ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ପଞ୍ଚାୟତ ରଗଡ଼ା ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀ ସୁଲୋଚନା ବେହେରା (୨୮)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବାପରେ ସ୍ବାମୀ ରଥିଆ ସେଠୀ (୩୨) ଥାନାରେ ଆତ୍ମସମର୍ପଣ କରିଛି। ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।
ଗତକାଲି ରାତିରେ ରଥିଆ ଓ ସୁଲୋଚନା ଖାଇପିଇ ଗୋଟିଏ ଘରେ ଶୋଇଥିଲେ। ସକାଳୁ ସୁଲୋଚନା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେଳେ ରଥିଆ ଘରେ ନଥିଲେ। ଏ ସମ୍ପର୍କରେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ତେବେ, ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ରଥିଆ ଥାନାକୁ ଆସି ଆତ୍ମସମର୍ପଣ କରିଥିବା ଜଣାପଡ଼ିଥିଲା। ଏହାପରେ ତେଲକୋଇ ତହସିଲଦାର ଅଶ୍ବିନୀ କୁମାର ନାଏକ, କେନ୍ଦୁଝର ଏସ୍ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ତେଲକୋଇ ଥାନା ଅଧିକାରୀ ସାଇପ୍ରଭା ରାଉତ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତ ମହିଳାଙ୍କ ବାପା ବୀରବର ସେଠୀଙ୍କ ଅଭିଯୋଗ କ୍ରମେ କେସ୍ ନମ୍ବର ୨୨/୨୦୨୩ ଦଫା ୪୯୮(ଏ), ୩୦୨ ଆଇପିସିରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସାଇପ୍ରଭା ରାଉତ କହିଛନ୍ତି। ବିବାହ ପରେ ଘରୋଇ କଳହକୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ପିଲାପିଲି ନଥିବାରୁ କିମ୍ବା ଯୌତୁକ ପାଇଁ ଏହି କଳହ ଲାଗି ରହିଥିଲା। ଯେଉଁଥିପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି।