ସୁନ୍ଦରଗଡ଼: ଏନ୍‌ଟିପିସିରେ ଜମି ଓ ଚିଟ୍‌ଫଣ୍ଡରେ ୨ କୋଟି ଟଙ୍କା ହରାଇ ଦାଣ୍ଡକୁ ଚାଲି ଆସିଥିବା ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲି ଚକୁଳିପଡ଼ାର ଲକ୍ଷ୍ମଣ ପଟେଲଙ୍କ ଛାତିଥରା କାହାଣୀ ବୁଧବାର ‘ସମ୍ବାଦ’ରେ ପ୍ରକାଶ ପରେ ସର୍ବସ୍ବାନ୍ତ ହୋଇଥିବା ସେଭଳି ଅନେକ ହତଭାଗାଙ୍କ କଥା ସାମ୍ନାକୁ ଆସିଛି। ଏନ୍‌ଟିପିସି ପ୍ରକଳ୍ପରେ ଲୀନ ହୋଇଯାଇଥିବା ଟପରବା ଗାଁର ବିଧବା ସରୋଜିନୀ ଭୋଇଙ୍କ ଦୁଃଖ କହିଲେ ନସରେ। ତାଙ୍କ ଭାତହାଣ୍ଡି ଭଳି ଜମିକୁ ଏନ୍‌ଟିପିସି ଅଧିଗ୍ରହଣ କରିନେଲା। ସେ ବାବଦରେ କ୍ଷତିପୂରଣ ବାବଦକୁ ମିଳିଥିବା ସବୁତକ ଟଙ୍କ‌ା ଲୁଟିନେଇ ଚମ୍ପଟ ମାରିଲା ଚିଟଫଣ୍ଡ ସଂସ୍ଥା। ସର୍ବସ୍ବାନ୍ତ ହୋଇଯିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିବା ସ୍ବାମୀ ଦିନେ ଜୀବନ ହାରିଦେଲେ।

Advertisment

ଏବେ ବୈଧବ୍ୟ ଦୁଃଖ ସହ ମୁଣ୍ଡରେ ୨ ଝିଅଙ୍କ ବୋଝ ବୋହି ପାଦ ଘୋଷାରି ଚାଲୁଛନ୍ତି ସରୋଜିନୀ। ୨୦୧୩ରେ ସରୋଜିନୀଙ୍କ ସ୍ବାମୀ ନନ୍ଦଲାଲ ଏବଂ ତାଙ୍କ ୬ ଭାଇଭଉଣୀଙ୍କ ମୋଟ ୧୩ ଏକର ଜମି ଓ ଘର ଯିବାପରେ କ୍ଷତିପୂରଣରୁ ନନ୍ଦଲାଲଙ୍କ ଭାଗରେ ପଡ଼ିଥିଲା ୨୧ ଲକ୍ଷ ଟଙ୍କା। ବିସ୍ଥାପିତଙ୍କ କ୍ଷତିପୂରଣ ରାଶି ଉପରେ ଆଖି ପକାଇଥିବା ଚିଟଫଣ୍ଡ ସଂସ୍ଥା ତାଙ୍କ ଘରକୁଯାଇ ମାସକୁମାସ ବହୁଗୁଣ ସୁଧ ଓ ଜମା ରାଶିର ଦୁଇଗୁଣ ଫେରସ୍ତ ଲୋଭ ଦେଖାଇଥିଲେ। ଶେଷକୁ ଏଙ୍ଗେଲ ଆଲାଏଡ୍‌ ଇଣ୍ଡିଆ ନାମକ ଚିଟଫଣ୍ଡ ସଂସ୍ଥା ନନ୍ଦଲାଲଙ୍କୁ ରାଜିକରି ସବୁ ଟଙ୍କା ନେଇଗଲା। ବିଶ୍ବାସ ଜନ୍ମାଇବା ପାଇଁ ୨ ମାସ ସୁଧ ବି ଦେଲା। କିନ୍ତୁ ତା’ ପରେ ଛୁ’ ମାରିଲା ଠକ ସଂସ୍ଥା। ଜମି ଓ ଟଙ୍କା ଯିବାପରେ ସର୍ବସ୍ବାନ୍ତ ହୋଇଯାଇଥିବା ନନ୍ଦଲାଲ ନିଜ ସ୍ତ୍ରୀ ଏବଂ ୨ ଝିଅଙ୍କୁ କେମିତି ପୋଷିବେ, ସେ ଚିନ୍ତାରେ ଘାରିହେଲେ। ବୁଦ୍ଧିବାଟ ନ ଦିଶିବାରୁ ଦିନେ ଗାଁ ପାଖ ପୋଖରୀକୁ ଯାଇ ଜୀବନ ହାରିଦେଲେ।

ସଂସାର ଉଜୁଡ଼ିଯିବା ପରେ ସରୋଜିନୀ ବି ଚାହିଥିଲେ ଜୀବନ ହାରିଦେବାକୁ। କିନ୍ତୁ ୨ ଝିଅଙ୍କ ନିରୀହ ମୁହଁ ତାଙ୍କୁ ଏଭଳି କରିବାରୁ ରୋକିଥିଲା। ଏହା ମଧ୍ୟ‌ରେ ସ୍ବାମୀଙ୍କ ମୃତ୍ୟୁକୁ ୧୦ ବର୍ଷ ବିତିଗଲାଣି। ଏନଟିପିସିର ପୁନର୍ବାସ ଓ ଥଇଥାନ କଲୋନିରେ ୨ ଝିଅଙ୍କ ସହ ରହୁଥିବା ସରୋଜିନୀ ମଜୁରି କରି ଚଳୁଛନ୍ତି। ତାଙ୍କ ପରି କଲୋନିରେ ରହୁଥିବା ଆଉ ଜଣେ ମହିଳା ସୁବାସିନୀ ଭୋଇ ବି ଚିଟଫଣ୍ଡରେ ଠକିଯାଇ ସର୍ବହରା ହୋଇଛନ୍ତି। ତାଙ୍କର ୧ ଏକର ଜମି ଯାଇଥିଲା। ସେ ବାବଦକୁ ଏନଟିପିସି ସୁବାସିନୀଙ୍କ ପରିବାରକୁ ଦେଇଥିଲା ୨୦ ଲକ୍ଷ ଟଙ୍କା। ଅଧିକ ସୁଧ ଲୋଭରେ ସବୁ ଟଙ୍କା ସ୍ବାମୀ ଅମୋଦ ଭୋଇ ଓ ନିଜ ନାମରେ ସିସୋର ଚିଟଫଣ୍ଡ ସଂସ୍ଥାରେ ଜମା କରି ଦେଲେ। ଚୁକ୍ତି ମୁତାବକ ୨ ବର୍ଷ ଯାଏ ପ୍ରତି ମାସରେ ୨୦ ହଜାର ଟଙ୍କା ଲେଖାଏଁ ଦେଇ ଚାଲିଲା କମ୍ପାନି। ହେଲେ ସେ ଟଙ୍କାକୁ ଖର୍ଚ୍ଚ ନକରି ପୁଣି ସେହି ସଂସ୍ଥା‌ରେ ଜମା କରିଚାଲିଲେ ଦମ୍ପତି। ପରବର୍ଷ ଫେରାର ହୋଇଗଲା ସିସୋର୍‌। ଏବେ ମୂଲିଆ ଖଟି ଚଳୁଛନ୍ତି ସ୍ବାମୀସ୍ତ୍ରୀ। ଝିଅକୁ ପାଠ ପଢ଼ାଇବାର ଇଚ୍ଛା ଥିଲେ ବି ସକ୍ଷମ ହେଲେ ନାହିଁ ବୋଲି ଦୁଃଖରେ କହନ୍ତି ସୁବାସିନୀ।