀ ପ୍ରଦାନ କରିବେ ବୋଲି ଜେଏମଏଫସି (ସିଟି) ଅଦାଲତ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ଅତିରିକ୍ତ ଦୌରା ଅଦାଲତ କାଏମ ରଖିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା (ପିଡବ୍ଲୁଡିଭି) ଆଇନର ଅନୁସାରେ ପତ୍ନୀଙ୍କ ତରଫରୁ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ସେ ଦର୍ଶାଇଥିଲେ ଯେ ୨୦୧୯ରେ ବିବାହ ସମୟରେ ଦାବି ମୁତାବକ ପରିବାର ତରଫରୁ ‌ଅର୍ଥ, ସୁନା ଅଳଙ୍କାର ଓ ଆସବାବପତ୍ର ତାଙ୍କ ପରିବାର ତରଫରୁ ସ୍ବାମୀଙ୍କୁ ପ୍ରଦାନ କରାଯାଇଥିଲା। ବୈବାହିକ ଜୀବନ ଚାଲିଥିବା ବେଳେ ସେ ଏକ ପୁତ୍ର ସନ୍ତାନର ଜନନୀ ହୋଇଥିଲେ। ବିବାହର ପ୍ରାୟ ୧୪ ମାସ ପରେ ପତ୍ନୀ ଓ ସନ୍ତାନକୁ ସ୍ବାମୀ ନିର୍ଯାତନା ଦେଇଥିଲେ। ଖାଇବାକୁ ଦିଆଯାଇ ନଥିଲା। ଏ ନେଇ ସେ ଥାନାରେ ଏତଲା ଦେବା ପରେ ବାପାଙ୍କ ଘରକୁ ସୁରକ୍ଷା ଦୃଷ୍ଟିରୁ ଚାଲି ଆସିଥିଲେ। ସ୍ବାମୀଙ୍କର ୪୦ ହଜାର ଟଙ୍କାର ମାସିକ ଆୟ ହୋଇଥିବା ବେଳେ ସେ କିନ୍ତୁ ପତ୍ନୀ ଓ ସନ୍ତାନର ଭରଣପୋଷଣ ପାଇଁ ପଦକ୍ଷେପ ନେଇ ନଥିଲେ ବୋଲି ପତ୍ନୀ ଅଭିଯୋଗ କରିଥିଲେ। ଜେଏମଏଫସି (ସିଟି) ଅଦାଲତ ମାମଲାର ଶୁଣାଣି କରି ୨୦୨୧, ମେ ୩ରେ ପତ୍ନୀ ଓ ନାବାଳକ ପୁଅକୁ ମାସିକ ୫ ହଜାର ଟଙ୍କା ଅନ୍ତରୀଣ ଭରଣପୋଷଣ ବାବଦରେ ଦେବାକୁ ସ୍ବାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ସ୍ବାମୀ ଦୌରା ଅଦାଲତରେ ଅପିଲ କରିଥିଲେ। ତୃତୀୟ ଅତିରିକ୍ତ ଦୌରା ଅଦାଲତ ଏହି ପ୍ରସଂଗରେ ଶୁଣାଣି କରି ଜେଏମଏଫସି ଅଦାଲତଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କରିବା ସହିତ ସ୍ବାମୀଙ୍କ ତରଫରୁ ଦାୟର ଅପିଲକୁ ଖାରଜ କରିଛନ୍ତି।

ସମ୍ବନ୍ଧିତ ଖବର