ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ବାମୀ

ସୁକିନ୍ଦା: ସୁକିନ୍ଦା ଥାନା ଅନ୍ତର୍ଗତ ରାଙ୍କିଆ ଗ୍ରାମର ବୁରୁସାହିରେ ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ସ୍ବାମୀ। ଏପରି ଜଘନ୍ୟକାଣ୍ଡ ଘଟାଇବା ସମୟରେ ସ୍ତ୍ରୀର ବଡ଼ଭଉଣୀଙ୍କୁ ଫୋନ୍ କରି ଶୁଣାଉଥିଲା ଅଭିଯୁକ୍ତ ସ୍ବାମୀ ବସନ୍ତ ବେହେରା। ମୃତ ମହିଳା ହେଲେ ପିଙ୍କି ବେହେରା (୩୩)।

ବସନ୍ତ ଭୁବନେଶ୍ବରରେ ରହି କାମ କରୁଥିବା ବେଳେ ପତ୍ନୀ ପିଙ୍କି ଓ ଛୋଟ ପିଲା ଗାଁରେ ରହୁଥିଲେ। ମଙ୍ଗଳବାର ପିଙ୍କି ନିଜ ଭିଣୋଇଙ୍କ ସହ କୁଆଡ଼େ ବୁଲିବାକୁ ଯାଇଥିବା ଖବର ପାଇଥିଲା ବସନ୍ତ। ରାତି ୨ଟା ସମୟରେ ବସନ୍ତି ଭୁବନେଶ୍ବରରୁ ଆସି ଘରେ ପହଞ୍ଚିଥିଲା। ସ୍ତ୍ରୀକୁ ମାଡ଼ ମାରିବା ସହ ଭିଣୋଇ ସହ ବୁଲିଯିବା ସଂପର୍କରେ ପ୍ରଶ୍ନ କରିଥିଲା। ପରେ ପିଙ୍କିଙ୍କ ବଡ଼ଭଉଣୀଙ୍କୁ ଫୋନ୍ କରି ସେ ତାକୁ ହତ୍ୟା କରୁଛି ବୋଲି କହିଥିଲା। ତଣ୍ଟି ଚିପ ହତ୍ୟା କରିବା ସହ ମୃତ୍ୟୁ ସମୟର ଚିତ୍କାରକୁ ଫୋନ୍‌ରେ ଶୁଣାଇଥିଲା। ଖବର ପାଇ ସୁକିନ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। କେନ୍ଦ୍ରାପଡ଼ାରୁ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଥିବା ସୂଚନା ମିଳିଛି। ଅଭିଯୁକ୍ତ ବସନ୍ତ ସହ ତା’ର ବଡ଼ଭାଇ ଓ ଭାଉଜଙ୍କୁ ମଧ୍ୟ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ମୃତକଙ୍କ ବଡ଼ଭାଇ ଏ ସଂପର୍କରେ ଏତଲା ଦେଇଛନ୍ତି। ସୁକିନ୍ଦା ଥାନାରେ କେସ ନମ୍ବର ୬୩/୨୩ ରୁଜୁ କରି ଦଫା ୩୦୨ ଅନୁଯାୟୀ ତଦନ୍ତ କରାଯାଉଥିବା କହିଛନ୍ତି ଥାନା ଭାରପ୍ରାପ୍ତ ଅଧିକାରୀ କାବୁଲି ବାରିକ। ଶବ ବ୍ୟବଚ୍ଛେଦ ପାଇଁ ଦାନଗଦୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।

ସମ୍ବନ୍ଧିତ ଖବର